ଦୁର୍ଯ୍ୟୋଧନ-ଦୁଃଶାସନ-ରାବଣ:ରାମାୟଣ, ମହାଭାରତ ଭରସାରେ ପ୍ରଚାର

ବାବର, ଔରଙ୍ଗଜେବ୍‌ ବି ଚର୍ଚ୍ଚାରେ

ଦୁର୍ଯ୍ୟୋଧନ-ଦୁଃଶାସନ-ରାବଣ:ରାମାୟଣ, ମହାଭାରତ ଭରସାରେ ପ୍ରଚାର

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ସଂପନ୍ନ ହୋଇଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ପାଇଁ ଘମାଘୋଟ ପ୍ରଚାର ଚାଲିଛି। ତେବେ ପ୍ରଚାରରେ ରାମାୟଣ ଏବଂ ମହାଭାରତର ଚରିତ୍ରମାନଙ୍କୁ ବ୍ୟବହାର କରି ନେତାମାନେ ପରସ୍ପରକୁ ଶବ୍ଦ ବାଣରେ ଆକ୍ରମଣ କରୁଛନ୍ତି। ଆଜି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍‌ଡ଼ି ଦେବୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୁର୍ଯ୍ୟୋଧନ କହିବା ବଦଳରେ ଜହ୍ଲାଦ ବୋଲି କହିବା ଆବଶ୍ୟକ। ସୂଚନାଯୋଗ୍ୟ ଗତକାଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ମହାଭାରତର ଦୁର୍ଯ୍ୟୋଧନ ସହ ତୁଳନା କରି ସମାଲୋଚନା କରିଥିଲେ। ପ୍ରିୟଙ୍କାଙ୍କ ବୟାନ ପରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମୋଦୀଙ୍କୁ ଦୁର୍ଯ୍ୟୋଧନ ଏବଂ ବିଜେପି ସଭାପତି ଅମିତ ଶାହଙ୍କୁ ଦୁଃଶାସନ ବୋଲି କହିଥିଲେ। ଏହା ପୂର୍ବରୁ ସିପିଏମ୍‌ ନେତା ସୀତାରାମ ୟେଚୁରି ମଧ୍ୟ ମୋଦୀ-ଶାହଙ୍କୁ ଦୁର୍ଯ୍ୟୋଧନ-ଦୁଃଶାସନ ଯୋଡ଼ି ବୋଲି କହିଥିଲେ।
ଭୋପାଳ ଆସନରୁ ନିର୍ବାଚନ ଲଢ଼ୁଥିବା କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହଙ୍କୁ ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା କାଳନେମୀ ରାକ୍ଷସ ସହିତ ତୁଳନା କରିଥିଲେ। ରାମାୟଣକାଳରେ ରାବଣର ସଂପର୍କୀୟ ଏହି ରାକ୍ଷସ ରୂପ ବଦଳାଇ ଆକ୍ରମଣ କରିବାରେ ବେଶ୍‌ ପାରଙ୍ଗମ ଥିଲା। ଅନ୍ୟପକ୍ଷରେ ପ୍ରଜ୍ଞାଙ୍କୁ ମଧ୍ୟ ଦିଗ୍‌ବିଜୟଙ୍କ ଘନିଷ୍ଠ କୁହାଯାଉଥିବା କମ୍ପ୍ୟୁଟର ବାବା ରାବଣ ବୋଲି କହିଥିଲେ। ରାମାୟଣ, ମହାଭାରତର ଚରିତ୍ରମାନଙ୍କ ବ୍ୟତୀତ ପ୍ରଚାରରେ ଔରଙ୍ଗଜେବ ଏବଂ ବାବର ମଧ୍ୟ ଅଛନ୍ତି। କଂଗ୍ରେସ ନେତା ସଂଜୟ ନିରୁପମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଔରଙ୍ଗଜେବଙ୍କ ଆଧୁନିକ ଅବତାର ବୋଲି କହିଥିଲେ। ଏହା ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂବଲ ଆସନର ମହାମେଣ୍ଟ ପ୍ରାର୍ଥୀଙ୍କୁ ‘ବାବର କି ଔଲାଦ’ ବୋଲି କହିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଦୁର୍ନୀତିଗ୍ରସ୍ତ ନଂ-୧ ବୋଲି କହିବା ପରେ ଏହାକୁ ନେଇ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ତେବେ କଂଗ୍ରେସ ନେତାମାନେ ବିଭିନ୍ନ ସମୟରେ ମୋଦୀଙ୍କୁ ହିଟଲର, ଜହ୍ଲାଦ, ଆତଙ୍କବାଦୀ, ମୌତ କା ସୌଦାଗର ଆଦି ୫୨ଟି ‘ଗାଳି’ ଦେଇଥିବା ନଜିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe