ଆମକୁ ଜୀବନ ବଦଳରେ ଜୀବନ ଦରକାର, ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ମିଳୁ: କହ୍ନେୟା ଲାଲଙ୍କ ପତ୍ନୀ

Advertisment
ଆମକୁ ଜୀବନ ବଦଳରେ ଜୀବନ ଦରକାର, ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ମିଳୁ: କହ୍ନେୟା ଲାଲଙ୍କ ପତ୍ନୀ

ଜୟପୁର: କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜସ୍ଥାନର ଉଦୟପୁରରେ ମଙ୍ଗଳବାର ଘଟିଥିବା କହ୍ନେୟା ଲାଲ ଟେଲିଙ୍କ ନିର୍ମମ ହତ୍ୟାଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନ୍‌ଆଇଏ) ଉପରେ ନ୍ୟସ୍ତ କରିଛି। ଏହି ଘଟଣାରେ କୌଣସି ସଂଗଠନ ଏବଂ ଆନ୍ତର୍ଜାତୀୟ ଲିଙ୍କ୍‌ର ସମ୍ପୃକ୍ତିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଅନ୍ୟପକ୍ଷରେ ମୃତ କହ୍ନେୟା ଲାଲଙ୍କ ପରିବାର ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି।

କହ୍ନେୟା ଲାଲଙ୍କ ମୃତଦେହ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଘରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। କହ୍ନେୟା ଲାଲଙ୍କ ପତ୍ନୀ କାନ୍ଦି କାନ୍ଦି କହିଥିଲେ ଯେ, ଆମକୁ ଜୀବନ ବଦଳରେ ଜୀବନ ଦରକାର। ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ହିଁ ମିଳୁ। ଏଭଳି ଦାବି ସହ ଅନେକ ବଡ଼ ଖୁଲାସା କରିଛନ୍ତି କହ୍ନେୟା ଲାଲଙ୍କ ପତ୍ନୀ।

ସେ କହିଛନ୍ତି ଯେ, ସୋସିଆଲ ମିଡିଆରେ କହ୍ନେୟା ଲାଲ ନୂପୁର ଶର୍ମାଙ୍କୁ ସମର୍ଥନ କରି ପୋଷ୍ଟ କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ। ଏହି କାରଣରୁ ସେ କିଛି ଦିନ ଦୋକାନ ବନ୍ଦ କରିଥିଲେ। ହେଲେ ଗତକାଲି ସେ ଦୋକାନ ଖୋଲିବା ପରେ ଅଭିଯୁକ୍ତମାନେ ତାଙ୍କୁ ଆସି ହତ୍ୟା କରିଥିଲେ। ହତ୍ୟା କରିବା ପୂର୍ବରୁ ମଧ୍ୟ ଅଭିଯୁକ୍ତମାନେ ଦୋକାନକୁ ଆସିଥିଲେ। ହେଲେ ତାଙ୍କ ସହ ଭଲ ଭାବରେ ପରିଚିତ ନଥିଲେ କହ୍ନେୟା ଲାଲ। ପୂର୍ବରୁ ଦୁହିଁଙ୍କୁ ଜାଣିଥିବାରୁ କହ୍ନେୟା ଲାଲ ସେମାନଙ୍କ ଉପରେ ସନ୍ଦେହ କରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe