Arab Digest
ଇସଲାମାବାଦ: ପାକିସ୍ତାନରେ ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି। ବାପାର ଇଚ୍ଛା ବିରୋଧରେ ଝିଅ ବାହା ହେବାରୁ ସଂପୃକ୍ତ ବ୍ୟକ୍ତିଜଣକ ଘରେ ନିଆଁ ଲଗାଇ ଦେଇଛି। ଏଥିରେ ପରିବାରର ୭ ଜଣ ପୋଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ସେଥିରେ ଅଭିଯୁକ୍ତର ଦୁଇ ଝିଅ ଏବଂ ୪ ଜଣ ନାତିନାତୁଣୀ ଏବଂ ଜଣେ ଜ୍ବାଇଁ ରହିଛନ୍ତି। ପାକିସ୍ତାନ ପଂଜାବ ପ୍ରଦେଶର ମୁଜାଫରଗଡ଼ ଜିଲ୍ଲାରେ ଏହି ହତ୍ୟାକାଣ୍ଡ ହୋଇଛି।
ରିପୋର୍ଟ ଅନୁଯାୟୀ ସେଠାରେ ମନଜୁରର ଫୌଜିଆ ବିବି ଏବଂ ଖୁର୍ସିଦ ମାଇ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ରହୁଥିଲେ। ଅଗ୍ନିକାଣ୍ଡରେ ଝିଅ ବିବି ଏବଂ ତା’ର ଶିଶୁ ପୁଅ, ମାଇ ଓ ତା’ର ସ୍ବାମୀ ସମେତ ଅନ୍ୟ ନାତିନାତୁଣିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି। ତେବେ ସୌଭାଗ୍ୟବଶତଃ ଝିଅ ବିବିଙ୍କ ସ୍ବାମୀ ମେହବୁବ ଅହମଦ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଶ୍ବଶୁର ମନଜୁର ଏବଂ ତାଙ୍କ ପୁଅ ସବିରଙ୍କ ବିରୋଧରେ ମେହବୁବ ଥାନାରେ ଏତଲା ଦେଇଛନ୍ତି। ମେହବୁବଙ୍କ କହିବାନୁଯାୟୀ ସେ ବ୍ୟବସାୟିକ କାମରେ ମୁଲତାନ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଘର ଜଳୁଥିବା ଦେଖିବାକୁ ପାଇଥିଲେ। ମନଜୁର ଏବଂ ସବିର ଘଟଣାସ୍ଥଳ ଛାଡ଼ି ପଳାଇଥିବା ସେ ଦେଖିବାକୁ ପାଇଥିଲେ ବୋଲି ମେହବୁବ ପୁଲିସକୁ କହିଛନ୍ତି। ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ପ୍ରେମ ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଥିବା ବିବାଦରୁ ଏଭଳି କାଣ୍ଡ ହୋଇଛି ବୋଲି ପୁଲିସ ଅଧିକାରୀ ଅବଦୁଲ ମଜିଦ କହିଛନ୍ତି। ପୁଲିସକୁ ମେହବୁବ ଦେଇଥିବା ସୂଚନା ଅନୁଯାୟୀ, ୨୦୨୦ ମସିହାରେ ସେ ବିବିକୁ ପ୍ରେମ ବିବାହ କରିଥିଲେ। ଏଥିଯୋଗୁ ମନଜୁର କ୍ରୋଧିତ ଥିଲେ। ଏହାକୁ ସେ ଅନର କିଲିଂ ବୋଲି କହିଛନ୍ତି। ମାନବାଧିକାର କର୍ମୀଙ୍କ କହିବାନୁଯାୟୀ, ପାକିସ୍ତାନରେ ବର୍ଷକୁ ୧୦୦୦ ଅନର କିଲିଂ ହେଉଛି।
Follow Us