ନୂଆଦିଲ୍ଲୀ: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି। ପରିବାର ଲୋକେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଭାରତୀୟ ସମୟ ଅନୁସାରେ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।
ତବଲା ବାଦକଙ୍କ ମୃତ୍ୟୁରେ ଶୋକ କରୁଥିବାବେଳେ ତାଙ୍କର ଶେଷ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ସୁନ୍ଦର ଗଛର ପୋଷ୍ଟ୍ କରି ସେଥିରେ ଲେଖିଛନ୍ତି, ‘ଏକ ଆଶ୍ଚର୍ଯ୍ୟଜନକ ମୁହୂର୍ତ୍ତକୁ ସେୟାର୍ କରୁଛି’। ଏହି ପୋଷ୍ଟ୍ଟି ତାଙ୍କର ୬ ସପ୍ତାହ ତଳର।
ହୃଦୟ ଜଟିଳତା ହେତୁ ସାନ ଫ୍ରାନ୍ସିସ୍କୋ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପ୍ରସିଦ୍ଧ ତବଲା ବାଦକ। ତାଙ୍କ ଅବସ୍ଥା ବିଗିଡିଯିବାରୁ ହୁସେନ୍ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇ ଆଇସିୟୁରେ ଥିଲେ। ଗତକାଲି ରାତିରେ ତାଙ୍କ ପରିବାର ଲୋକ ଜାକିରଙ୍କ ମୃତ୍ୟୁ ଖବରକୁ ଖାରଜ କରିଥିଲେ। ଆଜି ସକାଳୁ ପୁଣି ଥରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ଅବଦାନ ଅତୁଳନୀୟ । ନିଜର ଅସାଧାରଣ ପ୍ରତିଭା ପାଇଁ ସେ ଗତ କିଛି ବର୍ଷ ମଧ୍ୟରେ ଅନେକ ପୁରସ୍କାର ପାଇଛନ୍ତି । ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ ଆଣ୍ଡୋମେଣ୍ଟ ଫର ଦି ଆର୍ଟସ ପକ୍ଷରୁ ନ୍ୟାସନାଲ ହେରିଟେଜ୍ ଫେଲୋସିପ୍ ପ୍ରଦାନ କରାଯାଇଥିଲା ।
Follow Us