Samachar4media
ଧର୍ମଶାଳା : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର ବୁଧବାର ଧର୍ମଶାଳାଠାରେ ଆୟୋଜିତ ଚେସ୍ ଅଲିମ୍ପିଆଡ୍ର ମଶାଲ ରିଲେ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଗତ ରବିବାର ନୂଆଦିଲ୍ଲୀର ଆଇଜି ଷ୍ଟାଡିୟମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ ମଶାଲ ରିଲେର ଶୁଭାରମ୍ଭ କରିଥିଲେ। ଚେସ୍ ଅଲି୍ମ୍ପିଆଡ ମଶାଲ ରିଲେ ଦେଶର ୭୫ଟି ସହର ପରିକ୍ରମା କରିବ। ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଥିବାରୁ ଏପରି ପରିକ୍ରମା ନିମନ୍ତେ ଯୋଜନା କରାଯାଇଛି।
ଏହି ଅବସରରେ ଧର୍ମଶାଳାର ଏଚ୍ପିସିଏ ପରିସରରେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଲେ ଯେ, ଭାରତରେ ଚେସ୍ର ଏକ ସୁଦୀର୍ଘ ଇତିହାସ ରହିଛି। ଆମେ ଚତୁରଙ୍ଗଠାରୁ ଆରମ୍ଭ କରି ଶତରଞ୍ଜ ବା ଚେସ୍ ପର୍ଯ୍ୟନ୍ତ ପହଞ୍ଚିଛୁ। ଚେସ୍ ଅଲିମ୍ପିଆଡ୍ ଇତିହାସରେ ପ୍ରଥମ ଥର ଭାରତ ଏହି ପ୍ରତିଯୋଗିତା ଆୟୋଜନ କରୁଛି। ଚେସ୍ ଅଲିମ୍ପିଆଡ୍ ଅବସରରେ ୧୮୮ଟି ଦେଶର ୨୦୦୦ରୁ ଅଧିକ ଖେଳାଳି ଏବଂ ୧୦୦୦ରୁ ଊର୍ଦ୍ଧ୍ବ ଅଧିକାରୀ ଭାରତ ଆସିବେ।
ଏହି କାର୍ଯ୍ୟକ୍ରମରେ ହିମାଚଳ ପ୍ରଦେଶ ସରକାରଙ୍କ ଯୁବ ବ୍ୟାପାର, କ୍ରୀଡ଼ା ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ରାକେଶ ପଠାନିଆ, ସର୍ବଭାରତୀୟ ଚେସ୍ ମହାସଂଘର ମହାସଚିବ ଭରତ ସିଂ ଚୌହାନଙ୍କ ସମେତ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଏଆଇସିଏଫ୍ର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଧର୍ମଶାଳାସ୍ଥିତ ସାଇ କେନ୍ଦ୍ରର ଆଥ୍ଲେଟ୍, ଏନ୍ୱାଇକେଏସ୍ର ସ୍ବେଚ୍ଛାସେବୀ ଏବଂ ହିମାଚଳ ପ୍ରଦେଶ ଚେସ୍ ସଂଘର ଯୁବ ଖେଳାଳିଙ୍କ ସମେତ ୫୦୦ରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ଚେସ୍ ଗ୍ରାଣ୍ଡମାଷ୍ଟର ଦୀପ ସେନଗୁପ୍ତା ଚେସ୍ ମଶାଲକୁ ଶ୍ରୀ ଠାକୁରଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ମଶାଲକୁ ଶିମଲା ନିଆଯାଇଥିଲା। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଏବଂ ଜଣେ କ୍ରୀଡ଼ାପ୍ରେମୀ ହୋଇଥିବା ଦୃଷ୍ଟିରୁ ହିମାଚଳ ପ୍ରଦେଶ ଏବଂ ଭାରତରେ ଚେସ୍କୁ ଲୋକପ୍ରିୟ କରାଇବାରେ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ଠାକୁର ଆଶ୍ବାସନା ଦେଇଥିଲେ।
Follow Us