ନୂଆଦିଲ୍ଲୀ: କିଛିଦିନ ହେବ କୃତ୍ତିମ ନଖ ଲଗାଇବାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ନକଲି ନଖଗୁଡ଼ିକ ଏକ ବିଶେଷ ପ୍ରକାରର ପ୍ଲାଷ୍ଟିକରେ ତିଆରି ହୋଇଥାଏ । ଯାହାକୁ ମହିଳାମାନେ ନିଜ ପସନ୍ଦ ମୁତାବକ ଆକାର ଦେଇ ଖୁବ ସୁନ୍ଦର ଭାବେ ନେଲପଲିସ ସାହାଯ୍ୟରେ ସଜାଇ ଥାଆନ୍ତି। କିନ୍ତୁ ଏସବୁ ଅଭ୍ୟାସ ସମୟ ସମୟରେ ଅସୁବିଧାରେ ବି ପକାଇଥାଏ।
ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡର ହଲ ପୂର୍ବ ୟର୍କସାୟାରରେ ଶିକ୍ଷୟିତ୍ରୀ ଥିବା ତଥା ତିନିଜଣ ପିଲାଙ୍କ ମାଆ ଲୁସି ଥମ୍ପସନ୍ ସୌନ୍ଦର୍ଯ୍ୟ ପ୍ରେମୀ ମହିଳାମାନଙ୍କୁ କିଛି ଅନୁରୋଧ କରିବା ସହିତ ନିଜର ଦୁର୍ଦ୍ଦଶା ବଖାଣିଛନ୍ତି।
ଲୁସି ଥମ୍ପସନ୍ କହିଛନ୍ତି, ’ଯେଉଁ ମହିଳାମାନେ ନିୟମିତ ଭାବରେ ସେମାନଙ୍କର ନଖ ଉପରେ ନକଲି ନଖ ଲଗାଇ ସଜେଇ ହେବାକୁ ପସନ୍ଦ କରନ୍ତି ସେମାନଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ନଚେତ ଆଗାମୀ ଦିନରେ ମୋ ଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ିବ। କିଛିଦିନ ତଳେ ମୁଁ ମୋ ନଖତଳେ କର୍କଟ ଆରମ୍ଭର ସଙ୍କେତ ପାଇଛି। ଯାହାକି ଜୀବନ ପ୍ରତି ବିପଦ ଥିବା କର୍କଟର ପ୍ରାରମ୍ଭିକ ଅବସ୍ଥା ଥିଲା। ଅସ୍ତ୍ରୋପଚାର ମୋର ସଫଳ ହୋଇଛି। ତଥାପି ନିୟମିତ ଯାଞ୍ଚ କରିବାକୁ ପଡ଼ୁଛି।’
ସୂଚନାଯୋଗ୍ୟ, ୨୦୨୩ ଏପ୍ରିଲରେ ଲୁସି ତାଙ୍କ ବାମ ବୁଢ଼ା ଆଙ୍ଗୁଳି ଉପରୁ ନକଲି ନଖ କାଢ଼ିବା ସମୟରେ ଏକ ପରସ୍ଥ ଦେଖିବାକୁ ପାଇଥିଲେ। ଯାହାକୁ ଦେଖିବା ପରେ ତାଙ୍କ ମନରେ କିଛି ସନ୍ଦେହ ଉପୁଜିଥିଲା। ତେଣୁ ସେ ଅଧିକା କିଛି ଚିନ୍ତା ନକରି ପରୀକ୍ଷା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ।
ସେଠାରେ ଡାକ୍ତର ତାଙ୍କ ନଖର ପରୀକ୍ଷା ପରେ ଏକ ବିରଳ କର୍କର ରୋଗର ଆରମ୍ଭ ପର୍ଯ୍ୟାୟ ବୋଲି କହିଥିଲେ। ଯାହାକି ନଖ ତଳେ ବିକଶିତ ହୋଇଥାାଏ। ତୁରନ୍ତ ଡାକ୍ତରମାନେ ଲୁସିଙ୍କୁ ନଖର ଅସ୍ତ୍ରୋପଚାର ପାଇଁ କହିଥିଲେ। କାରଣ ଯଦି ଏହା ବିଳମ୍ବ ହୁଏ ତେବେ ଏହା ଶରୀରର ଅନ୍ୟ ଅଂଶକୁ ମାଡ଼ି ଯିବାର ସମ୍ଭାବନା ରହିଛି। ଯାହାକି ଜୀବନ ପ୍ରତି ବିପଦ ବି ରହିଛି।
Follow Us