PIA
ଇସ୍ଲାମାବାଦ: ସାଉଦି ଆରବରୁ ମୁଲତାନ୍ ଅଭିମୁଖେ ଉଡ଼ାଣ ଭରୁଥିବା ଏକ ବିମାନ ଭିତରେ ମଝି ଆକାଶରେ ଜନୈକା ମହିଳା ମଙ୍ଗଳବାର ଅପରାହ୍ଣରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।
ଖବରରୁ ପ୍ରକାଶ, ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନସ୍ (ପିଆଇଏ)ର ପିକେ ୭୧୬ ନମ୍ବର ବିମାନରେ ସଂପୃକ୍ତା ମହିଳା ଜଣକ ଯାତ୍ରା କରୁଥିଲେ। ତେବେ, ବିମାନଟି ମଝି ଆକାଶରେ ବିମାନଟି ଥିବାବେଳେ ମହିଳା ଜଣକ ଗର୍ଭବେଦନା ଅନୁଭବ କରିଥିଲେ। ଏପରି ସ୍ଥିତରେ ମହିଳାଜଣକଙ୍କୁ କିପରି ସାହାଯ୍ୟ ସହଯୋଗ ଯୋଗାଯାଇ ପାରିବ, ସେ ସଂପର୍କରେ ବିମାନର କର୍ମଚାରୀମାନେ ବୁଦ୍ଧିବାଟ ପାଇ ନ ଥିଲେ। ପରେ ମହିଳା ଜଣଙ୍କର ଗର୍ଭବେଦନା ପ୍ରବଳ ହେବାରୁ ବିମାନରେ ଥିବା ମହିଳା ବିମାନ ପରିଚାଳିକାମାନେ ତାଙ୍କୁ ସହଯୋଗ କରି ଏକ କନ୍ୟା ସନ୍ତାନକୁ ପ୍ରସବ କରାଇବାରେ ସଫଳ ହୋଇଥିଲେ।
ଏହି ଘଟଣାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ପିଆଇଏ ପକ୍ଷରୁ ଟୁଇଟ୍ କରି କୁହାଯାଇଛି, ‘ପ୍ରତ୍ୟେକ ଦିନ କିଛି ନା କିଛି ଅଲୌକିକ ଘଟଣା ଘଟିଥାଏ। ଏହି କ୍ରମରେ ଆଜି ପିକେ ୭୧୬ ବିମାନଟି ମଦିନାରୁ ମୁଲ୍ତାନ୍ ମଝିରେ ଆକାଶରେ ଉଡୁଥିବା ବେଳେ ସଂପୃକ୍ତ ବିମାନ ଭିତରେ ଏକ ଛୋଟ ଅଲୌକିକ ଘଟଣା ଘଟିଛି। ଯେଉଁଥିରେ ଏକ ସୁନ୍ଦର ଶିଶୁକନ୍ୟା ବିମାନ ଭିତରେ ଜନ୍ମ ନେଇଛି। ନୂତନ ଶିଶୁକନ୍ୟାର ଗର୍ବିତ ପିତାମାତାଙ୍କୁ ଆମେ ଅଭିନନ୍ଦନ ଜଣାଇବା ସହ ପ୍ରସବ କରାଇବାରେ ସାହାଯ୍ୟ କରିଥିବା ଆମର କ୍ୟାବିନ୍ କ୍ର୍ୟୁମାନଙ୍କୁ ଧନ୍ୟବାଦ ଜଣାଉଛୁ।’
ଏହି ଟୁଇଟ୍ ସହ ନବଜାତ ଶିଶୁକନ୍ୟାର ଫଟୋକୁ ମଧ୍ୟ ପୋଷ୍ଟ କରିଛି ପିଆଇଏ। ତେବେ, ବିମାନ ମଧ୍ୟରେ ପ୍ରସବ କରିଥିବା ମହିଳାଙ୍କର ପରିଚୟ ଏଯାବତ୍ ଜଣାପଡ଼ି ନାହିଁ।
Follow Us