ରିଲାଏନ୍ସର ମୁଖିଆ ପଦରୁ ଅବସର ନେବେକି ମୁକେଶ ଅମ୍ବାନି; କିଏ ଧରିବ ମଙ୍ଗ ଇଶା, ଆକାଶ ନା ଅନନ୍ତ? 

୨୦୨୩-୨୪ରେ ରିଲାଏନ୍ସର ନିଟ୍‌ ଲାଭରେ ୭.୩% ବୃଦ୍ଧି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍‌)ର ନେତୃତ୍ୱ ପରିବର୍ତନ ବିଷୟରେ କଂପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ସୂଚନା ଦେଇଛନ୍ତି । କଂପାନିର ବରିଷ୍ଠ ଅଧିକାରୀଙ୍କ ସହ ମିଶି ସେ ନିଜେ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଏବଂ ଯୁବ ନେତୃତ୍ୱକୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ଇଚ୍ଛାପ୍ରକାଶ କରିଛନ୍ତି।

ନିଜ ସମେତ ସମାନ ପିଢିର ସମସ୍ତ ବରିଷ୍ଠମାନଙ୍କଠାରୁ ନେତୃତ୍ୱ ପରବର୍ତୀ ପିଢି ଅର୍ଥାତ୍ ରିଲାଏନ୍ସ ପରିବାରର ଉଦୀୟମାନ, ପାରଦର୍ଶୀ ଓ ସୁଯୋଗ୍ୟ ଯୁବପିଢିକୁ ହସ୍ତାନ୍ତର କରିବାର ପ୍ରକୃଷ୍ଟ ସମୟ ଉପନୀତ ହୋଇଥିବା ସେ ପ୍ରକାଶ କରିଛନ୍ତି । ବରିଷ୍ଠମାନେ ସେମାନଙ୍କୁ ସଶକ୍ତ ଓ ଉତ୍ସାହିତ କରିବା ସହିତ ସେମାନଙ୍କ ସଫଳ ପ୍ରଦର୍ଶନରେ ଅଭିନନ୍ଦନ ଜଣାଇବାକୁ ସେ ଆହ୍ୱାନ ଦେଇଛନ୍ତି । ପରବର୍ତୀ ପିଢିର ନେତୃତ୍ୱ ନେଇ ଇଶା, ଆକାଶ ଓ ଅନନ୍ତ ଅମ୍ବାନି ରିଲାଏନ୍ସ କୁ ଆହୁରି ଉଚ୍ଚତର ପର୍ଯ୍ୟୟକୁ ନେବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଥିବା ସେ କହିଛନ୍ତି । ଧୀରୁଭାଇଙ୍କ ଭଳି ସମାନ ଉତ୍ସାହ, ତେଜ, ବିପୁଳ ସମ୍ଭାବନା ସେ ମୋନଙ୍କଠାରେ ଦେଖି ପାରୁଥିବା ପ୍ରକାଶ କରଛନ୍ତି ।

ରିଲାଏନ୍ସର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନିଙ୍କ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ରିଲାଏନ୍ସ ଫାମିଲି ଡେ’କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସ୍ୱଚ୍ଛ ଓ ସବୁଜ ଶକ୍ତି କ୍ଷେତ୍ରରେ ପ୍ରବେଶ ସମେତ ଖୁଚୁରା ଓ ଟେଲିକମ୍ ବ୍ୟବସାୟ ନୂଆ ଶିଖରରେ ପହଂଚିବା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଆଗାମୀ ଦିନରେ ଦୁନିଆର ସବୁଠୁ ଦୃଢ଼ ଓ ଲୋକପ୍ରିୟ ବହୁଦେଶୀୟ କଂପାନିରେ ପରିଣତ ହେବ । ଏଥିପାଇଁ ଯୁବପିଢିକୁ ଅଧିକ ଯୁଗାନ୍ତକାରୀ ଓ ସଫଳ ପଦକ୍ଷେପ ନେବା ସହିତ ରିଲାଏନ୍ସକୁ ଆହୁରି ଶିଖରରେ ପହଂଚାଇବା ନେଇ ଶୁଭକାମନା ଜଣାଇଛନ୍ତି ।

publive-image

ଆଗାମୀ କିଛି ଦଶନ୍ଧି ବ୍ୟାପୀ ରିଲାଏନ୍ସର ଭବିଷ୍ୟତ ଅଭିବୃଦ୍ଧିର ମୂଳଦୂଆ ପକାଇବାର ବର୍ତମାନ ପ୍ରକୃଷ୍ଟ ସମୟ ଥିବା ପ୍ରକାଶ କରି ଏହି ବିପୁଳ ସୁଯୋଗର ଲାଭ ନେବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ୧୯୯୦ରେ ତାଙ୍କ ବାପା ଧୀରୁଭାଇ ଅମ୍ବାନି ଯେଭଳି ମୁଳଦୁଆ ସ୍ଥାପନ କରିଥିଲେ, ରିଲାଏନ୍ସର ଭବିଷ୍ୟତ ଅଭିବୃଦ୍ଧିର ମୁଳଦୁଆ ସ୍ଥାପନ କରିବା ଲାଗି ଭିତି ପ୍ରସ୍ତର ସ୍ଥାପନ କରିବାର ସମୟ ଆସିଛି । ସେ କହିଛନ୍ତି ଯେ ବର୍ତମାନର ପୋର୍ଟଫୋଲିଓ, ଅଭିବୃଦ୍ଧି ଇଂଜିନ ଓ ଦୃଢ଼ ବାଲାନ୍ସ ସିଟ୍ ଓ ଫାଇନାନ୍ସର ଉପଲବ୍ଧତା ଓ ସୁଯୋଗ ଅସୀମିତ ରହିଛି ବୋଲି ସେ କହିଛନ୍ତି । ଆମକୁ କେବଳ ଏକ ସଂସ୍ଥାର ସଂସ୍କୃତି ଗଠନ କରିବା ଉପରେ ନିଶ୍ଚିତ ରୂପେ ଗୁରୁତ୍ୱ ଦେବାକୁ ପଡ଼ିବ ଯାହା ଏହି ସୁଯୋଗକୁ ବାସ୍ତବତାରେ ପରିଣତ କରିବ ବୋଲି ସେ କହିଛନ୍ତି ।

ସେହିଭଳି ରିଲାଏନ୍ସର ସ୍ୱର୍ଣ୍ଣିମ ଦଶନ୍ଧିର ଦ୍ୱିତୀୟ ଭାଗରେ କମ୍ପାନିର ଭବିଷ୍ୟତ ଉଜ୍ଜ୍ୱଳ ରହିଥିବା ସେ ଦୃଢୋକ୍ତି କରିଛନ୍ତି । କଂପାନିର ଟେଲିକମ୍ ସଂସ୍ଥା ଜିଓ ପ୍ରାୟ ୪ ନିୟୁତରୁ ଅଧିକ ଘର ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଜିଓ ଫାଇବର ପହଂଚାଇଛିି । ଏହା ଭାରତକୁ ଦୁନିଆର ପ୍ରିମିୟର ଡିଜିଟାଲ୍ ସମାଜରେ ପରିଣତ କରିବ ବୋଲି ସେ କହିଛନ୍ତି ।

publive-image

ମହାମାରୀ ପରେ ସ୍ୱାଭାବିକତା ଫେରୁଥିବା ବେଳେ ନୂଆ ଭାରିଅଂଟ୍ ବ୍ୟାପିବା ପରଠାରୁ ଅନିଶ୍ଚିତତାର ବାଦଲ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ନକରିବାକୁ ସେ ଆହ୍ୱାନ ଦେଇଛନ୍ତି । ମୁକେଶ ଅମ୍ବାନି କହିଛନ୍ତି ଯେ କୋଭିଡ୍ ଆମକୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଇଛି । ତାହା ହେଉଛି ସ୍ୱାସ୍ଥ୍ୟ ହେଉଛି ପ୍ରକୃତ ସମ୍ପଦ, ପ୍ରଥମେ ସୁରକ୍ଷା ଓ ପ୍ରଥମେ ପରିବାର । ଉତମ ସ୍ୱାସ୍ଥ୍ୟକୁ ହାସଲ କରିବା ଏବଂ ବଜାୟ ରଖିବା ଆମ ହାତରେ ରହିଛି । ସେଥିପାଇଁ ଆବଶ୍ୟକ ଉପାଦାନ ହେଉଛି ସ୍ୱାସ୍ଥ୍ୟକର ଖାଦ୍ୟ, ଉତମ ଭାବନା, ଉତମ କର୍ମ, ଯୋଗ, ପ୍ରାଣାୟାମ, କ୍ରୀଡ଼ା ଏବଂ ବ୍ୟାୟାମ ବୋଲି ସେ କହିଛନ୍ତି ।

ମହାମାରୀ ସମୟରେ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଯୋଗୁଁ ନିଜ ପିଲା, ପରିବାର ଲୋକଙ୍କ ସହ ଗୁଣାତ୍ମକ ସମୟ ବିତାଇବାର ସୁଯୋଗ ଆମକୁ ମିଳିଥିଲା । ଭବିଷ୍ୟତରେ ପ୍ରଯୁକ୍ତି ଆମକୁ ହାଇବ୍ରିଡ୍ ଓ ଭର୍ଚୁଆଲ୍ ଭାବେ କାମ କରିବାର ଆକର୍ଷଶୀୟ ଉପାୟ ପ୍ରଦାନ କରିବ ।

ରିଲାଏନ୍ସ ଏକ ଅତ୍ୟନ୍ତ ସଫଳ କଂପାନି ଭଳି ରିଲାଏନ୍ସ ଏକ ଖୁସିମୟ ପରିବାର ହେବା ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅବସରରେ ମୁକେଶ ଅମ୍ବାନି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe