ଜୁମ୍‌କୁ ତଥ୍ୟ ମାଗିଲା ପୁଲିସ, ଗଭୀରରେ ‘ଟୁଲ୍‌କିଟ୍‌’ ଚେର

ଦିଶା ରବି ଓ ଗ୍ରେଟା ଥନ୍‌ବର୍ଗଙ୍କ ଗୁପ୍ତ ଚାଟ୍‌ ସାମ୍ନାକୁ ଆସିଲା, ବିଦେଶୀ ପାଣ୍ଠି ସଂଗ୍ରହର ତଦନ୍ତ ହେବ

ଜୁମ୍‌କୁ ତଥ୍ୟ ମାଗିଲା ପୁଲିସ, ଗଭୀରରେ ‘ଟୁଲ୍‌କିଟ୍‌’ ଚେର

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଅଧିକ ଉଗ୍ର ଓ ହିଂସାତ୍ମକ କରିବା ସହ ଅନ୍ତର୍ଜାତୀୟସ୍ତରରେ ଭାରତକୁ ବଦନାମ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଟୁଲ୍‌କିଟ୍‌ ଦସ୍ତାବିଜ ସଂପର୍କରେ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଜଳବାୟୁ କର୍ମୀ ଗ୍ରେଟା ଥନ୍‌ବର୍ଗ ଏବଂ ଭାରତର ସାମାଜିକ କର୍ମୀ ଦିଶା ରବିଙ୍କ ମଧ୍ୟରେ ଏ ବାବଦରେ ହୋଇଥିବା ଗୁପ୍ତ ଚାଟ୍‌କୁ ପୁଲିସ ସାର୍ବଜନୀନ କରିଛି। ଏହି ଚାଟ୍‌ ଗ୍ରେଟା ଥନବର୍ଗ ଟୁଲ୍‌କିଟ୍‌ ଅପ୍‌ଲୋଡ଼ କରିବା ପରେ ହୋଇଥିଲା। ଟୁଲକିଟ୍‌ ପୋଷ୍ଟ୍‌ ପରେ ଦିଶା ରବି ପୁଲିସ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ଗ୍ରେଟାଙ୍କୁ ସତର୍କ କରାଇଥିଲେ। ‘ଟୁଲ୍‌କିଟ୍‌ରେ ଆମର ନାମ ଥିବାରୁ ଆମ ବିରୋଧରେ ୟୁଏପିଏ ମଧ୍ୟ ଲାଗୁ ହୋଇପାରେ’ ବୋଲି ଦିଶା ରବି ଗ୍ରେଟାଙ୍କୁ କହିଥିଲେ। ଏ ବାବଦରେ ଓକିଲଙ୍କ ସହ ପରାମର୍ଶ କରିବା ନିମନ୍ତେ ଦିଶା ରବି ଗ୍ରେଟାଙ୍କୁ ୫ ମିନିଟ୍‌ ସମୟ ମାଗିଥିଲେ। ‘ଚାଷୀ ଆନ୍ଦୋଳନ ଏକ ଘୃଣା ମାନସିକତାରେ ହେଉଥିବାରୁ ଏହା ବହୁତ ବଡ଼ ହେବ’ ବୋଲି ଗ୍ରେଟା କହିଥିଲେ। ଟୁଲ୍‌କିଟ୍‌ ଅପ୍‌ଲୋଡ ପରେ ଏହା କିଭଳି କାର୍ଯ୍ୟକାରୀ ହେବ ସେ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଯୋଜନା ହୋଇଥିଲା ଏବଂ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ କିଭଳି ଭାରତ ବିରୋଧୀ ଜନମତ ସୃଷ୍ଟି ହେବ ସେ ନେଇ ଜୁମ୍‌ ମିଟିଂ କରାଯାଇଥିଲା।

ଗ୍ରେଟା ଏବଂ ଦିଶାଙ୍କ ମଧ୍ୟରେ ହୋଇଥିବା ଚାଟ୍‌କୁ ଅବିକଳ ଭାବେ ପୁଲିସ ଆଜି ଗଣମାଧ୍ୟମ ସମ୍ମୁଖରେ ରଖିଛି। ଏହା ସହିତ ସାଧାରଣତନ୍ତ୍ର ଦିବସ ହିଂସା ପୂର୍ବରୁ ହୋଇଥିବା ଜୁମ୍‌ ବୈଠକ ବାବଦରେ ପୁଲିସ ଜୁମ୍‌ ଆପ୍‌ଠାରୁ ବିସ୍ତୃତ ତଥ୍ୟ ମାଗିଛି। ହ୍ବାଟ୍ସଆପ୍‌କୁ ମଧ୍ୟ ଡିଲିଟ୍‌ କରାଯାଇଥିବା ଚାଟ୍‌ର ଅଧିକ ବିବରଣୀ ମଗାଯାଇଛି। ୧୧ ଜାନୁଆରିରେ ହୋଇଥିବା ଜୁମ୍‌ ବୈଠକରେ ସାମିଲ ହୋଇଥିବା ସମସ୍ତଙ୍କ ସଂପର୍କରେ ପୁଲିସ ତଥ୍ୟ ମାଗିଛି। ଚାଷୀ ଆନ୍ଦୋଳନକୁ ନେଇ ଭାରତକୁ ବଦନାମ କରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ପ୍ରୟାସ ହୋଇଥିବାରୁ ଆନ୍ଦୋଳନକୁ ଆସୁଥିବା ମୋଟା ଅଙ୍କର ବିଦେଶୀ ପାଣ୍ଠି ବାବଦରେ ମଧ୍ୟ ପୁଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଦିଶା ରବି ହ୍ବାଟ୍ସଆପ୍‌ରେ ଯେଉଁ ୧୦ ଜଣଙ୍କୁ ନେଇ ଗ୍ରୁପ୍‌ ତିଆରି କରିଥିଲେ ସେମାନଙ୍କ ସଂପର୍କରେ ମଧ୍ୟ ଖୋଳତାଡ଼ ଜାରି ରହିଛି। ଟୁଲ୍‌କିଟ୍‌ରେ ଆନ୍ଦୋଳନକୁ ଅଚାନକ ହିଂସାତ୍ମକ କରିବା ପାଇଁ ଯେଉଁଭଳି ନିର୍ଦ୍ଦେଶ ରହିଥିଲା ଉପଦ୍ରବକାରୀମାନେ ଜାନୁଆରି ୨୬ରେ ସେହି ଆଧାରରେ ହିଂସା ଭିଆଇଥିଲେ ବୋଲି ଦିଲ୍ଲୀ ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe