AP7AM
ତେଲେଙ୍ଗାନା: ଯୁବଜନ ଶ୍ରମିକ ରିତୁ ତେଲେଙ୍ଗାନା ପାର୍ଟି (ୱାଇଏସ୍ଆର୍ଟିପି) ମୁଖ୍ୟ ୱାଇଏସ୍ ଶର୍ମିଳାଙ୍କୁ ମେହବୁବାବାଦର ବିଧାୟକ ଶଙ୍କର ନାଏକଙ୍କ ପ୍ରତି ଏକ ରୢାଲିରେ ଅପମାନସୂଚକ ମନ୍ତବ୍ୟ ଦେବା ଅଭିଯୋଗରେ ଅଟକ ରଖାଯାଇଛି। କୌଣସି ଗଣ୍ଡଗୋଳ ବା ଅବାଞ୍ଛିତ ପରିସ୍ଥିତିକୁ ଏଡ଼ାଇବା ପାଇଁ ଶର୍ମିଳାଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କୁ ଖୁବ୍ଶୀଘ୍ର ହାଇଦ୍ରାବାଦ ଅଣାଯିବ ବୋଲି ପୁଲିସ ପ୍ରକାଶ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ଶର୍ମିଳାଙ୍କ ପ୍ରଜା ପ୍ରସ୍ଥାନମ୍ ପଦଯାତ୍ରା ପାଇଁ ଦିଆଯାଇଥିବା ଅନୁମତିକୁ ମଧ୍ୟ ବାତିଲ କରାଯାଇଛି। ଇତିମଧ୍ୟରେ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ସମର୍ଥକମାନେ ଶର୍ମିଳାଙ୍କ ବିରୋଧରେ ନାଏକଙ୍କ ପ୍ରତି ମନ୍ତବ୍ୟକୁ ନେଇ ପ୍ରତିବାଦ କରିଛନ୍ତି। ପୁଲିସ ମେହବୁବାବାଦ ଥାନାରେ ତାଙ୍କ ନାମରେ ଆଇପିସିର ଧାରା ୫୦୪ (ଶାନ୍ତିଭଙ୍ଗକୁ ଉତ୍ସାହିତ କରିବା ପାଇଁ ଜାଣିଶୁଣି ଅପମାନିତ କରିବା) ଏବଂ ଅନୁସୂଚିତ ଜାତି ଓ ଉପଜାତି (ନିର୍ଯାତନା ବିରୋଧୀ) ଆଇନ ୧୯୮୯ ଅନୁଯାୟୀ ଏକ ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ, ଶନିବାର ଶର୍ମିଳା ତାଙ୍କ ପ୍ରଜା ପ୍ରସ୍ଥାନମ୍ ପଦଯାତ୍ରାରେ କହିଥିଲେ- ‘ଏହି ଲଜ୍ଜାହୀନ ବିଧାୟକଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀର ସମସ୍ୟାଗୁଡ଼ିକ ବିଷୟରେ ପଚାରିଲେ ସେ ଆମ ପ୍ରତି ଅଶାଳୀନ ଓ ଅପମାନସୂଚକ ଭାଷା ପ୍ରୟୋଗ କରୁଛନ୍ତି।’ ଅପରପକ୍ଷେ ଶର୍ମିଳାଙ୍କ ବିରୋଧରେ ନାଏକଙ୍କ ପ୍ରତି ଅପମାନସୂଚକ ଭାଷା ପ୍ରୟୋଗ ନେଇ କରାଯାଉଥିବା ଅଭିଯୋଗ ଉପରେ ସେ କହିଛନ୍ତି- ‘ସବୁ କ୍ଷେତ୍ରରେ ବିଫଳ ହୋଇଥିବା, ଦୁର୍ନୀତି ଓ ଜମି ହଡ଼ପ ମାମଲାରେ ବୁଡ଼ିଥିବା ଏପରି ବିଧାୟକଙ୍କ ପ୍ରତି ଆଉ କେଉଁ ପ୍ରକାର ଭାଷା ପ୍ରୟୋଗ କରିବୁ ତାହା ଆମକୁ ଜଣାନାହିଁ।’ ଶର୍ମିଳା କହିଥିଲେ ଯେ ବିଧାୟକ ଶଙ୍କର ନାଏକ ହେଉଛନ୍ତି ଜଣେ ଲାଞ୍ଚଖୋର ବ୍ୟକ୍ତି। ସେହି କାରଣରୁ ସେ ଚାକିରି ହରାଇଲେ। ତା’ପରେ ବିଧାୟକ ହେଲେ ଏବଂ ଜମି ହଡ଼ପ କଲେ। ସେ ଜଣେ ମଦ ମାଫିଆ, ଗୁଟଖା ମାଫିଆ, ବାଲି ମାଫିଆ ଓ ଗୁଡ଼ ମାଫିଆ ବୋଲି ଶର୍ମିଳା ତାଙ୍କ ଭାଷଣରେ କହିଥିଲେ।
Follow Us