ଗୋରଖପୁର: ଦିନକୁ ଦିନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପିପିଗଞ୍ଜ ଅଞ୍ଚଳର ଏକ ଗ୍ରାମରେ ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଛି। ଦୁଃଖର ବିଷୟ ମୃତ ଯୁବକଙ୍କ ବିବାହ ରାତି ପାହିଲେ ହୋଇଥାଆନ୍ତା। ଅର୍ଥାତ ମଇ ୭ ତାରିଖରେ ତାଙ୍କର ବିବାହ ସ୍ଥିର ହୋଇଥିଲା।
ପିପିଗଞ୍ଜ ଅଞ୍ଚଳସ୍ଥ ରାମୁଘାଟ ଗ୍ରାମର ପୂର୍ବତନ ପ୍ରଧାନ ସୁରେନ୍ଦ୍ର ସିଂହଙ୍କ ଏକମାତ୍ର ପୁଅ ବିକ୍ରାନ୍ତ ଓରଫ ପ୍ରଶାନ୍ତ ସିଂହଙ୍କ ଏପ୍ରିଲ ୨୬ତାରିଖରେ ନିର୍ବନ୍ଧ ହୋଇଥିଲା। ଏହାପରେ ବିକ୍ରାନ୍ତଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ପରିବାରଲୋକେ ବିକ୍ରାନ୍ତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିଲା।
ଏକମାତ୍ର ପୁଅର ମୃତ୍ୟୁ ଖବର ପାଇବା ପରେ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା। ପୁଅ ସୁସ୍ଥ ହୋଇ ଆସୁଥିଲା। ଗୁରୁବାର ଦିନ ହସ୍ପିଟାଲରୁ ଡାକ୍ତର ତାଙ୍କୁ ଛୁଟି କରିଦେବେ ବୋଲି କହିଥିଲେ। ଆଉ ମଇ ୭ରେ ତାଙ୍କର ବିବାହ ଥିବାରୁ ଘରେ ଜୋରଦାର ପ୍ରସ୍ତୁତି ବି ଚାଲିଥାଏ। କିନ୍ତୁ କିଛି ସମୟ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ପୁଅ ବିବାହ ଥିବାରୁ ଖୁସିରେ ପୂରି ଉଠୁଥିବା ଘର ଉପରେ ହଠାତ ଦୁଃଖର କଳାବାଦଲ ଛାଇ ଯାଇଥିଲା। ଏପଟେ କନ୍ୟା ପକ୍ଷ ଏଖବର ପାଇବା ପରେ ସ୍ତବ୍ଧ ହୋଇଯାଇଥିଲେ।
Follow Us