Image Courtesy of NDTV
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ବିଶ୍ବ ଆଉ ଏକ ସଙ୍କଟରେ ସମ୍ମୁଖୀନ ହେବାକୁ ଯାଉଛି ଏବଂ ତାହା ‘ବାଲି ଅଭାବ’ ବୋଲି ଗତ ସପ୍ତାହରେ ପ୍ରକାଶିତ ରିପୋର୍ଟରେ ଜାତିସଂଘ କହିଛି।
ବାଲି ହେଉଛି ପୃଥିବୀରୁ ସବୁଠୁ ଅଧିକ ଉତ୍ତୋଳନ କରାଯାଉଥିବା କଠିନ ସାମଗ୍ରୀ ଏବଂ ପାଣି ପରେ ବିଶ୍ବବ୍ୟାପୀ ବ୍ୟବହାର ହେଉଥିବା ଦ୍ବିତୀୟ ବୃହତ୍ ସମ୍ବଳ। ଆଜିକାଲି ଏହାର ଅବାଧ ବ୍ୟବହାର ବଢ଼ି ଚାଲିଛି। ଅର୍ଥାତ୍ ଆମେ ଯେତେ ଦ୍ରୁତ ବେଗରେ ବାଲିକୁ କାମରେ ଲଗାଉଛୁ, ସେତିକି ଦ୍ରୁତ ବେଗରେ ପ୍ରକୃତି ତାହାକୁ ପରିପୂରଣ କରିପାରୁ ନାହିଁ। ଏବେ ଆମେ ଯେତେ ପରିମାଣର ବାଲି ବ୍ୟବହାର କରୁଛନ୍ତି, ଭୌଗୋଳିକ ପ୍ରକ୍ରିୟାରେ ସେତିକି ପରିମାଣର ବାଲି ହେବାକୁ ହଜାର ହଜାର ବର୍ଷ ଲାଗେ।
ତେଣୁ, ବାଲିର ଏ ଭଳି ଅବାଧ ବ୍ୟବହାର ସଂକ୍ରାନ୍ତରେ ସତର୍କ କରାଇ କେନିଆସ୍ଥିତ ‘ଜାତିସଂଘ ପର୍ଯ୍ୟାବରଣ କାର୍ଯ୍ୟକ୍ରମ’ କହିଛି, ଏବେଠୁ ପଦକ୍ଷେପ ନିଆ ଗଲେ ଯାଇ ଆମେ ବାଲି ସଙ୍କଟ ଟାଳି ପାରିବା।
Image Courtesy of Popular Machinesକାଚ, କଙ୍କ୍ରିଟ୍ ଏବଂ ନିର୍ମାଣ ସାମଗ୍ରୀ ପାଇଁ ବିଶ୍ବବ୍ୟାପୀ ବାଲିର ବ୍ୟବହାର ୨ ଦଶନ୍ଧିରେ ୩ଗୁଣ ବୃଦ୍ଧି ପାଇଛି। ଅର୍ଥାତ୍ ଏସବୁ ତିଆରି ପାଇଁ ବର୍ଷକୁ ୫୦ ବିଲିୟନ୍ ଟନ୍ ବାଲି ଲାଗୁଛି। ଆହୁରି ସରଳ କରି କହିବାକୁ ଗଲେ, ଦୈନିକ ମୁଣ୍ଡପିଛା ୧୭ କିଲୋଗ୍ରାମ୍ ବାଲି ବ୍ୟବହାର କରାଯାଉଛି। ଫଳତଃ, ନଦୀ ଓ ଉପକୂଳ କ୍ଷତିଗ୍ରସ୍ତ ହେବା ସହ ଛୋଟ ଛୋଟ ଦ୍ବୀପ ସବୁ ମୂଳପୋଛ ହୋଇଯାଉଛି।
ବାଲି ସଙ୍କଟ ଉପରେ ୨୨ଜଣଙ୍କ ଦ୍ବାରା ଲିଖିତ ଉକ୍ତ ରିପୋର୍ଟର ସମନ୍ବୟକାରୀ ‘ୟୁଏନ୍ଇପି’ର ପାସ୍କାଲ୍ ପେଡୁଜି କହିଛନ୍ତି, ବାଲିର ଅତ୍ୟଧିକ ଉତ୍ତୋଳନଜନିତ ପ୍ରଭାବ କେତେକାଂଶରେ ଅନୁଭୂତ ହେଲାଣି। ଦକ୍ଷିଣପୂର୍ବ ଏସିଆର ଦୀର୍ଘତମ ମେକୋଙ୍ଗ୍ ନଦୀରୁ ବାଲି ଉତ୍ଖନନ ଯୋଗୁଁ ତ୍ରିକୋଣ ଭୂମି ଜଳମଗ୍ନ ହେବାରୁ ଆଗରୁ ଉର୍ବର ଥିବା ଜମି ସବୁ ଲବଣାକ୍ତ ହୋଇଯାଉଛି।
ଶ୍ରୀଲଙ୍କାରେ ବାଲି ଉତ୍ତୋଳନ ଜଳ ପ୍ରବାହକୁ ବିପରୀତମୁଖୀ କରାଇଛି। ଅର୍ଥାତ୍ ସମୁଦ୍ର ଜଳରାଶି ସ୍ଥଳଭାକୁ ପ୍ରବାହିତ ହେବା ସହ ଲୁଣିପାଣି କୁମ୍ଭୀରମାନେ ବି ଚାଲିଆସୁଛନ୍ତି।
Follow Us