Image Courtesy of NDTV
କରାଚୀ: ରାଜନୈତିକ ବିଶୃଙ୍ଖଳା ଜଟିଳ ହେବା ସହ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗାଦିଚ୍ୟୁତ କରିବା ଉଦ୍ଦେଶ୍ୟରେ ପ୍ରତିବାଦ ବଢୁଛି ବୋଲି ପାକିସ୍ତାନର ଜଣେ ପୁଲିସ ମୁଖ୍ୟଙ୍କୁ ଅପହରଣ ଘଟଣାରୁ ଅନୁମାନ କରାଯାଉଛି। ଏହି ହାଇପ୍ରୋଫାଇଲ୍ ଅପହରଣ ସରାକାରୀ ପାରାମିଲିଟାରି ସୈନିକମାନଙ୍କ ଦ୍ବାରା କରାଯାଇଛି ବୋଲି କୁହାଯାଉଛି।
‘ରେଞ୍ଜର୍’ ଭାବେ ସୁପରିଚି ଏହି ପାରାମିଲିଟାରି ସୈନିକମାନେ ଦକ୍ଷିଣ ସିନ୍ଧ ପ୍ରଦେଶର ପୁଲିସ ଇନ୍ସପେକ୍ଟର୍ ଜେନେରାଲ୍ ମୁସ୍ତାକ୍ ଅହମଦ୍ ମାହର୍ଙ୍କ ଘରେ ଚଢ଼ାଉ କରିଥିଲେ ବୋଲି ଦୋଷାରୋପ କରାଯାଉଛି। ସେମାନେ ତାଙ୍କୁ ଅପହରଣ କରି ବିରୋଧୀ ନେତା ସଫଦର୍ ଅୱାନଙ୍କ ଗିରଫ ପରୱାନାରେ ବଳପୂର୍ବକ ଦସ୍ତଖତ କରାଇଥିଲେ ବୋଲି ବିଲ୍ୱାଲ୍ ଭୁଟ୍ଟୋ ଜର୍ଦାରିଙ୍କ ମୁଖପାତ୍ର ମୁସ୍ତାଫା ନୱାଜ୍ ଖୋଖାର ମଙ୍ଗଳବାର ଦିନ ‘ଦୁନିଆ ଟିଭି’ରେ କହିଛନ୍ତି।
ଏ ସଂକ୍ରାନ୍ତରେ ଇମ୍ରାନ୍ ଖାଁଙ୍କ ସରକାର କୌଣସି ପଦକ୍ଷେପ ନେଇ ନ ଥିବା ବେଳେ ସେନାମୁଖ୍ୟ କ୍ବାମର୍ ଜାୱେଦ ବାଜୱା ତଦନ୍ତ ଆଦେଶ ଦେଇଛନ୍ତି।
Image Courtesy of Yahoo Financeଏଭଳି ଅଭୂତପୂର୍ବ ଘଟଣା ପାକିସ୍ତାନରେ ଚାଲିଥିବା ରାଜନୈତିକ ବିଶୃଙ୍ଖଳାର ସୂଚନା ଦେଉଛି। ଇମ୍ରାନ୍ ଖାଁ କ୍ଷମତାକୁ ଆସିବାର ଦୁଇ ବର୍ଷ ମଧ୍ୟରେ ଏହା ସବୁଠୁ ଖରାପ ଘଟଣା ବୋଲି କୁହାଯାଉଛି।
ଖାଦ୍ୟ ଅଭାବ, ମୁଦ୍ରାସ୍ଫୀତି ଏବଂ ରାଜନୀତିରେ ସେନା ହସ୍ତକ୍ଷେପ ବନ୍ଦ କରିବା ଦାବି ନେଇ ଇମ୍ରାନ୍ ଖାଁଙ୍କୁ ଗାଦିଚ୍ୟୁତ କରିବା ନିମନ୍ତେ ୧୧ଟି ଶୀର୍ଷସ୍ତରୀୟ ବିରୋଧୀ ଦଳଙ୍କର ଏକ ମେଣ୍ଟ ଦେଶବ୍ୟାପୀ ସିରିଜ୍ ରାଲି ଚଳାଇଛି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଅନେକ ବର୍ଷ ଧରି ପାକିସ୍ତାନ ସେନାର ପ୍ରତ୍ୟକ୍ଷ ଶାସନରେ ରହିଛି। ଐତିହାସିକ ଭାବେ ସେନା ପାକିସ୍ତାନର ବୈଦେଶିକ ଓ ଜାତୀୟ ନିରାପତ୍ତା ନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପାକିସ୍ତାନ ସମ୍ବିଧାନ ଅନୁସାରେ, ସେନା ଓ ନ୍ୟାୟପାଳିକା ସର୍ବସାଧାରଣରେ ସମାଲୋଚିତ ହୋଇପାରିବେ ନାହିଁ।
Follow Us