दैनिक जागरण
ଲକ୍ଷ୍ନୌ: ରାଜ୍ୟ ବାହାରେ ଫସିରହିଥିବା ୫ ଲକ୍ଷ ଦାଦନଶ୍ରମିକ କିଭଳି ନିଜ ରାଜ୍ୟ ଉତ୍ତରପ୍ରଦେଶକୁ ଫେରିବେ, ସେଇ ଚିନ୍ତା ଘାରିଛି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ। ଏଣେ ରାଜ୍ୟର ୪୯ଟି ଜିଲ୍ଲାରେ କରୋନା ସଂକ୍ରମିତମାନେ ରହିଥିବା ସହ ଦେଶର ସପ୍ତମ ବୃହତ୍ ସଂକ୍ରମିତମାନଙ୍କ ରାଜ୍ୟ ହିସାବରେ ତାହାର ମୁକାବିଲା କରୁଛନ୍ତି। ନୂଆଦିଲ୍ଲୀ ଏମ୍ସ୍ ହସ୍ପିଟାଲରେ ଚିକିତ୍ସାଧୀନ ତାଙ୍କ ବାପା ଆନନ୍ଦ ସିଂହ ବିଷ୍ଟଙ୍କ ଦେହାନ୍ତ ଖବର ପାଇଲେ ଏପ୍ରିଲ୍ ୨୦ ତାରିଖରେ। ଯେତେବେଳେ ସେ ସ୍ଥାନୀୟ ୫, କାଳିଦାସମାର୍ଗ ସରକାରୀ ବାସଭବନରେ କରୋନା ବିରୋଧୀ ଯୁଦ୍ଧର ସମୀକ୍ଷା କରୁଥିଲେ। ତାଙ୍କ ବାପା ଜଣେ ସେବାନିବୃତ୍ତ ବନାଞ୍ଚଳ ଅଧିକାରୀ ଏବଂ ତାଙ୍କର ଯକୃତ ଓ ବୃକ୍କ ସମସ୍ୟା ଯୋଗୁ ସେ ମାର୍ଚ ୧୪ ତାରିଖରେ ଏମ୍ସ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ। ବିଧିବିଧାନକୁ ମାନି ସେ ନୂଆଦିଲ୍ଲୀକୁ ସଡକପଥରେ ବା ସ୍ୱତନ୍ତ୍ର ବିମାନରେ ଯାଇ ନଥିଲେ। ବରଂ ପରଦିନ ସକାଳେ ନିଜ ବାପାଙ୍କ ଶେଷକୃତ୍ୟ ଏକ ଟିଭି ଚ୍ୟାନେଲରେ ଦେଖିଥିଲେ।
ସେଦିନ ସେ ଦୁଇ ମିନିଟ୍ର ନୀରବ ପ୍ରାର୍ଥନା ପରେ ରାଜ୍ୟର କୋଭିଡ୍-୧୯ ପରିଚାଳନାର ସମୀକ୍ଷା ଓ ପରବର୍ତ୍ତୀ ରଣନୀତିରେ ଲାଗିପଡିଥିଲେ। ମାର୍ଚ ୨୭ ତାରିଖରୁ ଏକ ୧୧ ଜଣିଆ ଟିମ୍ ରାଜ୍ୟର କୋଭିଡ୍ ପରିଚାଳନାରେ ବ୍ୟସ୍ତ ଅଛନ୍ତି। ସେମାନଙ୍କୁ କହାଯାଉଛି ''ଯୋଗୀ-୧୧''। ଏଥିରେ ପ୍ରମୁଖ ସଚିବ ଓ ଉପର ପାହ୍ୟାର ଆଇଏଏସ୍ ଅଧିକାରୀ, ପୁଲିସ୍ ମହାନିର୍ଦେଶକ ରହିଛନ୍ତି। ଅଧିକାରୀମାନେ ହେଉଛନ୍ତି ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟଶିକ୍ଷା, ଶିଳ୍ପ ଓ କୃଷି ଭଳି ବିଭାଗର ପ୍ରାଶାସନିକ ମୁଖ୍ୟ। ୧୨୪୮ଟି ଦୁଇଜଣିଆ ସଦସ୍ୟ ବିଶିଷ୍ଟ ''ଜିଲ୍ଲା ସମନ୍ୱିତ ପର୍ଯ୍ୟବେକ୍ଷଣ ଟିମ୍'' ଘରକୁ ଘର ବୁଲି ସନ୍ଦିଗ୍ଧ କୋଭିଡ୍ମାନଙ୍କୁ ପରୀକ୍ଷା କରୁଛନ୍ତି। ରାଜ୍ୟ ସରକାର ୫୦୦ କୋଟି ଟଙ୍କା କୋଭିଡ୍ କେୟାର ଫଣ୍ଡ ପାଇଛନ୍ତି। ଏଥିରେ ରାଜ୍ୟବ୍ୟାପୀ ଟେଷ୍ଟିଂ ସୁବିଧା କେନ୍ଦ୍ର ଏବଂ କୋଭିଡ୍ ହସପିଟାଲ ଖୋଲାଯିବ।
ରାଜ୍ୟ ବାହାରୁ ଦାଦନଶ୍ରମିକମାନେ ଫେରିବା ପରେ କିଭଳି ''ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ'' (ଓଡିଓପି) ଯୋଜନାରେ କାମ ଯୋଗାଯାଇପାରିବ, ତାହା ପାଇଁ ରଣକୌଶଳ ପ୍ରସ୍ତୁତ ହୋଇଛି। ଲକ୍ଡାଉନ୍ ବେଳେ ୭୫ଟି ଜିଲ୍ଲାରେ ୭୩୬୮ ଗୋଷ୍ଠୀ ଖନ୍ଦାଶାଳ ଓ ଗୋଷ୍ଠୀ ଆଶ୍ରୟସ୍ଥଳକୁ ଗୁଗଲ ମାନଚିତ୍ରରେ ଟ୍ୟାଗିଂ କରାଯାଇଛି। ଯାହା ଫଳରେ ତାହାର ନିରୀକ୍ଷଣ ସହଜ ହୋଇପାରିବ। ଏହାକୁ ସହଜରେ ଇଣ୍ଟରନେଟ୍ରେ ମଧ୍ୟ ନାଗରିକମାନେ ସନ୍ଧାନ କରି ସେବା ପାଇପାରିବେ। ଯୋଗୀଙ୍କ ତ୍ୟାଗ ଓ ନିଷ୍ଠା ଏବେ ଦେଶବ୍ୟାପୀ ଚର୍ଚାର ପ୍ରସଙ୍ଗ ହୋଇଛି।
Follow Us