ମୁମ୍ବାଇ: ମହାରାଷ୍ଟ୍ରର ଅକୋଲାରେ ଆୟୋଜିତ ସ୍ୱରାଜ ଇଣ୍ଡିଆ ପାର୍ଟିର ପ୍ରତିଷ୍ଠାତା ଯୋଗେନ୍ଦ୍ର ଯାଦବଙ୍କ ଏକ ରାଜନୈତିକ ରାଲିରେ ବିବାଦ ଓ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଫଳରେ ତାଙ୍କୁ ଅଧାରୁ ନିଜର ସଭା ବନ୍ଦ କରିବାକୁ ପଡ଼ିଥିଲା ।
ସୂଚନା ଅନୁସାରେ, ଯୋଗେନ୍ଦ୍ର ଯାଦବ ତାଙ୍କ 'ଭାରତ ଯୋଡୋ' ଅଭିଯାନ ଅଧୀନରେ ଅକୋଲା ଆସିଥିଲେ ଏବଂ ଏକ ସମାବେଶକୁ ସମ୍ବୋଧିତ କରୁଥିବା ବେଳେ ଭୀମରାଓ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକରଙ୍କ ନେତୃତ୍ୱରେ ବଞ୍ଚିତ ବହୁଜନ ଆଘାଡି (ଭିବିଏ) ଦଳର କର୍ମୀମାନେ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଥିଲେ। ସେମାନେ ମଞ୍ଚ ଉପରକୁ ଚଢ଼ି ମାଇକ୍ରୋଫୋନ୍ ଏବଂ ଅନ୍ୟାନ୍ୟ ଉପକରଣ ଭାଙ୍ଗିଥିଲେ ଏବଂ ଚେୟାର ଫିଙ୍ଗିବା ଆରମ୍ଭ କରିଥିଲେ, ଯାହା କାର୍ଯ୍ୟକ୍ରମରେ ବିଶୃଙ୍ଖଳା ସୃଷ୍ଟି କରିଥିଲା। 'ଆମକୁ ଉତ୍ତର ଦିଅ, ଆମକୁ ଉତ୍ତର ଦିଅ' ବୋଲି ସ୍ଲୋଗାନ ଦେଇ ସେମାନେ ମଞ୍ଚଉପରେ ହଙ୍ଗାମା କରୁଥିବା ଦେଖାଯାଉଥିଲା । ପୁଲିସ ଏବଂ ଯାଦବଙ୍କ ସମର୍ଥକମାନେ ଭିବିଏ କର୍ମୀଙ୍କୁ ମଞ୍ଚକୁ ଯିବାରୁ ରୋକିବା ପାଇଁ ସଂଘର୍ଷ କରିଥିଲେ, ଯାହାଫଳରେ ଯାଦବଙ୍କୁ ତାଙ୍କ ଭାଷଣ ଅଧାରୁ ବନ୍ଦ କରିବାକୁ ପଡିଥିଲା । ପରିସ୍ଥିତି ଏପରି ବିଗିଡ଼ିଗଲା ଯେ ଯାଦବଙ୍କୁ ବିକ୍ଷୋଭକାରୀଙ୍କ ଭିଡ଼ରୁ ନିଜକୁ ହଟାଇବାରେ ଅସୁବିଧା ହୋଇଥିଲା। ପୁଲିସ ଅଧିକାରୀ ଓ ସମର୍ଥକମାନେ ତାଙ୍କୁ ଘଉଡ଼ାଇବା ପାଇଁ ଘେରାବନ୍ଦୀ କରିଥିଲେ।
Follow Us