ଭୋପାଳ: ନାଗରିକତା ସଂଶୋଧନ ଆଇନକୁ ନେଇ କେଉଁଠି ବିରୋଧ ଚାଲିଛି ତ ଆଉ କେଉଁଠି ସମର୍ଥନର ରାଲି । ଆଉ ଏହାରି ଭିତରେ ମଧ୍ୟପ୍ରଦେଶରୁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି, ଯାହା ବର୍ତମାନ ସମୟରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ।
୨୦୨୦ ଜାନୁଆରି ୧୯ ତାରିଖରେ ମଧ୍ୟପ୍ରଦେଶର ରାଜଗଡଠାରେ ଧାରା ୧୪୪ ଲାଗିଥିଲା । ଆଉ ଠିକ୍ ଏହି ସମୟରେ ଧାରା ୧୪୪ ଧାରାକୁ ଖାତିର ନ କରି ନାଗରିକତା ସଂଶୋଧନ ଆଇନ୍ ସମର୍ଥନରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ରାଲି ବାହାର କରିଥିଲେ। ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଘଟଣାସ୍ଥଳରେ ରାଜଗଡ଼ର ଉପଜିଲ୍ଲାପାଳ ପ୍ରିୟା ବର୍ମା ଯାଇ ପହଞ୍ଚିଥିଲେ ।
ଏହି ସମୟରେ କିଛି ଯୁକ୍ତିତର୍କ ଭିତରେ ଜଣେ ଉଦ୍ଧତ ବିଜେପି କର୍ମୀ ପ୍ରିୟା ବର୍ମାଙ୍କ ଚୁଟି ଭିଡି ଦେଇଥିଲେ । ଆଉ ଏହା ପରେ ଉକ୍ତ ବିଜେପି କର୍ମୀଙ୍କୁ ମହିଳା ଅଫିସର ସାବାଡ କରି ଗାଲରେ ଏକ ଶକ୍ତ ଚାପୁଡ଼ା ମାରିବା ସହ ରାସ୍ତା ମଝିକୁ ତାଙ୍କୁ ଘୋଷାଡ଼ି ଆଣିଥିଲେ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ମହିଳା ଉପଜିଲ୍ଲାପାଳ ପ୍ରିୟା ବର୍ମାଙ୍କୁ ସମସ୍ତେ ପ୍ରଂଶସା କରୁଛନ୍ତି ।
ଅନ୍ୟପଟେ ଏହି ଘଟଣାକୁ ନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଶିବରାଜ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଥିବା ନାଗରିକଙ୍କୁ ପିଟିବାର ଅଧିକାର ଉପଜିଲ୍ଲାପାଳଙ୍କୁ କିଏ ଦେଲା ବୋଲି ସେ ଟୁଇଟରେ ପ୍ରଶ୍ନ କରିଛନ୍ତି।
News18.comଉଲ୍ଲେଖଯୋଗ୍ୟ, ମାତ୍ର ୨୧ବର୍ଷ ବୟସରେ ଡେପୁଟି କଲେକ୍ଟର ହୋଇପାରିଥିବା ପ୍ରିୟା ବର୍ମାଙ୍କ ଘର ଇନ୍ଦୋରର ଏକ ଛୋଟ ଗାଁରେ ।୨୦୧୪ରେ ମଧ୍ୟପ୍ରଦେଶର ଲୋକସେବା ଆୟୋଗ ପରୀକ୍ଷାରେ ସେ ପାସ୍ କରିଥିଲେ । ସର୍ବପ୍ରଥମେ ତାଙ୍କ ନିଯୁକ୍ତି ଭୈରବଗଡ ଜେଲରେ ଜେଲର ଭାବେ ହୋଇଥିଲା । କିନ୍ତୁ ଆଇଏଏସ ହେବାର ଲକ୍ଷ୍ୟ ରଖିଥିବା ପ୍ରିୟା ନିଜର କଠିନ ପରିଶ୍ରମ ଏବଂ ଇଚ୍ଛାଶକ୍ତି ବଳରେ ୨୦୧୭ରେ ସେ ମଧ୍ୟପ୍ରଦେଶରେ ଚତୁର୍ଥ ର୍ୟାଙ୍କ ହାସଲ କରିଥିଲେ ଏବଂ ତାଙ୍କୁ ରାଜଗଡର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଥିଲା ।
Follow Us