ନୂଆଦିଲ୍ଲୀ: ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମାଆ ଘରେ ତିଆରି କରିଥିବା ‘ବର୍ଫି’ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଖାଉଥିବା ଦୃଶ୍ୟସମ୍ବଳିତ ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଏହି ଘଟଣାଟି ହେଉଛି ଫେବ୍ରୁଆରି ମାସରେ ଜେଲେନ୍ସ୍କିଙ୍କ ଇଂଲଣ୍ଡ ଗସ୍ତ ସମୟର।
ରବିବାର ଦିନ ଇନ୍ଷ୍ଟାଗ୍ରାମ୍ରେ ଏହି ଭିଡିଓ ସେୟାର୍ କରିଥିବା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଜେଲେନ୍ସ୍କିଙ୍କ କର୍ମଚାରୀମାନେ ସବୁଦିନ ମାଆଙ୍କ ହାତତିଆରି ମିଠେଇ ଚାଖି ପାରିବେ ନାହିଁ।
ଉପରୋକ୍ତ ଘଟଣା ମନେପକାଇ ଋଷି ସୁନକ କହିଛନ୍ତି, ଘରେ ତିଆରି କରିଥିବା ‘ବର୍ଫି’ ନାମକ ଭାରତୀୟ ମିଷ୍ଟାନ୍ନ ମାଆ ମୋ ପାଇଁ ଆଣିଥିଲେ। କିନ୍ତୁ, ସେତେବେଳେ (ସୁନକଙ୍କ ସାଉଥ୍ଆମ୍ପଟମ୍ ଗସ୍ତ ସମୟରେ) ମତେ ଦେଇ ପାରି ନ ଥିଲେ। ପରେ ଗୋଟାଏ ଫୁଟ୍ବଲ୍ ମ୍ୟାଚ୍ ସମୟରେ ଉକ୍ତ ‘ବର୍ଫି’ ସେ ମତେ ଦେଇଥିଲେ।
Image Courtesy of Free Press Journalସୋମବାର ଦିନ ମୁଁ ଜେଲେନ୍ସ୍କିଙ୍କୁ ଭେଟିଲି। ସେ ଓ ମୁଁ ବସି କଥାବାର୍ତ୍ତା ହେଉଥିଲୁ। ତାଙ୍କୁ ଭୋକ କରୁଥିଲା। ତେଣୁ, ମାଆ ତିଆରି କରିଥିବା ‘ବର୍ଫି’ରୁ କିଛି ତାଙ୍କୁ ଦେଲି। ଏ କଥା ଶୁଣି ମାଆ ଆନନ୍ଦରେ ଆତ୍ମହରା ହୋଇଗଲେ।
ଏହି ଭିଡିଓ କ୍ଲିପ୍କୁ ଇଂଲଣ୍ଡ୍ର ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍ରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ‘ଅଫିସିଆଲ୍’ ୟୁଟ୍ୟୁବ୍ ଚାନେଲ୍ରେ ମଧ୍ୟ ସେୟାର୍ କରାଯାଇଛି।
ସୂଚନାଯୋଗ୍ୟ, ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବାର ପ୍ରାୟ ଏକ ବର୍ଷ ପରେ ଚଳିତ ବର୍ଷ ଫେବ୍ରୁଆରି ମାସରେ ପ୍ରଥମ ଥର ପାଇଁ ଜେଲେନ୍ସ୍କି ଇଂଲଣ୍ଡ୍ ଗସ୍ତରେ ଯାଇଥିଲେ। ସେଠାରେ ସେ ଇଂଲଣ୍ଡ୍ର ରାଜାଙ୍କୁ ଭେଟିବା ସହିତ ପାର୍ଲାମେଣ୍ଟ୍ରେ ବି ଉଦ୍ବୋଧନ ଦେଇଥିଲେ।
Follow Us