ଢ଼ାକା: ବାଂଲାଦେଶରେ ଛାତ୍ରନେତା ହତ୍ୟା ଘଟଣାକୁ ବିରୋଧ କରି ଏବେ ଦେଶବ୍ୟାପୀ  ହିଂସା ଏବଂ ଉତ୍ତେଜନା ଜାରି ରହିଛି। ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ୨ ଜଣ ହିନ୍ଦୁ ଦୀପୁଚନ୍ଦ୍ର ଦାସ ଏବଂ ଅମୃତ ମଣ୍ଡଳଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣା ଏବେ ହିନ୍ଦୁମାନଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ରଙ୍ଗପୁର, ଚିଟାଗଙ୍ଗ, ଢାକା ଏବଂ ମୟମନସିଂହରେ ରହୁଥିବା ହିନ୍ଦୁମାନେ ଏବେ ଅସହାୟ ହୋଇ ପଡ଼ିଛନ୍ତି।  ହିନ୍ଦୁମାନେ ଏବେ ସେମାନଙ୍କୁ ସୁରକ୍ଷା ଦେବାପାଇଁ ଏବଂ ବଞ୍ଚାଇବା ପାଇଁ ସୀମା ଖୋଲିବାକୁ ଅନୁରୋଧ କରିଛନ୍ତି। ଏମଧ୍ୟରେ ଦୀପୁଚନ୍ଦ୍ର ଦାସଙ୍କୁ କେତେ ନିର୍ମମ ଭାବେ ହତ୍ୟା କରାଯାଇଥିଲା ତାହା ଜଣାଇଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ।

Advertisment

ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି

ନିଜ ନାମ ଗୋପନ ରଖି ସେ ଜାତୀୟ ଗଣମାଧ୍ୟମକୁ ସବୁ ଜଣାଇଛନ୍ତି। କିଭଳି ନିଜ ଲୋକ ଦୀପୁଙ୍କ ଶତ୍ରୁ ପାଲଟିଗଲେ ତାହା ସେ ଜଣାଇଛନ୍ତି। ଯେଉଁମାନଙ୍କ ସହ ସେ କାନ୍ଧରେ କାନ୍ଧ ମିଶାଇ କାମ କରୁଥିଲେ, ‌ସେମାନେ କିଭଳି ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦେଲେ ତାହା ସାମ୍ନାକୁ ଆସିଛି।

ମାଡ଼ ମାରିଲେ, ଘୋଷାଡ଼ିଲେ, ଜାଳିଦେଲେ

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଦୀପୁ ଚନ୍ଦ୍ର ଦାସ ଜଣେ ପରିଶ୍ରମୀ ଯୁବକ ଥିଲେ। କିନ୍ତୁ ତାଙ୍କର କଠିନ ପରିଶ୍ରମ କିଛି ଲୋକଙ୍କୁ ପସନ୍ଦ ଆସୁନଥିଲା। ଭଲ କାମ କରି ପ୍ରଶଂସା ପାଉଥିବା ଦୀପୁଙ୍କ ଖୁସିକୁ ସହିପାରିନଥିଲେ ତାଙ୍କର କିଛି ସହକର୍ମୀ। ପ୍ରତିଶୋଧ ପରାୟଣ ହୋଇ ସହକର୍ମୀମାନେ ତାଙ୍କ ବିରୋଧରେ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା କରିଥିବା ନେଇ ମିଥ୍ୟା ପ୍ରଚାର କରିଥିଲେ। ଏହି ଗୁଜବ ଜାଣିଶୁଣି ଭିଡ଼କୁ ଉସୁକାଇବା ପାଇଁ ପ୍ରଚାର କରାଯାଇଥିଲା। ଏହି ଅଭିଯୋଗ ପରେ ପ୍ରଥମେ ଦୀପୁ ଦା’ଙ୍କୁ ଏଚ୍‌ଆର କାର୍ଯ୍ୟାଳୟକୁ ଡକାଯାଇଥିଲା। ସେମାନେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ। ଏହି ସମୟରେ କାରଖାନା କର୍ମଚାରୀଙ୍କ ସହିତ ବାହାର ଲୋକ ମଧ୍ୟ ଥିଲେ। ଦୀପୁ ଦା’ ଇସ୍ତଫା ଦେବା ପରେ ତାଙ୍କୁ ଦଙ୍ଗାକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହା ପରେ ଭିଡ଼ ତାଙ୍କୁ କାରଖାନା ଗେଟ୍ ବାହାରକୁ ନେଇ ପିଟିବା ଆରମ୍ଭ କରିଥିଲା। ସେମାନେ ତାଙ୍କ ମୁହଁ ଓ ଛାତିକୁ ମୋଟା ବାଡ଼ିରେ ପିଟିଥିଲେ ଓ ରକ୍ତସ୍ରାବ ହେବାରୁ ତାଙ୍କୁ ପ୍ରାୟ ୧କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏତିକିରେ ‌ସେମାନଙ୍କ ମନ ଶାନ୍ତ ‌ହୋଇନଥିଲା। ଦୀପୁ  ଦା’ ମରିସାରିଥିବା ଜାଣି ବି ତାଙ୍କୁ ଏକ ଗଛରେ ଟାଙ୍ଗି ନିଆଁ ଲଗାଇ ଦେଇଥିଲେ ଦଙ୍ଗାକାରୀ

ବାଧ୍ୟ ହୋଇ ଚୁପ୍ ଥିଲୁ

ଏସବୁ ଘଟୁଥିବାର ଆମେ ଦେଖୁଥିଲୁ, ହେଲେ ଆକ୍ରମଣ ଭୟରେ କିଛି କରିପାରିନଥିଲୁ। ଜଳି ଜଳି ଦୀପୁ ଦା’ଙ୍କ ମର ଶରୀର ତଳେ ପଡ଼ିଯାଇଥିଲା। ଆଉ ହସିଚାଲିଥିଲେ ଦଙ୍ଗାକାରୀ। ସେଠାରେ ମୁସଲିମ୍‌ଙ୍କ ସଂଖ୍ୟା ଅଧିକ ଥିଲା। ଦୀପୁ ଦା’ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା କରିନଥିବା ପ୍ରଶାସନ ସ୍ପଷ୍ଟ କରିଥିଲେ ବି କେହି ଶୁଣିନଥିଲେ। ହିନ୍ଦୁମାନଙ୍କ ପାଇଁ ସେମାନେ ଯେମିତି ରାକ୍ଷସ ପାଲଟିଯାଇଛନ୍ତି, ସେଭଳି ଅନୁଭବ ହେଉଥିଲା। ୨ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯିବା ପରେ ଏବେ ବାଂଲାଦେଶରେ ହିନ୍ଦୁମାନେ ଅସହାୟ ହୋଇପଡ଼ିଛନ୍ତି। ଅନେକ ଭୟରେ ଦେଶ ଛାଡ଼ିବାକୁ ନେହୁରା ହେଲେଣି। ବାଂଲାଦେଶରେ ହିନ୍ଦୁମାନଙ୍କ ଭବିଷ୍ୟତ କ’ଣ ହେବ ଏବେ ସେ ଡର ସେମାନଙ୍କ ମନରେ।

ଆହୁରି ପଢ଼ନ୍ତୁ: Tripura Student Killed In Dehradun: ଚାଇନିଜ୍ କହି ତ୍ରିପୁରା ଛାତ୍ରଙ୍କୁ ହତ୍ୟା କଲେ ଦୁର୍ବୃତ୍ତ