Image Courtesy of India Today
ନୂଆଦିଲ୍ଲୀ: ମହିଳା ପୁଲିସ କର୍ମଚାରୀମାନେ ଭାରତର ଲକ୍ଷ ଲକ୍ଷ ଝିଅମାନଙ୍କର ଆଦର୍ଶ ପାଲଟୁଥିବା କଥା ପ୍ରଧାନମନ୍ତ୍ରୀ ମୋଦୀ ଆଜି ‘ମନ୍କୀ ବାତ୍’ର ୮୨ତମ ସଂସ୍କରଣରେ କହିଛନ୍ତି।
ସେ କହିଛନ୍ତି, କେନ୍ଦ୍ରୀୟ ସଶସ୍ତ୍ର ବଳ ସମେତ ଦେଶର ପୁଲିସ ବିଭାଗରେ ମହିଳାଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଯାଇଛି। ଆଜି ସବୁକ୍ଷେତ୍ରରେ ଭାରତୀୟ ମହିଳାମାନେ ସେମାନଙ୍କର ପାରଦର୍ଶିତା ପ୍ରଦର୍ଶନ କରୁଛନ୍ତି। ଆଜି ଆମେ ପାଳନ କରୁଥିବା ‘ସଂଯୁକ୍ତ ରାଷ୍ଟ୍ର ଦିବସ’ରେ ମଧ୍ୟ ଭାରତୀୟ ମହିଳାମାନେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି।
ଏହି ବେତାର କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାଭାଇରସ୍ ରୋଗ ବିପକ୍ଷରେ ଦେଶର ଟିକାକରଣ ଅଭିଯାନକୁ ପ୍ରଶଂସା କରିବା ସହ ଅକ୍ଳାନ୍ତ କଠିନ ଶ୍ରମ କରିଥିବା ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ଅଭିବାଦନ ଜଣାଇ କହିଛନ୍ତି ଯେ, ନାଗରିକମାନଙ୍କୁ ଟିକା ଦେବାରେ ସେମାନେ ସବୁ ପ୍ରକାର ଉଦ୍ୟମ କରିଛନ୍ତି।
ଦେଶର ଏକତା ଏବଂ ମହାନତା ପାଇଁ କିଛି ନା କିଛି କରିବା ଲାଗି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭାରତବାସୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଏହି କାମ କେତେ ଆତ୍ମସନ୍ତୋଷ ଦେବ ତାହା ଆପଣମାନେ ହୃଦୟଙ୍ଗମ କରିପାରିବେ।
ସେ କହିଛନ୍ତି, ଆଗାମୀ ରବିବାର, ଅକ୍ଟୋବର ୩୧ ତାରିଖ ହେଉଛି ସର୍ଦାର୍ ପଟେଲଙ୍କ ଜୟନ୍ତୀ। ‘ମନ୍କୀ ବାତ୍’ର ସମସ୍ତ ଶ୍ରୋତା ଏବଂ ମୋ ତରଫରୁ, ମୁଁ ଭାରତର ଲୌହମାନବଙ୍କ ପ୍ରତି ସମ୍ମାନ ଜ୍ଞାପନ କରୁଛି। ସର୍ଦାର ପଟେଲ୍ଙ୍କ ଜୀବନ ଓ ଆଦର୍ଶରୁ ଆମେ ବହୁତ କିଛି ଶିଖି ପାରିବା। ନିକଟରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସର୍ଦାର ପଟେଲଙ୍କ ଉପରେ ଏକ ସଚ୍ଚିତ୍ର ଜୀବନୀ ପ୍ରକାଶ କରିଛି। ଏହାକୁ ନିଶ୍ଚୟ ପଢ଼ିବା ପାଇଁ ତରୁଣ ବନ୍ଧୁମାନଙ୍କୁ ମୋର ଅନୁରୋଧ।
Image Courtesy of The Hinduରବିବାର ଦିନ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଭାରତକୁ ସଂଯୋଗ କରୁଥିବା ‘ମୁରୁଜ କୋଠି’ (ହିନ୍ଦୀରେ ରଙ୍ଗୋଲୀ), ‘ନାନାବାୟା ଗୀତ’ ଏବଂ ଅନ୍ୟାନ୍ୟ ଗୀତ ଆଧାରିତ ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବ। ସ୍ୱାଧୀନତାର ‘ଅମୃତ ମହୋତ୍ସବ’ରେ ସଂସ୍କୃତି ବିଭାଗ ‘ରଙ୍ଗୋଲୀ ମହୋତ୍ସବ ପ୍ରତିଯୋଗିତାକୁ ଅନ୍ତର୍ଭୁକ୍ତ କରିଛି। ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ଭାଷାରେ ରଚିତ ଦେଶାତ୍ମବୋଧକ ଏବଂ ଭକ୍ତି ସଙ୍ଗୀତ ସମଗ୍ର ଦେଶକୁ ଏକତ୍ର କରିଥିଲା।
ବିର୍ସା ମୁଣ୍ଡାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଲେ, ଆସନ୍ତା ମାସରେ ଭାରତ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିବ। ତାଙ୍କ ଜୀବନ ଆମକୁ ନିଜସ୍ୱ ସଂସ୍କୃତି ପ୍ରତି ଗର୍ବବୋଧ, ପରିବେଶ ଯତ୍ନ ଏବଂ ଅନ୍ୟାୟ ବିରୋଧରେ ସଂଗ୍ରମ ଭଳି ଅନେକ ଜିନିଷ ଶିକ୍ଷା ଦେଇଛି।
ଜାତିସଂଘ ଦିବସ ଉପଲକ୍ଷେ ପ୍ରଧାମନ୍ତ୍ରୀ କହିଛନ୍ତି ଯେ, ଜାତିସଂଘର ପ୍ରଭାବ ଓ କ୍ଷମତା ବୃଦ୍ଧି କରାଇବାରେ ଭାରତର ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ୧୯୪୭-୪୮ରେ ଜାତିସଂଘ ମାନବ ଅଧିକାରର ସାର୍ବଜନୀନ ଘୋଷଣାନାମା ପ୍ରସ୍ତୁତି ସମୟରେ ଉକ୍ତ ଘୋଷଣାନାମାରେ ଉଲ୍ଲେଖ ଥିଲା ‘ସବୁ (ମେନ୍) ପୁରୁଷ ସମାନ ଭାବେ ସୃଷ୍ଟି କରାଯାଇଛି। କିନ୍ତୁ, ହଂସ ମେହେଟା ନାମକ ଜଣେ ଭାରତୀୟ ପ୍ରତିନିଧି ଏହା ଉପରେ ଆପତ୍ତି ଉଠାଇବାରୁ ତାହା ‘ସବୁ ମାନବ ସମାନ ଭାବେ ସୃଷ୍ଟି କରାଯାଇଛନ୍ତି’ ବୋଲି ଲେଖାଗଲା। ଉପରୋକ୍ତ କଥା ଭାରତର ସୁପ୍ରାଚୀନ ପରମ୍ପରା ଉପରେ ଅଧାରିତ। ବିଶ୍ୱ ଶାନ୍ତି ପାଇଁ ଭାରତ ସର୍ବଦା କାର୍ଯ୍ୟ କରିଛି।
ଭାରତର ଡ୍ରୋନ୍ ଟେକ୍ନୋଲୋଜି ମଧ୍ୟ ଉନ୍ନତ ହୋଇଛି। କୋଭିଡ୍-୧୯ ଟିକା ଏବଂ କୃଷି ଯୋଗାଣ କ୍ଷେତ୍ରରେ ଡ୍ରୋନ୍ ଉପଯୋଗ ହେଉଛି। କେନ୍ଦ୍ରର ନୂତନ ‘ଡ୍ରୋନ୍ ନୀତି’ର ସଦୁପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଶର ତରୁଣମାନଙ୍କୁ କହିଛନ୍ତି। ଆମ ବିଶ୍ୱକୁ ଅଧିକ ସୁନ୍ଦର କରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ।
Follow Us