ଚଳନ୍ତା ଟ୍ରେନ୍‌ ମଧ୍ୟରେ ମହିଳା ବିଚାରପତିଙ୍କ ଠାରୁ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଲେ ସଶସ୍ତ୍ର ଡକାୟତ

ଚଳନ୍ତା ଟ୍ରେନ୍‌ ମଧ୍ୟରେ ମହିଳା ବିଚାରପତିଙ୍କ ଠାରୁ ନଗଦ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିଲେ ସଶସ୍ତ୍ର ଡକାୟତ

ଭୋପାଳ (ମଧ୍ୟପ୍ରଦେଶ): ଟ୍ରେନ୍‌ରେ ଯାତ୍ରୀ ସୁରକ୍ଷା ପ୍ରତି ସରକାର ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ବୋଲି ଭାଷଣବାଜି ଚଳାଇଥିବା ବେଳେ କାଲି (ସୋମବାର) ମଧ୍ୟରାତ୍ରରେ ଏକ ଚଳନ୍ତା ଟ୍ରେନ୍‌ ମଧ୍ୟରେ ସଶସ୍ତ୍ର ଡକାୟତମାନେ ଜନୈକା ମହିଳା ବିଚାରପତିଙ୍କ ଠାରୁ ନଗଦ ଟଙ୍କା ସମେତ ସ୍ୱର୍ଣ୍ଣ ଅଳଙ୍କାର ଲୁଟ କରିବା ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମଧ୍ୟପ୍ରଦେଶ ରେଓ୍ଵା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ମହିଳା ବିଚାରପତି ଆରତୀ ଶୁକ୍ଳା ପାଣ୍ଡେ ଓ ଅନ୍ୟ ତିନିଜଣ ମହିଳା ଗତ ମୋମବାର ରାତିରେ ଏକ ରାତ୍ରିକାଳୀନ ଏକ୍ସପ୍ରେସ୍‌ ଟ୍ରେନ୍‌ର ଏଚ୍‌-୧ କୋଚ୍‌ରେ ଯାତ୍ରା କରୁଥିଲେ। ତେବେ, ଟ୍ରେନ୍‌ଟି ନରସିଂହପୁର ଷ୍ଟେସନ୍‌ ଛାଡ଼ି ଇନ୍ଦୋର ଓ ଜବଲପୁର ମଧ୍ୟରେ ଯାତ୍ରା କରୁଥିବା ବେଳେ ଚାରିଜଣ ମଧ୍ୟବୟସ୍କ ମୁଖାପିନ୍ଧା ଡକାୟତ ହାତରେ ବନ୍ଧୁକ ଓ ଖଣ୍ଡା ଧରି ଏଚ୍‌-୧ କୋଚ୍‌ ମଧ୍ୟକୁ ପ୍ରବେଶ କରିଥିଲେ। ପ୍ରଥମେ ସେମାନେ ଯାତ୍ରୀମାନଙ୍କୁ ଭୟଭୀତ କରାଇବା ପରେ ମହିଳା ବିଚାରପତି ଶ୍ରୀମତୀ ପାଣ୍ଡେଙ୍କ ନିକଟକୁ ଆସି ତାଙ୍କ ବେକରେ ଖଣ୍ଡା ଲଗାଇ ତାଙ୍କ ଭ୍ୟାନିଟି ବ୍ୟାଗ୍‌ରୁ ନଗଦ ୧୦ ହଜାର ଟଙ୍କା ସମେତ ତାଙ୍କ ଏଟିଏମ୍‌ କାର୍ଡ ମୋବାଇଲ ଫୋନ୍‌ ଓ ପିନ୍ଧିଥିବା ସୁନା ଚେନ୍‌, ଚୁଡ଼ି ଓ କାନଫୁଲ ଇତ୍ୟାଦିକୁ ଲୁଟି ନେଇଥିଲେ। ପରେ ସେମାନେ ସମାନ ବଗିରେ ଏକାକୀ ଯାତ୍ରା କରୁଥିବା ଅନ୍ୟ ତିନିଜଣ ମହିଳା ଯାତ୍ରୀଙ୍କ ନିକଟକୁ ଯାଇ ସମାନ ଢ଼ଙ୍ଗରେ ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଓ ପିନ୍ଧିଥିବା ଗହଣାକୁ ଲୁଟ କରି ଚେନ୍‌ ଟାଣି ଟ୍ରେନ୍‌କୁ ଅଟକାଇବା ସହ ଟ୍ରେନ୍‌ରୁ ଡେଇଁ ଫେରାର୍‌ ହୋଇ ଯାଇଥିଲେ।

publive-image

ଏହି ଘଟଣା ପରେ ପରବର୍ତ୍ତୀ ଷ୍ଟେସନ୍‌ରେ ଓହ୍ଲାଇ ମହିଳା ବିଚାରପତି ଶ୍ରୀମତୀ ପାଣ୍ଡେ ଘଟଣା ସଂପର୍କରେ ଅଭିଯୋଗ କଲାପରେ ଜିଆରପି ପକ୍ଷରୁ ଘଟଣାରେ ସଂପୃକ୍ତ ଡକାୟତମାନଙ୍କୁ ଧରିବା ପାଇଁ ବ୍ୟାପକ ତନାଘନା ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାବତ୍‌ ସେମାନଙ୍କୁ ଗିରଫ କରାଯାଇ ପାରିନାହିଁ। ଅନ୍ୟ ପକ୍ଷରେ ଘଟଣାରେ ସଂପୃକ୍ତ ଡକାୟତମାନଙ୍କ ସଂପର୍କରେ ସୂଚନା ପ୍ରଦାନ କଲେ ସୂଚନା ପ୍ରଦାନକାରୀକୁ ୩୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଜିଆରପି ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe