ମହିଳା ଶିକ୍ଷିତ ହୋଇଥିବାରୁ ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ

Advertisment
ମହିଳା ଶିକ୍ଷିତ ହୋଇଥିବାରୁ ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ

Image Courtesy: Bar & Bench

ମୁମ୍ବାଇ: ଜଣେ ମହିଳା ଶିକ୍ଷିତ ହୋଇଥିବା କାରଣରୁ ତାଙ୍କୁ ଜୀବିକା ନିର୍ବାହ ପାଇଁ କାମ କରିବାକୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ ଜଣିକିଆ ଖଣ୍ଡପୀଠ, ପୁଣେର ପାରିବାରିକ ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରି ଜଣେ ବ୍ୟକ୍ତିଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ‘ରିଭିଜନ୍‌’ (ସଂଶୋଧନ) ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ବିଚ୍ଛିନ୍ନ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ଶୁଣାଣି ସମୟରେ ଅଦାଲତ କହିଛନ୍ତି ଯେ ଜଣେ ମହିଳାଙ୍କ ପାଖରେ କାମ କରିବା କିମ୍ବା ଘରେ ରହିବାର ପସନ୍ଦ ତାଙ୍କ ନିଜସ୍ୱ। ଯଦିଓ କାମ କରିବା ପାଇଁ ସେ ଯୋଗ୍ୟ ଏବଂ କାମ କରିବା ପାଇଁ ଶିକ୍ଷାଗତ ଡିଗ୍ରି ତାଙ୍କ ନିକଟରେ ଅଛି, ତଥାପି ତାଙ୍କୁ କାମ କରିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ।

publive-image Image Courtesy: Bar & Bench

ଆମ ସମାଜ ଏପର୍ଯ୍ୟନ୍ତ ସ୍ୱୀକାର କରିନାହିଁ ଯେ ପରିବାରର ମହିଳା (ଆର୍ଥିକ ଦୃଷ୍ଟିରୁ) ଯୋଗଦାନ କରିବା ଉଚିତ। କାମ କରିବା ଜଣେ ମହିଳାଙ୍କ ନିଜସ୍ୱ ପସନ୍ଦ। ତାଙ୍କୁ କାମକୁ ଯିବାକୁ ବାଧ୍ୟ କରାଯାଇପାରିବ ନାହିଁ। କେବଳ ସେ ସ୍ନାତକ ହୋଇଥିବାରୁ ଏହାର ଅର୍ଥ ନୁହେଁ ଯେ ସେ ଘରେ ବସିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଡାଙ୍ଗରେ କହିଛନ୍ତି।
‘ଆଜି ମୁଁ ଏହି ଅଦାଲତର ବିଚାରପତି ଅଛି। ଆସନ୍ତାକାଲି, ଧରାଯାଉ ମୁଁ ଘରେ ବସିପାରେ। ତା’ପରେ ଆପଣ କହିବେ କି ମୁଁ ବିଚାରପତି ହେବାକୁ ଯୋଗ୍ୟ ଏବଂ ଘରେ ବସିବା ଉଚିତ୍‌ ନୁହେଁ?’ ବୋଲି ସେ କହିଛନ୍ତି।

ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଥିଲେ ଯେ ପାରିବାରିକ ଅଦାଲତ ତାଙ୍କ ମହକିଲଙ୍କୁତାଙ୍କ ବିଚ୍ଛିନ୍ନ ପତ୍ନୀଙ୍କୁ ଅଯୌକ୍ତିକ ଭାବେ ରକ୍ଷଣାବେକ୍ଷଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ତାଙ୍କ ବିଚ୍ଛିନ୍ନ ପତ୍ନୀ ଜଣେ ସ୍ନାତକ ଏବଂ କାମ କରିବା ଏବଂ ଜୀବିକା ନିର୍ବାହ କରିବାର କ୍ଷମତା ତାଙ୍କର ରହିଛି। ଆଡଭୋକେଟ୍‌ ଅଜିଙ୍କ୍ୟ ଉଡାନେଙ୍କ ମାଧ୍ୟମରେ ଦାଖଲ ହୋଇଥିବା ତାଙ୍କ ଆବେଦନରେ ବ୍ୟକ୍ତି ଜଣକ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ ତାଙ୍କ ବିଚ୍ଛିନ୍ନ ପତ୍ନୀଙ୍କର ବର୍ତ୍ତମାନ ଆୟର ଏକ ସ୍ଥିର ଉତ୍ସ ଅଛି, କିନ୍ତୁ ସେ ଏହି ତଥ୍ୟକୁ କୋର୍ଟରୁ ଲୁଚାଇ ରଖିଛନ୍ତି।

ଆବେଦନକାରୀ ପାରିବାରିକ ଅଦାଲତଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଯେଉଁଥିରେ ପାରିବାରିକ ଅଦାଲତର ବିଚାରପତି ତାଙ୍କୁ ତାଙ୍କ ବିଚ୍ଛିନ୍ନ ପତ୍ନୀଙ୍କୁ ପ୍ରତି ମାସରେ ୫,୦୦୦ ଟଙ୍କା ଏବଂ ବର୍ତ୍ତମାନ ତାଙ୍କ ସହିତ ରହୁଥିବା ତାଙ୍କ ୧୩ ବର୍ଷର ଝିଅର ରକ୍ଷଣାବେକ୍ଷଣ ପାଇଁ ୭,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe