Image Courtesy of India Today
କିବ୍: ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍ଡିମିର ଜେଲେନସ୍କି ଆଜି ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍ବୋଧନ ଦେଇ ରୁଷ୍ ବର୍ବରତାକୁ କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି ରୁଷ୍ ଆମକୁ ଚାକର ଭଳି ରଖିବାକୁ ଯୋଜନା କରିଛି ଏବଂ ଏଥିପାଇଁ ଅତ୍ୟନ୍ତ ଅମାନବୀୟ ଭାବେ ଆକ୍ରମଣ ଜାରି ରଖିଛି। ଏ ପର୍ଯ୍ୟନ୍ତ ରୁଷ୍ ସେନାର ବର୍ବରତାରେ ବିଶ୍ବ ସ୍ତବ୍ଧ ଥିବା ବେଳେ ଆଗକୁ ବିଭିନ୍ନ ସହରରେ ରୁଷ୍ ସେନା କରିଥିବା ଅଧିକ ବର୍ବରତାର ପ୍ରମାଣ ସାମ୍ନାକୁ ଆସିବ। ରୁଷ୍ର ଏଭଳି ବର୍ବରତା ପାଇଁ ତୁରନ୍ତ ଏହାକୁ ଜାତିସଂଘ ନିରାପତ୍ତା ପରିଷଦରୁ ବହିଷ୍କାର କରିବା ପାଇଁ ଜେଲେନସ୍କି ଦାବି କରିଛନ୍ତି। ରୁଷ୍ର ବର୍ବରତା ବିରୋଧରେ ବିଶ୍ବବାସୀ ଏକଜୁଟ୍ ହେବାକୁ ଆହ୍ବାନ ଦେଇଛନ୍ତି। ରୁଷର ଯୁଦ୍ଧ ଅପରାଧ କୌଣସି ଆତଙ୍କବାଦୀ ସଂଗଠନର ବର୍ବରତାଠାରୁ କମ୍ ନୁହେଁ ବୋଲି ସେ କହିଛନ୍ତି। ଯଦି ଅନ୍ତର୍ଜାତୀୟ ଆଇନର କିଛି ମୂଲ୍ୟ ନାହିଁ ତେବେ ଜାତିସଂଘ ଆଉ କାହିଁକି ରହିବ ବୋଲି ଜେଲେନସ୍କି ପ୍ରଶ୍ନ କରିଛନ୍ତି।
ଅନ୍ୟପକ୍ଷରେ ୟୁକ୍ରେନ୍ର ବିଭିନ୍ନ ଅଂଚଳରେ ଅତି ବର୍ବର ଦୃଶ୍ୟ ଦେଖିବାକୁ ମିଳିଛି। କିବ୍ର ବୁସା, ଖାରକିଭ୍, ମାରିୟୁପୋଲ୍ ଆଦି ସହରରେ ଯେଉଁଭଳି କୁଢ଼ କୁଢ଼ ଶବ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଆଜି ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ପ୍ରତିନିଧି ଟିଏସ୍ ତିରୁମୂର୍ତ୍ତି ବୁସା ସହରରେ ସାଧାରଣ ନାଗରିକଙ୍କ ହତ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଶାନ୍ତି ପାଇଁ କୂଟନୈତିକ ପ୍ରୟାସ ଜରୁରୀ ବୋଲି ସେ କହିଛନ୍ତି ଏବଂ ବୁସା ଗଣହତ୍ୟାର ତଦନ୍ତ କୌଣସି ସ୍ବାଧୀନ ସଂସ୍ଥା ଦ୍ବାରା କରାଯିବାକୁ ଦାବି କରିଛନ୍ତି।
ଆଜି ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲେନବର୍ଗ ୟୁକ୍ରେନ୍ ଯୁଦ୍ଧକୁ ନେଇ ଅତି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରୁଷ୍ କିବ୍ରୁ ଏହାର ସେନା ପ୍ରତ୍ୟାହାର କରି ଏହାକୁ ପୂର୍ବ ଏବଂ ଦକ୍ଷିଣରେ ମୁତୟନ କରୁଛି। ଆଗାମୀ ସପ୍ତାହ ଯୁଦ୍ଧର ଅତି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଏବଂ ଏହା ନିର୍ଣ୍ଣାୟକ ହେବ ବୋଲି ନାଟୋ ମୁଖ୍ୟ କହିଛନ୍ତି। ରୁଷ୍ ପୂର୍ବ ୟୁକ୍ରେନ୍କୁ ଛାରଖାର କରିଦେବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ମାଇକୋଲେବ୍ରେ ଗତ ରାତିରେ ହୋଇଥିବା ରକେଟ୍ ଆକ୍ରମଣ ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୬୨ ଜଣ ଆହତ ହୋଇଛନ୍ତି।
Follow Us