ୟେୁଦୁରପ୍ପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

Advertisment

କର୍ଣ୍ଣାଟକରେ ମୋଦିଙ୍କ ଘୋଷଣା

କର୍ଣ୍ଣାଟକରେ ମୋଦିଙ୍କ ଘୋଷଣା

ୟେୁଦୁରପ୍ପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକରେ ବିଜେପିର ନବ ନିର୍ମାଣ ଯାତ୍ରାର ସମାପନ ଉତ୍ସବରେ ଯୋଗଦେଇ ରାଜ୍ୟକୁ କଂଗ୍ରେସ ମୁକ୍ତ କରିବାକୁ ଆହ୍ଵାନ ଦେଇଛନ୍ତି। କର୍ଣ୍ଣାଟକ ଏଥର ନିର୍ବାଚନରେ କଂଗ୍ରେସ ସଂସ୍କୃତିରୁ ମୁକ୍ତ ହେବ ଏବଂ ରାଜ୍ୟରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ମୋଦି କହିଛନ୍ତି। ଦଳର ବରିଷ୍ଠ ନେତା ବିଏସ୍‌ ୟେଦୁରପ୍ପା ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ମୋଦି ଏହି ର‍୍ୟାଲିରେ ସଙ୍କେତ ଦେଇଛନ୍ତି। କର୍ଣ୍ଣାଟକରେ ଏବେ ଅପରାଧୀଙ୍କ ସାମ୍ରାଜ୍ୟ ଚାଳିଛି ଏବଂ କଂଗ୍ରେସ ଶାସନରେ ହତ୍ୟା ଏକ ମାମୁଲି ଘଟଣା ପାଲଟି ଯାଇଛି ବୋଲି ମୋଦି କହିଛନ୍ତି। ସରକାରକୁ ବିରୋଧ କଲେ ଜୀବନ ଚାଲିଯିବାର ଭୟ ରହୁୁଛି ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବହୁ ସଂଖ୍ୟାରେ ହତ୍ୟା କରାଯାଇଛି । ରାଜ୍ୟକୁ ଅପରାଧମୁକ୍ତ ଏବଂ ଦୁର୍ନୀତିମୁକ୍ତ କରିବା ପାଇଁ ସମୟ ଆସିଯାଇଛି ବୋଲି ମୋଦି କହିଛନ୍ତି। କର୍ଣ୍ଣାଟକରେ ଦୁର୍ନୀତି ଭୟଙ୍କର ଭାବେ କାୟା ବିସ୍ତାର କରିଛି ଏବଂ ଏଠାରେ ରାଜ୍ୟ ସରକାର ୧୦ ପ୍ରତିଶତ କମିସନ ସରକାର ଭାବେ ପରିଚିତ ହୋଇଛି ବୋଲି ମୋଦି କହିଛନ୍ତି।

ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩.୩୬ ଲକ୍ଷ ଘର ପାଇଁ ଅନୁମୋଦନ ମିଳିଥିବା ବେଳେ କର୍ଣ୍ଣାଟକ ସରକାର କେବଳ ୩୮ ହଜାର ଘର ପାଇଁ ମଂଜୁରି ଦେଇଛନ୍ତି। ୨ ଲକ୍ଷରୁ ଅଧିକ ଘରେ କାମ ମଧ୍ୟ ଆରମ୍ଭ ହୋଇନାହିଁ। ସହରାଞ୍ଚଳରେ ୩.୫ ଲକ୍ଷ ଶୌଚାଳୟ ନିର୍ମାଣ ଲକ୍ଷ୍ୟ ରହିଥିବା ବେଳେ କେବଳ ୧.୩୨ ହଜାର ଶୌଚାଳୟ ତିଆରି ହୋଇଛି । ସହରକୁ ସ୍ୱଚ୍ଛ ରଖିବା ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକକୁ ୨୪୭ କୋଟି ଟଙ୍କା ଦେଇଛନ୍ତି, ତେବେ ଆଜି ପର୍ଯ୍ୟନ୍ତ ଏଥିରୁ ୭୦ କୋଟି ଟଙ୍କା ଖର୍ଚ୍ଚ ହୋଇନଥିବା ଜଣାପଡ଼ିଛି। ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ୮୩୬ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାର କେବଳ ୧୪୩ କୋଟି ଟଙ୍କାର କାମ ଆରମ୍ଭ କରିଛନ୍ତି। କେନ୍ଦ୍ରୀୟ ଅନୁଦାନଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ କଂଗ୍ରେସ ସରକାର ଆଗ୍ରହ ପ୍ରକାଶ କରୁନଥିବାରୁ ରାଜ୍ୟବାସୀମାନେ ଏହାର ଫାଇଦା ପାଉନାହାନ୍ତି ବୋଲି ମୋଦି କହିଛନ୍ତି। କର୍ଣ୍ଣାଟକକୁ ଏନ୍‌ଡିଏ ସରକାର ୨ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଭିନ୍ନ ଯୋଜନା ବାବଦରେ ୪୦ ହଜାର କୋଟି ଟଙ୍କା ଦେଇଥିବା ମୋଦି କହିଛନ୍ତି। କର୍ଣ୍ଣାଟକରେ ଚଳିତ ବର୍ଷ ଏପ୍ରିଲ୍‌ ସୁଦ୍ଧା ନିର୍ବାଚନ ହେବ ବୋଲି ଜଣାପଡ଼ିଛି ଏବଂ ଏଥିପାଇଁ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe