ଇସଲାମାବାଦ: ସାଧାରଣ ଲୋକଙ୍କ ପରେ ଏବେ ପାକ୍ ଅଧିକୃତ କଶ୍ମୀର (ପିଓକେ)ର ପୁଲିସ କର୍ମଚାରୀମାନେ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ରାଜଧାନୀ ମୁଜାଫରାବାଦରେ, ୟୁନିଫର୍ମ ପିନ୍ଧି ଶହ ଶହ ପୁଲିସ କର୍ମଚାରୀ ବ୍ୟାନର ଏବଂ ପୋଷ୍ଟର ଧରି ରାସ୍ତାକୁ ବାହାରି ଆସି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିଛନ୍ତି। ସେମାନେ ଡ୍ୟୁଟିକୁ ଫେରିବାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି।

Advertisment

'ଜମିଅତ-ଏ-ପୁଲିସ୍ କଶ୍ମୀର' ବ୍ୟାନର ତଳେ ଧର୍ମଘଟରେ କରୁଥିବା ପୁଲିସ ଏବଂ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ସରକାର ଦୀର୍ଘ ସମୟ ଧରି ସେମାନଙ୍କୁ ଅଣଦେଖା କରିଆସୁଛନ୍ତି। ସେମାନେ ଦଶନ୍ଧି ଧରି ଭେଦଭାବ, ଆର୍ଥିକ ଶୋଷଣ ଏବଂ ପ୍ରଶାସନିକ ଅବହେଳା ବିରୁଦ୍ଧରେ ସ୍ୱର ଉଠାଇ ଆସିଛନ୍ତି ଏବଂ ଡ୍ୟୁଟିକୁ ଫେରିବା ପାଇଁ ସରକାରଙ୍କ ନିକଟରେ ୧୨ ଦଫା ଦାବି ରଖିଛନ୍ତି।

ପିଓକେର କଶ୍ମୀରବାସୀଙ୍କ ପ୍ରତି ପକ୍ଷପାତପୂର୍ଣ୍ଣ ମନୋଭାବ ପ୍ରଦର୍ଶନ କରାଯାଉଥିବା ନେଇ ୨୧ ଜୁଲାଇରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରୁଥିବା ପାକ୍ ଅଧିକୃତ କଶ୍ମୀରର ପୁଲିସ ଅଧିକାରୀ ଏବଂ ଜବାନମାନେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଯେ, ପାକିସ୍ତାନ ସରକାର ପିଓକେର କଶ୍ମୀରବାସୀଙ୍କ ପ୍ରତି ପକ୍ଷପାତପୂର୍ଣ୍ଣ ମନୋଭାବ ପୋଷଣ କରୁଛି। ଅଭିଯୋଗ ହେଉଛି ଯେ, କର୍ତ୍ତବ୍ୟ ସମୟରେ ପ୍ରାଣ ହରାଇଥିବା ପୁଲିସ କର୍ମଚାରୀଙ୍କ ସଞ୍ଚୟ ଟଙ୍କା ମଧ୍ୟ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଉ ନାହିଁ। ସେହି ଟଙ୍କାକୁ  ସରକାର ଫ୍ରିଜ୍ କରି ଦେଉଛନ୍ତି। ଏହା ସହିତ ଗତ ୫୦ ବର୍ଷ ଧରି ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ଦିଆଯାଉଥିବା ପେନସନରେ ମଧ୍ୟ କୌଣସି ବୃଦ୍ଧି କରାଯାଇ ନାହିଁ।

ପୁଲିସ କର୍ମଚାରୀମାନେ କହିଛନ୍ତି ଯେ, ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏପରି ପରିସ୍ଥିତି ନାହିଁ। ସେଠାରେ, ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ପ୍ରତି ମାସରେ ଉପଯୁକ୍ତ ପେନସନ ମିଳିଥାଏ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ଜମା ଟଙ୍କା ମଧ୍ୟ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥାଏ। ମାତ୍ର ପିଓକେରେ, ନା ଆର୍ଥିକ ସାହାଯ୍ୟ ଦିଆଯାଏ ନା ସମ୍ମାନଜନକ ବ୍ୟବହାର କରାଯାଇଥାଏ ବୋଲି ପୁଲିସମାନେ ଅଭିଯୋଗ କରିଛନ୍ତି।

ପୁଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ପ୍ରତି ପକ୍ଷପାତପୂର୍ଣ୍ଣ ମନୋଭାବ ପ୍ରଦର୍ଶନ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ଅଞ୍ଚଳରେ ଅନେକ ବଡ଼ ସରକାରୀ ହସ୍ପିଟାଲ ଅଛି, କିନ୍ତୁ ଏହି ସୁବିଧାର ଲାଭ କେବଳ ସେନା ଅଧିକାରୀ ଏବଂ ସେମାନଙ୍କ ପରିବାରକୁ ଦିଆଯାଉଛି।  ପୁଲିସ ଏବଂ ସେମାନଙ୍କ ପରିବାର ପ୍ରତି ଏକ ପକ୍ଷପାତପୂର୍ଣ୍ଣ ମନୋଭାବ ଗ୍ରହଣ କରାଯାଉଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟରେ ବସିଥିବା ପୁଲିସ ଅଧିକାରୀମାନେ ଦାବି କରିଛନ୍ତି ଯେ, ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ମଧ୍ୟ ସେନା ପରି ସମାନ ଚିକିତ୍ସା ସୁବିଧା ଦିଆଯାଉ। ଏହା ସହିତ, ଯଦି କାହାକୁ ବାହାରେ ଚିକିତ୍ସା କରିବାକୁ ପଡ଼େ, ତେବେ ତାଙ୍କ ଖର୍ଚ୍ଚକୁ  କୌଣସି ବାଧା ବିନା ଫେରସ୍ତ କରାଯିବା ଉଚିତ୍ ବୋଲି ସେମାନ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ଉପହାର: ବଢ଼ିପାରେ ମହଙ୍ଗା ଭତ୍ତା

ପିଓକେ ପୁଲିସ କର୍ମଚାରୀମାନେ କହିଛନ୍ତି ଯେ, ଯଦି ପାକିସ୍ତାନର ଅନ୍ୟ ସ୍ଥାନରେ କାର୍ଯ୍ୟରତ ପୁଲିସ କର୍ମଚାରୀ ଏବଂ ଅଧିକାରୀମାନେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଆନ୍ତି, ତେବେ ସରକାର ସେମାନଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ ପରିଶୋଧ କରିଥାନ୍ତି। ଏହି ସୁବିଧା ସେନା ପାଇଁ ମଧ୍ୟ ଉପଲବ୍ଧ। କିନ୍ତୁ ଗତ ୭୦ ବର୍ଷ ଧରି ପିଓକେ ପୁଲିସ ସହିତ ପକ୍ଷପାତ କରାଯାଉଛି।

ଆନ୍ଦୋଳନକାରୀ ପୁଲିସ କର୍ମଚାରୀମାନେ ଦାବି କରୁଛନ୍ତି ଯେ, ସେମାନଙ୍କୁ ପାକିସ୍ତାନୀ ସେନା ଏବଂ ରେଞ୍ଜର୍ସମାନଙ୍କ ପରି ସମାନ ସୁବିଧା ମିଳୁ। ସେଥି ମଧ୍ୟରେ ୟୁନିଫର୍ମ ଭତ୍ତା, ପୁରୁଣା ୨୦୦୮ ଦରମା ପରିବର୍ତ୍ତେ ୨୦୨୨ ଦରମା ଆଧାରରେ ବିପଦ ଭତ୍ତା ଅନ୍ତର୍ଭୁକ୍ତ କରାଯାଉ। ଏହା ସହିତ, ସେମାନେ ଡିସପାରିଟି ଭତ୍ତା ମଧ୍ୟ ଦେବାକୁ ଚାହୁଁଛନ୍ତି, ଯାହା ସେନା ଏବଂ ରେଞ୍ଜର୍ସ ପୂର୍ବରୁ ଦୁଇଥର ପାଇସାରିଛନ୍ତି। ବର୍ତ୍ତମାନର ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ସେମାନେ କନଷ୍ଟାବୁଲରୀ  ଏବଂ ଡ୍ୟାସିଂ ଭତ୍ତା ବୃଦ୍ଧି କରିବାକୁ ଦାବି କରିଛନ୍ତି।

ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଭେଦଭାବ ଅଭିଯୋଗ ନେଇ ପାକିସ୍ତାନ ସରକାରଙ୍କ ବିରୋଧରେ  ସମ୍ପ୍ରତି ପ୍ରତିବାଦ ତୀବ୍ର ହୋଇଛି । ଏଠାରେ ପୁଲିସ କର୍ମଚାରୀମାନଙ୍କ ପରି  ରାଜସ୍ୱ ବିଭାଗର କର୍ମଚାରୀମାନେ ମଧ୍ୟ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି।  ରାଜସ୍ବ ବିଭାଗ କର୍ମଚାରୀମାନେ ୨୭ ଜୁଲାଇ ପର୍ଯ୍ୟନ୍ତ କଳାପଟି ପିନ୍ଧି କାମ କରୁଛନ୍ତି। ସେମାନେ କହିଛନ୍ତି ଯେ, ଯଦି ସେମାନଙ୍କୁ ପାକିସ୍ତାନର ଅନ୍ୟ ଅଞ୍ଚଳ ପରି ସମାନ ଅଧିକାର ଦିଆ ନ ଯାଏ, ତେବେ ସେମାନେ ୨୭ ଜୁଲାଇରୁ ପ୍ରତିଦିନ ତିନି ଘଣ୍ଟା କାମ ବନ୍ଦ କରିଦେବେ ଏବଂ ୩ ଅଗଷ୍ଟରୁ ସମ୍ପୂର୍ଣ୍ଣ ଧର୍ମଘଟ କରିବେ।

ଅଧିକ ପଢ଼ନ୍ତୁ: ସବୁ ବୋଇଂ ୭୮୭ ବିମାନର ଇନ୍ଧନ ସ୍ବିଚ୍ ଠିକ ଅଛି : ଏୟାର ଇଣ୍ଡିଆ

pakistan | POK