ଇସ୍ରାଏଲ ଉପରେ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା

Advertisment
ଇସ୍ରାଏଲ ଉପରେ ଆକ୍ରମଣକୁ ବିଶ୍ବବ୍ୟାପୀ ନିନ୍ଦା

ନୂଆଦିଲ୍ଲୀ: ଇସ୍ରାଏଲରେ ହୋଇଥିବା ଭୟଙ୍କର ହମାସ ଆକ୍ରମଣକୁ ବିଶ୍ବ ନେତାମାନେ କଡ଼ା ନିନ୍ଦା କରିଛନ୍ତି। ଆଜି ବଡ଼ି ଭୋର ସମୟରେ ଇସ୍ରାଏଲରେ ହୋଇଥିବା ହମାସ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇସ୍ରାଏଲରେ ଏଭଳି ଆକ୍ରମଣକୁ ବିଶ୍ବ ନେତାମାନେ କଡ଼ା ନିନ୍ଦା କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ଖବରରେ ଆମେ ଗଭୀର ଭାବେ ସ୍ତବ୍ଧ। ଏଭଳି ଜଟିଳ ସମୟରେ ଆମେ ଇସ୍ରାଏଲ ସହ ଅଛୁ। ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି, ଇସ୍ରାଏଲ ନାଗରିକଙ୍କ ଉପରେ ହମାସ୍‌ ଆତଙ୍କବାଦୀ ଯେଭଳି ଆକ୍ରମଣ କରିଛନ୍ତି ତାହା ଦେଖି ସେ ସ୍ତବ୍ଧ।

ସୁନକ କହିଛନ୍ତି, ଇସ୍ରାଏଲର ନିଜକୁ ସୁରକ୍ଷା ଦେବାର ପୂର୍ଣ୍ଣ ଅଧିକାର ରହିଛି। ଆମେ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛୁ। ଇସ୍ରାଏଲରେ ଥିବା ବ୍ରିଟେନ ନାଗରିକ ଯାତ୍ରା ଉପଦେଶ ପାଳନ କରିବା ଉଚିତ ବୋଲି ସେ କହିଛନ୍ତି। ତୁର୍କୀ ରାଷ୍ଟ୍ରପତି ତାୟିପ ଏର୍ଡୋଗାନ କହିଛନ୍ତି, ଏଭଳି ହିଂସାତ୍ମକ କାର୍ଯ୍ୟ କଦାପି ଗ୍ରହଣୀ ନୁହେଁ। ସମସ୍ତ ପକ୍ଷ ସଂଜମତା ରକ୍ଷା କରିବା ଉଚିତ ବୋଲି ଏର୍ଡୋଗାନ କହିଛନ୍ତି। ୟୁ‌ରୋପୀୟ ପରିଷଦ ସଭାପତି ଚାର୍ଲ‌୍‌ସ ମିସେଲ ଇସ୍ରାଏଲ ବିରୋଧରେ ହମାସ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି ଏବଂ କହିଛନ୍ତି, ୟୁରୋପୀୟ ସଂଘ ଇସ୍ରାଏଲୀ ନାଗରିକଙ୍କ ସହ ରହିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଇସ୍ରାଏଲରେ ଏଭଳି ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ଏକ୍ସରେ ମାକ୍ରନ ଲେଖିଛନ୍ତି, ମୁଁ ଏଭଳି ଆକ୍ରମଣକୁ କଡ଼ା ନିନ୍ଦା କରୁଛି ଏବଂ ପୀଡ଼ିତ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ମୋର ପୂର୍ଣ୍ଣ ସମର୍ଥନ ଏବଂ ସମବେଦନା ରହିଛି। ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଲାଗିଥିବା ବିବାଦର ଅତି ଭୟଙ୍କର ପରିଣାମ ଆସିବ ବୋଲି ଇଜିପ୍ଟ ସତର୍କ କରାଇ ଦେଇଛି। ଜର୍ମାନ ମଧ୍ୟ ଉକ୍ତ ଆକ୍ରମଣକୁ ନିନ୍ଦା କରିଛି। ଜର୍ମାନ ବିଦେଶ ମନ୍ତ୍ରୀ ଆନ୍ନାଲେନା ବେର୍‌ବକ କହିଛନ୍ତି, ନୀରିହ ଜନତାଙ୍କ ବିରୋଧରେ ଏଭଳି ହିଂସା ଏବଂ ଆକ୍ରମଣ ବନ୍ଦ ହେବା ଉଚିତ। ଆମେ ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ କରୁଛୁ ବୋଲି ସେ କହିଛନ୍ତି। ରୁଷ୍‌ କହିଛି ଇସ୍ରାଏଲ- ପାଲେଷ୍ଟାଇନ ବିବାଦ ମଧ୍ୟରେ ଏହା ଇସ୍ରାଏଲ, ପାଲେଷ୍ଟାଇନ ଏବଂ ଆରବ ରାଷ୍ଟ୍ର ସହ ଯୋଗାଯୋଗରେ ରହିଛି। ୟୁକ୍ରେନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ଆକ୍ରମଣକୁ ନିନ୍ଦା କରାଯାଇଛି। ସେହିପରି ବେଲଜିୟମ ଏବଂ ଗ୍ରିସ୍‌ ମଧ୍ୟ ଇସ୍ରାଏଲରେ ରକେଟ୍‌ ଆକ୍ରମଣକୁ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe