କେନ୍ଦ୍ର ସରକାରଙ୍କ ଅଡ଼ୁଆ ବଢ଼ାଇଲେ କୁସ୍ତିଯୋଦ୍ଧା: ଗଙ୍ଗାରେ ପଦକ ବିସର୍ଜନ କରିବେ

Advertisment

ସରକାରଙ୍କୁ ୫ ଦିନର ମହଲତ‌, ଆମରଣ ଅନଶନ ଧମକ

ସରକାରଙ୍କୁ ୫ ଦିନର ମହଲତ‌, ଆମରଣ ଅନଶନ ଧମକ

କେନ୍ଦ୍ର ସରକାରଙ୍କ ଅଡ଼ୁଆ ବଢ଼ାଇଲେ କୁସ୍ତିଯୋଦ୍ଧା: ଗଙ୍ଗାରେ ପଦକ ବିସର୍ଜନ କରିବେ

ନୂଆଦିଲ୍ଲୀ: ଜାତୀୟ କୁସ୍ତିଯୋଦ୍ଧ‌ା ମହାସଂଘ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅ‌ାନ୍ଦୋଳନ ଚଳାଇଥିବା କୁସ୍ତିଯୋଦ୍ଧାମାନେ ସେମାନେ ପାଇଥିବା ପଦକଗୁଡ଼ିକୁ ଗଙ୍ଗା ନଦୀରେ ବିସର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସିଂହଙ୍କ ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଅନ୍ୟପକ୍ଷରେ ଅଭି‌େଯାଗକାରୀଙ୍କ ଉପରେ ଦମନଲୀଳା ଚଳାଇଛନ୍ତି। ଏହାର ପ୍ରତିବାଦ ସ୍ବରୂପ ପଦକଗୁଡ଼ିକୁ ଗଙ୍ଗ‌‌ାରେ ବିସର୍ଜନ କରିବେ। ଆଜି ହିଁ ପଦକଗୁଡ଼ିକୁ ବିସର୍ଜନ କରିବା ଲାଗି ସେମାନେ ଘୋଷଣା କରିଥିଲେ ମଧ୍ୟ ସ୍ଥାନୀୟ ଲୋକ ଏବଂ ଚାଷୀ ନେତା ନରେଶ ଟିକାୟତଙ୍କ ଅନୁରୋଧ କ୍ରମେ ଏହାକୁ ଏବେ ସ୍ଥଗିତ ରଖିଛନ୍ତି। ତେବେ ୫ ଦିନ ମଧ୍ୟରେ ସରକାର କାର୍ଯ୍ୟାନୁଷ୍ଠାନ ନନେଲେ ସେମାନେ ପଦକଗୁଡ଼ିକୁ ନିଶ୍ଚିତ ରୂପେ ବିସର୍ଜନ କରିବେ ବୋଲି ଚେତାବନୀ ଶୁଣାଇଛନ୍ତି।

ପୂର୍ବ ନିଷ୍ପତ୍ତି ମୁତାବକ କୁସ୍ତି‌େଯାଦ୍ଧମାନେ ସେମ‌ାନେ ପାଇଥିବ‌ା ଜାତୀୟ/ଅନ୍ତର୍ଜାତୀୟ ପଦକ ଧରି ହରିଦ୍ବାରରେ ପହଂଚିଥିଲେ। ସେମାନେ ବିସର୍ଜନ ପାଇଁ ଗଙ୍ଗା ନଦୀ କୂଳରେ ପହଂଚିବା ପରେ ସେଠ‌ାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେମାନେ ପଦକ ଧରି କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ବୁଝାସୁଝା କରିଥିଲେ। ପରିଶ୍ରମ କରି ଦେଶ ପାଇଁ ସେମାନେ ଯେଉଁ ପଦକ ଜିତିଛନ୍ତି, ତାହାକୁ ବିସର୍ଜନ ନକରିବା ଲାଗି ସ୍ଥାନୀୟ ଲୋକ ଅନୁରୋଧ କରିଥିଲେ। ଏହି ସମୟରେ ଭାରତୀୟ କିଷାନ ୟୁନିଅନ୍‌ (ବିକେୟୁ) ଜାତୀୟ ସଭାପତି ନରେଶ ଟିକାୟତ ସେଠାରେ ପହଂଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ। ପଦକ ବିସର୍ଜନରୁ ସେମାନଙ୍କୁ ବାରଣ କରିବା ସହିତ ସମସ୍ତ ପଦକଗୁଡ଼ିକୁ ଟିକାୟତ ନିଜ ସାଙ୍ଗରେ ନେଇଯାଇଥିଲେ। ୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଲାଗି ସରକାରଙ୍କ ଉପରେ ଚାପ ପକାଇବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

ସୂଚନାଯୋଗ୍ୟ ଯେ ସଂସଦ ଭବନ ସମ୍ମୁଖରେ ଆନ୍ଦୋଳନ କରିବାକୁ ଯାଉଥିବା ବେଳେ ଗତ ୨୮ ତାରିଖରେ ଦିଲ୍ଲୀ ପୁଲିସ୍‌ ଭାରତର ‌ଏହି ଶୀର୍ଷ କୁସ୍ତିଯୋଦ୍ଧାମାନଙ୍କୁ ଉଠାଇ ନେଇଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ରାତିରେ ଛାଡ଼ିଥିଲା। ଭିନେଶ ଫୋଗତ, ବଜରଙ୍ଗ ପୁନିଆ, ସଙ୍ଗୀତା ଫୋଗତ, ସାକ୍ଷୀ ମଲ୍ଲିକଙ୍କ ସହ ଆହୁରି ଅନେକ କୁସ୍ତିଯୋଦ୍ଧାମାନଙ୍କୁ ପୁଲିସ୍‌ ରାତି ଅଧରେ ମୁକ୍ତ କରିଥିଲା। ଥାନାରୁ ବାହାରିବା ପରେ ଆମରଣ ଅନଶନ କରିବାକୁ କୁସ୍ତିଯୋଦ୍ଧାମାନେ ନିଷ୍ପତ୍ତି ନେଇଥିଲେ। ଏଥିସହ ଭାରତ ପାଇଁ ଗର୍ବ ଆଣିଥିବା କ୍ରୀଡ଼ାବିତ୍‌ମାନଙ୍କୁ ପୁଲିସ୍‌‌ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଥିଲା, ଏହାଦ୍ବାରା ସେମାନଙ୍କ ପଦକର ସମ୍ମାନ ରହୁନଥିବା କୁସ୍ତିଯୋଦ୍ଧାମାନେ କହିଥିଲେ। ଦେଶ ପାଇଁ ଆଣିଥିବା ପଦକଗୁଡ଼ିକର କୌଣସି ମୂଲ୍ୟ ନାହିଁ। ତେଣୁ ଗଙ୍ଗା ମାତାଙ୍କ ପାଖରେ ପଦକଗୁଡ଼ିକୁ ବିସର୍ଜନ କରିବାପରେ ଅନଶନ ଆନ୍ଦୋଳନ ଆରମ୍ଭ କରିବାକୁ ‌ନିଷ୍ପତ୍ତି ନେଇଥିଲେ। ତେବେ ଇଣ୍ଡିଆ ଗେଟ୍‌ରେ ଆନ୍ଦୋଳନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୁଲିସ କହିଛି। ତେଣୁ ଏହାକୁ ନେଇ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମହିଳା କୁସ୍ତି‌େଯାଦ୍ଧାମାନେ ଅଭିଯୋଗ କରିଛନ୍ତି ଯେ ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ସେମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ‌ ସେମାନେ ଦାବି କରୁଛନ୍ତି। କିନ୍ତୁ ବ୍ରିଜଭୂଷଣ, ଯିଏକି ବିଜେପିର ସାଂସଦ ମଧ୍ୟ ଅଛନ୍ତି, ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ବିଜେପି କହିଲେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe