ଗୋଟିଏ ଝିଅ ସାଙ୍ଗେ ଦଶଟି ପୁଅ ସମାନ

‘ମନ୍‌ କୀ ବାତ୍‌’ରେ ମହିଳା ସଶକ୍ତୀକରଣ

ଗୋଟିଏ ଝିଅ ସାଙ୍ଗେ ଦଶଟି ପୁଅ ସମାନ

ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରେଡିଓ ବାର୍ତ୍ତାରେ ଦେଶବାସୀଙ୍କୁ ଶୁଣାଇଥିବା ୨୦୧୮ ମସିହା ପାଇଁ ତାଙ୍କର ପ୍ରଥମ ‘ମନ୍‌ କୀ ବାତ୍‌’ରେ ମହିଳା ସଶକ୍ତୀକରଣର ସନ୍ଦେଶ ବାଣ୍ଟିଛନ୍ତି। ଏଥି ସହିତ ଜନ ଔଷଧି ଯୋଜନା ଏବଂ ପଦ୍ମ ପୁରସ୍କାର ବିଜେତାମାନଙ୍କ ସମ୍ପର୍କରେ ମଧ୍ୟ ତାଙ୍କ ୪୦ତମ ମନର କଥାରେ ସ୍ଥାନ ଦେଇଛନ୍ତି। ସମ୍ପ୍ରତି ଆମେ ‘ବେଟି ବଚାଓ, ବେଟି ପଢ଼ାଓ’ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଅତୀତରେ ଆମ ପବିତ୍ର ଗ୍ରନ୍ଥଗୁଡ଼ିକରେ ଦଶଟି ପୁଅର ମୂଲ୍ୟ ଗୋଟିଏ ଝିଅ ସାଙ୍ଗେ ସମାନ ବୋଲି ଲେଖା ହୋଇଥିବା କଥା ମୋଦି କହିଛନ୍ତି। ସେହିପରି ଝିଅମାନଙ୍କ ପାଇଁ କୌଣସି କଥା ଅସମ୍ଭବ ନୁହେଁ ବୋଲି ସେ ଗୁରୁତ୍ୱାରୋପ କରିବା ସହ ଭାରତୀୟ ମହାକାଶଚାରିଣୀ କଳ୍ପନା ଚାଓ୍ଵଲା ଏଥିପାଇଁ ଅନନ୍ୟ ଆଦର୍ଶ ସୃଷ୍ଟି କରି ଯାଇଥିବା କଥା ମୋଦି ଉଲ୍ଲେଖ କରିଛନ୍ତି। ଅପରପକ୍ଷେ, କେବଳ ୪୧ ଜଣ ମହିଳା କର୍ମଚାରୀଙ୍କୁ ନେଇ ପରିଚାଳିତ ଦେଶର ମାତୁଙ୍ଗା ରେଳଷ୍ଟେସନ ଭିନ୍ନ ରେକର୍ଡ କରିବା ସହ ମହିଳା ସଶକ୍ତୀକରଣର ଅନ୍ୟତମ ଉଦାହରଣ ବୋଲି ମୋଦି କହିଛନ୍ତି। ଭାବନା କାନ୍ତ, ମୋହନା ସିଂହ ଏବଂ ଅବନୀ ଚତୁର୍ବେଦୀଙ୍କ ପରି ମହିଳା ସୁଖୋଇ-୩୦ ପରି ଯୁଦ୍ଧ ବିମାନର ପାଇଲଟ୍‌ ସାଜିବା ମଧ୍ୟ ଭାରତୀୟ ନାରୀ ଶକ୍ତିର ନିଆରା ନମୁନା ବୋଲି ସେ କହିଛନ୍ତି। ଛତିଶଗଡ଼ର ଦାନ୍ତେଓ୍ଵାଡ଼ାରେ ନକ୍ସଲମାନେ ତାଣ୍ଡବ ରଚାଉଥିବା ବେଳେ ସେଠାରେ ଆଦିବାସୀ ମହିଳାମାନେ ଇ-ରିକ୍ସା ଚଳାଇ ଗୁଜରାଣ ମେଣ୍ଟାଇବା କିଛି ଛୋଟ କଥା ନୁହେଁ।

ସାଧାରଣ ଲୋକଙ୍କ ଉପଲବ୍ଧି ପାଇଁ ଦେଶରେ ୩,୦୦୦ରୁ ଅଧିକ ଜନ ଔଷଧି କେନ୍ଦ୍ର ଖୋଲାଯାଇ ରିହାତି ମୂଲ୍ୟରେ ସବୁ ପ୍ରକାରର ଔଷଧ ବଣ୍ଟାଯାଉଛି ବୋଲି ମୋଦି ସୂଚନା ଦେଇଥିଲେ। ସେହିପରି ଲକ୍ଷ୍ମୀକୁଟ୍ଟି, ସୁହାସିନୀ ମିସ୍ତ୍ରି ଏବଂ ଅରବିନ୍ଦ ଗୁପ୍ତାଙ୍କ ପରି ପଦ୍ମ ପୁରସ୍କାର ବିଜେତାମାନଙ୍କୁ ମଧ୍ୟ ମୋଦି ଅଭିନନ୍ଦନ ଜଣାଇଥିଲେ। ସମ୍ପ୍ରତି ସମାଜରେ ଦେଖାଦେଉଥିବା ବିଭିନ୍ନ ପ୍ରକାର କୁସଂସ୍କାର ଓ ଅପସଂସ୍କୃତିକୁ ହଟାଇବା ଲାଗି ବ୍ୟକ୍ତିଗତ ଏବଂ ସାମୂହିକ ଉଦ୍ୟମ ଅତ୍ୟନ୍ତ ଲୋଡ଼ା ବୋଲି ସେ ଆହ୍ଵାନ କରିଛନ୍ତି। ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ବିହାରରେ ହୋଇଥିବା ୧୩ ହଜାର କିମି ବିଶିଷ୍ଟ ବିଶ୍ୱର ବୃହତ୍ତମ ମାନବ ଶୃଙ୍ଖଳକୁ ମୋଦି ଭୂୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe