ନୀରଜଙ୍କୁ ବିଶ୍ବ ସ୍ବର୍ଣ୍ଣ: ଶ୍ରେଷ୍ଠ ପ୍ରଦର୍ଶନ ସହ କିଶୋର ପଞ୍ଚମ, ମନୁ ଷଷ୍ଠ

Advertisment
ନୀରଜଙ୍କୁ ବିଶ୍ବ ସ୍ବର୍ଣ୍ଣ: ଶ୍ରେଷ୍ଠ ପ୍ରଦର୍ଶନ ସହ କିଶୋର ପଞ୍ଚମ, ମନୁ ଷଷ୍ଠ

ବୁଦାପେଷ୍ଟ: ଭାରତୀୟ କ୍ରୀଡ଼ାରେ ରବିବାର ସବୁଠାରୁ ଶ୍ରେଷ୍ଠ ମୁହୂର୍ତ୍ତ ଯୋଡ଼ି ହୋଇଛି। ବିଶ୍ବ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି। ଅଲିମ୍ପିକ ସ୍ବର୍ଣ୍ଣ ବିଜୟର ଠିକ୍‌ ଦୁଇ ବର୍ଷ ପରେ ମହାନତମ ଖେଳାଳି ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହାଫଳରେ ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ (ଅଲିମ୍ପିକ, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା) ସ୍ବର୍ଣ୍ଣ ପଦକ କବ୍‌ଜା କରିବାରେ ସେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ନୀରଜଙ୍କ ଏହି ଐତିହାସିକ ସଫଳତାରେ ଦେଶ ଉତ୍ସବମୁଖର ହୋଇଯାଇଛି। ତାଙ୍କୁ କ୍ରୀଡ଼ାପ୍ରେମୀଙ୍କ ସହ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଅଭିନନ୍ଦନ ଜଣାଇଛନ୍ତି। ମଧ୍ୟରାତ୍ରୀରେ ନୀରଜଙ୍କୁ ଟ୍ୟାଗ୍‌ କରି ସୋସିଆଲ୍‌ ମିଡିଆ ମଧ୍ୟ ଚଳଚଞ୍ଚଳ ହୋଇଉଠିଛି।

ବୁଦାପେଷ୍ଟରେ ରବିବାର ହୋଇଥିବା ପୁରୁଷ ଜାଭଲିନ୍‌ ଫାଇନାଲ୍‌ରେ ନୀରଜ ଫାଉଲ୍‌ରୁ ଆରମ୍ଭ କରିଥିଲେ ହେଁ ଦ୍ବିତୀୟ ପ୍ରୟାସରୁ ସ୍ବର୍ଣ୍ଣ ପାଇଁ ଦାବିଦାର ରହିଥିଲେ। ଦ୍ବିତୀୟ ପ୍ରୟାସରେ ୮୮.୧୭ ମିଟର ଜାଭଲିନ୍‌ ଫିଙ୍ଗି ସେ ଏହି ସଫଳତା ପାଇଥିଲେ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନର ଅର୍ଶଦ ନଦୀମ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ୮୭.୮୨ ମିଟରରେ ରୌପ୍ୟ ଏବଂ ଚେକ୍‌ ରିପବ୍ଲିକ୍‌ର ଜାକବ ଭାଦଲେଜକ ୮୬.୬୭ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ଏଥିସହ ନୀରଜଙ୍କ ସୋ-କେସ୍‌ରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ସ୍ବର୍ଣ୍ଣ ପାଇଁ ଥିବା ଖାଲିସ୍ଥାନ ଏବେ ପୂରଣ ହୋଇଯାଇଛି। ଏଥିପୂର୍ବରୁ ଗତବର୍ଷ ରୌପ୍ୟ ଓ ୨୦୧୭ରେ ୧୫ତମ ସ୍ଥାନରେ ରହିଥିଲା ବେଳେ ସ୍ବର୍ଣ୍ଣ ସ୍ବପ୍ନ ସାକାର ହୋଇଛି। ଓଡ଼ିଆ ଜାଭଲିନ୍‌ ଥ୍ରୋୟର କିଶୋର କୁମାର ଜେନା ପଦକ ପାଇନଥିଲେ ମଧ୍ୟ ନିରାଶ କରିନାହାନ୍ତି। ଦମ୍‌ଦାର ପ୍ରଦର୍ଶନ ସହ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୮୪.୭୭ ମିଟର) ଦେଇ କିଶୋର ପଞ୍ଚମ ସ୍ଥାନରେ ରହିଥିଲା ବେଳେ ଡିପି ମନୁ ୮୪.୧୪ ମିଟରରେ ତାଙ୍କ ତଳକୁ ରହି

ଅଭିଯାନ ଶେଷ କରିଥିଲେ। ଅର୍ଶଦ ତାଙ୍କ ୬ଟି ପ୍ରସାୟରେ ଯଥାକ୍ରମେ ୭୪.୮୦ ମିଟର, ୮୨.୮୧ ମିଟର, ୮୭.୮୨ ମିଟର, ୮୭.୧୫ ମିଟର, ଫାଉଲ୍‌ ଓ ୮୧.୮୬ ମିଟର ପ୍ରଦର୍ଶନ ଦେଇଥିଲେ। ଇଭେଣ୍ଟ ଆରମ୍ଭରୁ ସମସ୍ତ ଭାରତୀୟଙ୍କ ନଜର ନୀରଜ, ମନୁ ଓ କିଶୋରଙ୍କ ଉପରେ ରହିଥିଲା। ଚତୁର୍ଥ ସ୍ଥାନରେ ଜାଭଲିନ୍‌ ଫିଙ୍ଗିବା ପାଇଁ ନୀରଜ ଆସିଥିଲା ବେଳେ ପ୍ରଥମ ପ୍ରୟାସ ଫାଉଲ ହୋଇଥିଲା। ମନୁ ୭୮.୪୪ ମିଟର ଓ କିଶୋର ୭୫.୭୦ ମିଟରରୁ ଅଭିଯାନ ଆରମ୍ଭ କରିଥିଲେ। ଦ୍ବିତୀୟ ପ୍ରୟାସରେ ନୀରଜ ସତର୍କତାର ସହ ଆତ୍ମବିଶ୍ବାସ ଭରା ଜାଭଲିନ୍‌ ଫିଙ୍ଗିଥିଲେ। ଏହି ପ୍ରୟାସରେ ସେ ୮୮.୧୭ ମିଟର ଫିଙ୍ଗି ସ୍ବର୍ଣ୍ଣ ନିଶ୍ଚିତ କରିଥିଲେ। ମନୁ କିନ୍ତୁ ଫାଉଲ୍‌ ସହ ନିରାଶ କରିଥିଲେ। କିଶୋର ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣି ୮୨.୮୨ ମିଟରରେ ଦ୍ବିତୀୟ ରାଉଣ୍ଡ ଶେଷ କରିଥିଲେ। ତୃତୀୟ ରାଉଣ୍ଡରେ ନୀରଜ ୮୬.୩୨ ମିଟର, ମନୁ ୮୩.୭୨ ମିଟର ଫିଙ୍ଗିବା ବେଳେ କିଶୋରଙ୍କ ଥ୍ରୋ ଫାଉଲ୍‌ ହୋଇଥିଲା। ତଥାପି ଦ୍ବିତୀୟ ରାଉଣ୍ଡ ମାର୍କ ପାଇଁ ତିନି ଭାରତୀୟ ଶେଷ ୮ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

ଚୂଡ଼ାନ୍ତ ପର୍ଯ୍ୟାୟର ପ୍ରଥମ ପ୍ରୟାସରେ କିଶୋର ୮୨.୫୫ ମିଟରରୁ ଆରମ୍ଭ କରିଥିଲା ବେଳେ ମନୁ ପୁଣି ଫାଉଲ୍‌ ହୋଇଥିଲେ। ନୀରଜ ୮୪.୬୪ ମିଟରରେ ଏହି କ୍ରମ ଶେଷ କରିଥିଲେ। ଏହି ପର୍ଯ୍ୟାୟର ଦ୍ବିତୀୟ ପ୍ରୟାସରେ କିନ୍ତୁ କିଶୋର ୮୪.୭୭ ମିଟର ଜାଭଲିନ୍‌ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ମନୁ ୮୩.୪୮ ଓ ନୀରଜ ୮୭.୭୩ ମିଟର ଫିଙ୍ଗିଥିଲେ। ଶେଷ ପ୍ରୟାସ ଉପରେ ସମସ୍ତଙ୍କ ନଜର ଜମିଥିଲା। ଏଥର କିଶୋର ଦ୍ବିତୀୟ ଥର ଫାଉଲ୍‌ ହୋଇଥିଲା ବେଳେ ମନୁ ୮୪.୧୪ ମିଟର ଓ ନୀରଜ ୮୩.୯୮ ମିଟର ପ୍ରଦର୍ଶନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe