Wikipedia
ନୂଆଦିଲ୍ଲୀ: ଆମକୁ ଧାରଣ କରି ରଖିଥିବା ଭୂମିର ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ବ। ଏହାଦ୍ବାରା ଆମେ ବିଶ୍ବ ତାପମାତ୍ରା ବୃଦ୍ଧିର ନିରାକରଣ କରିପାରିବା । ଏହା କହିଛନ୍ତି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଆଇଭରି କୋଷ୍ଟ ଠାରେ ମରୁଭୂମିକରଣ ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀ (ୟୁଏନ୍ସିସିଡି)ର ୧୫ତମ ଅଧିବେଶନକୁ ସମ୍ବୋଧିତ କରି ଶ୍ରୀ ଯାଦବ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବାକୁ ଆହ୍ବାନ ଦେବା ଅବସରରେ ଏହା କହିଛନ୍ତି।
ଶ୍ରୀ ଯାଦବ କହିଲେ ଯେ ଭୂମି ଅବକ୍ଷୟ ଲଗାତାର ଭାବେ ବଢ଼ିବଢ଼ି ଚାଲିଛି । ତଥାପି ବିଶ୍ବବାସୀ ଉପଭୋଗ ଆଧାରିତ ଜୀବନଶୈଳୀ ଆପଣାଇଛନ୍ତି ଏବଂ ସେମାନେ ଭୂମିକୁ ଆହୁରି ଶୋଷଣ କରିବା ଲାଗି ଚାହୁଛନ୍ତି। ଆମ ସମସ୍ତଙ୍କୁ ଉପଭୋଗ ଆଧାରିତ ଦୃଷ୍ଟିକୋଣ ଠାରୁ ଦୂରେଇବାକୁ ପଡ଼ିବ । ବ୍ୟବହାର କରି ଫିଙ୍ଗିଦିଅ (ୟୁଜ୍ ଆଣ୍ଡ୍ ଥ୍ରୋ ) ମାନସିକତା ପରିତ୍ୟାଗ କରିବାକୁ ହେବ ।
ଭୂମି ଉପରେ ବିଶ୍ବ ତାପମାତ୍ରା ବୃଦ୍ଧିର ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖି ଶ୍ରୀ ଯାଦବ କହିଲେ ଯେ ବିଶ୍ବବାସୀଙ୍କ ସୁରକ୍ଷା ପାଇଁ ଅଙ୍ଗାରକାମ୍ଳ ନିର୍ଗମନ କ୍ଷେତ୍ରରେ ବିକଶିତ ରାଷ୍ଟ୍ରମାନଙ୍କୁ ନେତୃତ୍ବ ନେବାକୁ ପଡ଼ିବ । ଐତିହାସିକ ଏବଂ ସାମ୍ପ୍ରତିକ ଦୃଷ୍ଟିରୁ ବିଶ୍ବ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ସେମାନଙ୍କର ଅଧିକ ଉତ୍ତରଦାୟିତ୍ବ ରହିଛି।
କୋଭିଡ ମହାମାରୀ ପ୍ରଭାବରେ ବିଶ୍ବ ତାପମାତ୍ରା ବୃଦ୍ଧିର ମୁକାବିଲା ଆହୁରି ଅଧିକ ଜଟିଳ ହୋଇପଡ଼ିଛି । ଆର୍ଥିକ ଚାପ କାରଣରୁ ସାରା ବିଶ୍ବରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ (କ୍ଲାଇମେଟ୍ ଆକ୍ସନ) କାର୍ଯ୍ୟ ବିଳମ୍ବିତ ହୋଇଛି । ୨୦୧୯ ପରଠାରୁ ଭାରତ ସିଓପିର ଅଧ୍ୟକ୍ଷତା କରିବା ପ୍ରସଙ୍ଗରେ ଶ୍ରୀ ଯାଦବ ସୂଚନା ଦେଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ଭୂମି ସଂରକ୍ଷଣ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ନେଇଛି । ୨୦୩୦ ସୁଦ୍ଧା ୨୬ ନିୟୁତ ହେକ୍ଟର ଅବକ୍ଷୟ ହୋଇଥିବା ଜମିର ପୁନରୁଦ୍ଧାର ଲକ୍ଷ୍ୟ ହାସଲ ଦିଗରେ ଭାରତ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ।
ଆଇଭରି କୋଷ୍ଟରେ ମରୁଭୂମିକରଣ ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀ
୧୫ତମ ଅଧିବେଶନରେ ଭୂପେନ୍ଦ୍ରଙ୍କ ସମ୍ବୋଧନ
ଅନେକ ବୃହତ କାର୍ଯ୍ୟକ୍ରମ ଘୋଷଣା କରାଯିବା ସହିତ ବର୍ତ୍ତମାନ ଜାରି ରହିଥିବା ଯୋଜନାଗୁଡ଼ିକୁ ସୁଦୃଢ଼ କରାଯାଇଛି। ବିଶ୍ବ ପୁନରୁଦ୍ଧାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ପାଇଁ ଆହ୍ବାନ ପରେ ଭାରତ ସରକାର ୬ଟି ଫ୍ଲାଗସିପ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏସବୁ ଯୋଜନା ମାଧ୍ୟମରେ ୧୨.୫ ନିୟୁତ ହେକ୍ଟର ଅବକ୍ଷୟ ଭୂମିର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖାଯାଇଛି । ଭାରତର ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଏବଂ ପୁନରୁଦ୍ଧାର ଉପରେ ଗୁରୁତ୍ବାରୋପ କରାଯାଇଛି। ବୃକ୍ଷରୋପଣ ଠାରୁ ଭୂମି ପରିବେଶର ପୁନରୁଦ୍ଧାର ଅଧିକ ଜରୁରି ବୋଲି ସେ ଆହ୍ବାନ କରିଥିଲେ।
ଆଇଭରୀ କୋଷ୍ଟ ଠାରେ ମରୂଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ପକ୍ଷମାନଙ୍କର ସମ୍ମିଳନୀର ୧୫ତମ ଅଧିବେଶନ ଚଳିତ ମାସ ୯ ରୁ ୨୦ ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଏଥିରେ ବିଭିନ୍ନ ରାଷ୍ଟ୍ରର ସରକାରୀ ପ୍ରତିନିଧି, ଘରୋଇ କ୍ଷେତ୍ର, ନାଗରିକ ସମାଜର ନେତୃବର୍ଗମାନେ ଯୋଗଦେଇଛନ୍ତି।
Follow Us