Business Today
ନୂଆଦିଲ୍ଲୀ: ଓମିକ୍ରନ୍ର ଏକ୍ସବିବି.୧.୫ ପ୍ରଜାତି ଏବେ ଚିନ୍ତା ବଢ଼ାଇଛି। ଆମେରିକାରେ ୪୦ ପ୍ରତିଶତରୁ ଊର୍ଦ୍ଧ୍ବ ନୂଆ କରୋନା ମାମଲା ପାଇଁ ଦାୟୀ ଥିବା ଏହି ପ୍ରଜାତି ଭାରତରେ ବି ଚିହ୍ନଟ ହେଲାଣି। ଗୁଜରାଟରେ ପ୍ରଥମ ଏକ୍ସବିବି.୧.୫ ମାମଲା ଚିହ୍ନଟ ହୋଇଛି। ଏହି ପ୍ରଜାତି ଆଗକୁ ସଂକ୍ରମଣ ବଢ଼ାଇପାରେ। ଗୁଜରାଟରେ ଏକ୍ସବିବି.୧.୫ ଚିହ୍ନଟ ହେବାପରେ ମହାରାଷ୍ଟ୍ର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛି। ରାଜ୍ୟରେ ଯେଭଳି ଏହି ପ୍ରଜାତି ପ୍ରବେଶ ନକରେ ସେଦିଗରେ ପଦକ୍ଷେପ ଗ୍ରହଣ ହେଉଛି। ମହାରାଷ୍ଟ୍ରର ସର୍ଭେଲାନ୍ସ ଅଫିସର ଡ. ପ୍ରଦୀପ ଅୱତେ କହିଛନ୍ତି, ରାଜ୍ୟରେ ୨୭୫ରୁ ଅଧିକ ଏକ୍ସବିବି ମାମଲା ରହିଛି। କିନ୍ତୁ ଏକ୍ସବିବି.୧.୫ ରାଜ୍ୟରେ ଚିହ୍ନଟ ହୋଇନାହିଁ।
ଓମିକ୍ରନ ଉପପ୍ରଜାତି ଏକ୍ସବିବି.୧.୫ ପାଇଁ ଆମେରିକାରେ ୪୦.୫ ପ୍ରତିଶତ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାରୁ ଏହା ବିରୋଧରେ ଟିକାର ପ୍ରଭାବ ନେଇ ବୈଜ୍ଞାନିକମାନଙ୍କ ଗବେଷଣା ଜାରି ରହିଛି। ନ୍ୟୁୟର୍କରେ ୭୫ ପ୍ରତିଶତ ମାମଲା ପାଇଁ ଏହି ପ୍ରଜାତି ଦାୟୀ। ତେବେ ଏକ୍ସବିବି.୧.୫ ନ୍ୟୁୟର୍କରେ ରୂପାନ୍ତରଣ ହୋଇପାରେ ବୋଲି କିଛି ବୈଜ୍ଞାନିକ ଆକଳନ କରିଛନ୍ତି। ଚୀନ୍ରେ ସଂକ୍ରମଣ ବୃଦ୍ଧି ସାରା ବିଶ୍ବରେ ଚିନ୍ତା ବଢ଼ାଇଥିବାବେଳେ ଓମିକ୍ରନ୍ର ଏହି ଉପପ୍ରଜାତି ମଧ୍ୟ ଚିନ୍ତାଜନକ ହୋଇଛି। ଆଗକୁ ଏହି ପ୍ରଜାତି ଆହୁରି ଅଧିକ ସମସ୍ୟା ସୃଷ୍ଟି କରିପାରେ।
ଅନ୍ୟପକ୍ଷେ ଭାରତରେ ଆଜି ୨୨୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ସକ୍ରିୟ ମାମଲା ୩,୬୬୩କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ କରୋନା ମୃତ୍ୟୁସଂଖ୍ୟା ୫,୩୦,୭୦୨ ରହିଛି। ଦେଶରେ ଦୈନିକ ପଜିଟିଭ୍ ହାର ୦.୧୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୦.୧୫ ପ୍ରତିଶତ ରହିଛି।
Follow Us