Image Courtesy of Times Now
ନୂଆଦିଲ୍ଲୀ: ବାନ୍ତି ଲାଗିବାରୁ ବସ୍ର ଝରକା ବାଟେ ମୁହଁ ବାହାର କରିଥିବା ବେଳେ ଅନ୍ୟ ଏକ ଗାଡ଼ିରେ ମୁଣ୍ଡ ପିଟି ହୋଇଯିବାରୁ ବୁଧବାର ଦିନ ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ଦିଲ୍ଲୀର ଅଲିପୁର ଅଞ୍ଚଳରେ ଘଟିଥିବା ଏହି ଅଘଟଣରେ ମରିଥିବା ଯୁବତୀ ହେଉଛନ୍ତି ଉତ୍ତର ପ୍ରଦେଶ ଅନ୍ତର୍ଗତ ପ୍ରତାପଗଡ଼ ଜିଲ୍ଲାର ବାବ୍ଲି। ରକ୍ଷାବନ୍ଧନ ଅବସରରେ ସେ ପଞ୍ଜାବରେ ଥିବା ତା’ର ଭାଇଙ୍କ ପାଖକୁ ଯାଉଥିଲେ।
ଦୁର୍ଘଟଣାରେ ଆହତ ହୋଇଥିବା ଅବସ୍ଥାରେ ସେ ଯୁବତୀଙ୍କୁ ତୁରନ୍ତ ନରେଲା ଅଞ୍ଚଳରେ ଥିବା ‘ଏସ୍ଆର୍ଏଚ୍ସି’ ହସ୍ପିଟାଲ୍କୁ ନିଆଯିବା ସହିତ ପୁଲିସକୁ ସୂଚନା ଦିଆଯାଇଥିଲା। କିନ୍ତୁ, ସେ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।
ପୁଲିସ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ବାବ୍ଲିଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଡେପୁଟି ପୁଲିସ କମିସନର୍ ରବି କୁମାର ସିଂହ କହିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ପ୍ରତାପଗଡ଼ରୁ ଲୁଧିଆନା ଯାଉଥିବା ବାବ୍ଲିଙ୍କ ସାଥିରେ ତାଙ୍କର ଭଉଣୀ ପୂନମ୍ ଓ ଭିଣୋଇ ସନ୍ତୋଷ ଓ ସେମାନଙ୍କର ୩ଜଣ ପିଲା ଥିଲେ। ଦିଲ୍ଲୀର କଶ୍ମୀରୀ ଗେଟ୍ସ୍ଥିତ ‘ଇଣ୍ଟର୍ ଷ୍ଟେଟ୍ ବସ୍ ଟର୍ମିନାଲ୍’ରେ ହରିୟାଣା ରୋଡ୍ୱେଜ୍ ବସ୍ ଧରିଥିଲେ। ଖାମ୍ପୁର (ଆଲିପୁର) ନିକଟରେ ସେ ବାନ୍ତି କରିବା ଲାଗି ବସ୍ ଝରକାରୁ ମୁହଁ କାଢ଼ିଥିବା ବେଳେ ପଛଆଡୁ ବସ୍ର ଡ୍ରାଇଭର୍ ବସିଥିବା ପାଖ ଦେଇ ଗୋଟାଏ ଗାଡ଼ି ଆସି ତାଙ୍କ ମୁଣ୍ଡରେ ପିଟି ହୋଇଯାଇଥିଲା।
ଧକ୍କା ଦେଇଥିବା ଯାନଟି ଗୋଟାଏ ଟେମ୍ପୋ ବୋଲି ଜଣାପଡ଼ିଛି। ଟ୍ରାଫିକ୍ ଜାମ ଏଡ଼ାଇବାକୁ ଟେମ୍ପୋ ଡ୍ରାଇଭର୍ ଭୁଲ୍ ରାସ୍ତାରେ ଆସିବାରୁ ଦୁର୍ଘଟଣା ଘଟିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।
ତାଙ୍କୁ ଧରିବା ଲାଗି ପୁଲିସ ‘ସିସିଟିଭି ଫୁଟେଜ୍’ ଯାଞ୍ଚ କରୁଛି।
Follow Us