‘ରାଷ୍ଟ୍ର ମଞ୍ଚ’ ଗଠନ କଲେ ଯଶବନ୍ତ ସିହ୍ନା

କେନ୍ଦ୍ରର ନୀତି ବିରୋଧରେ ଆନ୍ଦୋଳନ ଚାଲିବ, ଶତ୍ରୁଘ୍ନ ସିହ୍ନାଙ୍କ ଯୋଗଦାନ

‘ରାଷ୍ଟ୍ର ମଞ୍ଚ’ ଗଠନ କଲେ ଯଶବନ୍ତ ସିହ୍ନା

ନୂଆଦିଲ୍ଲୀ: ଅସନ୍ତୁଷ୍ଟ ବିଜେପି ନେତା ଯଶବନ୍ତ ସିହ୍ନା ରାଷ୍ଟ୍ର ମଞ୍ଚ ନାମରେ ଏକ ରାଜନୈତିକ ସଂଗଠନ ଗଠନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଏହି ସଂଗଠନ ଦେଶବ୍ୟାପୀ ସ୍ୱର ଉତ୍ତୋଳନ କରିବ ଏବଂ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ ବୋଲି ଯଶବନ୍ତ କହିଛନ୍ତି। ଏହି ମଞ୍ଚରେ ବିଦ୍ରୋହୀ ବିଜେପି ନେତା ଶତ୍ରୁଘ୍ନ ସିହ୍ନା ଯୋଗ ଦେଇଛନ୍ତି । ତାଙ୍କ ଯୋଗଦାନ ସଂପର୍କରେ ସ୍ପଷ୍ଟ କରି ସେ କହିଛନ୍ତି ଯେ ତାଙ୍କର ମତ ରଖିବା ପାଇଁ ଦଳ ଭିତରେ ତାଙ୍କୁ କୌଣସି ମଞ୍ଚ ନ ମିଳିବାରୁ ସେ ଏହି ସଂଗଠନରେ ସାମିଲ ହୋଇଛନ୍ତି। ମଞ୍ଚର ପ୍ରତିଷ୍ଠା ସମାରୋହରେ ତ୍ରୁଣମୂଳ କଂଗ୍ରେସ ସାଂସଦ ଦିନେଶ ତ୍ରିବେଦି, କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ, ଏନ୍‌ସିପି ନେତା ଏମ୍‌୍‌ପି ମାଜିଦ୍‌ ମେମନ, ଆମ୍‌ ଆଦ୍‌୍‌ମୀ ପାର୍ଟି ନେତା ସଂଜୟ ସିଂହ, ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ସୁରେଶ ମେହଟା, ଜେଡିୟୁ ନେତା ପବନ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଏଥିରେ ଆରଜେଡି ନେତା ଜୟନ୍ତ ଚୌଧୁରୀ ଏବଂ ପୂର୍ବ କେନ୍ଦ୍ର ମନ୍ତ୍ରୀ ସୋମପାଲ ଏବଂ ହରମୋହନ ଧଓ୍ଵନ ମଧ୍ୟ ଉପସ୍ଥିତ ଥିଲେ। ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ଏହି ମଞ୍ଚରେ ଯୋଗଦାନକୁ ଦଳ ବିରୋଧୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ। ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ମଞ୍ଚ ଗଠିତ ହୋଇଛି ବୋଲି ସେ କହିଛନ୍ତି। ଆଜି ଯଶବନ୍ତ ସିହ୍ନା କହିଛନ୍ତି ଯେ ୭୦ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଯେଉଁଭଳି ସ୍ଥିତି ଥିଲା ଆଜି ସେଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଗଣତନ୍ତ୍ର ଏବଂ ଏହାର ସଂସ୍ଥାଗୁଡ଼ିକ ଏବେ ବିପଦରେ ରହିଛି ବୋଲି ସେ କହିଛନ୍ତି। ବିଜେପିରେ ଏବେ ସମସ୍ତେ ଭୟରେ ଅଛନ୍ତି, କେହି ମୁହଁ ଖୋଲିବାକୁ ସାହସ କରୁନାହାନ୍ତି ବୋଲି ସିହ୍ନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe