ନୂଆଦିଲ୍ଲୀ: କରୋନା ଭାଇରସ୍ ଏବେ ଦେଶବ୍ୟାପୀ ସବୁଆଡ଼େ ଭୟ ଓ ଆତଙ୍କ ଖେଳାଇ ଦେଇଛି। ଯେଉଁସବୁ ସ୍ଥାନମାନଙ୍କରେ ସଂକ୍ରମଣର ମାତ୍ରା ଅଧିକ ରହିଛି ସେଠାରେ ଭୟର ମାତ୍ରା ମଧ୍ୟ ଅଧିକ ରହିଛି। କରୋନା ମୁକାବିଲା ପାଇଁ ସରକାର ଲକ୍ଡାଉନ୍ ଘୋଷଣା କରିଥିଲେ। ତେଣୁ ଲକ୍ଡାଉନ୍ ପାଇଁ ବିଭିନ୍ନ ସହରରେ ଫସି ରହିଥିବା ଲୋକମାନେ ଏବେ ଗାଁକୁ ଫେରିଯିବାପାଇଁ ମନ ବଳାଇଛନ୍ତି। କିନ୍ତୁ ଅନେକ ଲୋକ ନାନାଦି କଷ୍ଟ କରି ସହରରୁ ଗାଁକୁ ଫେରିଥିଲେ ମଧ୍ୟ ଗାଁରେ ସେମାନଙ୍କୁ ରହିବାପାଇଁ ଜାଗା ମିଳୁନି। ଉତ୍ତରପ୍ରଦେଶରେ କିଛି ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି ସହରରୁ ଫେରିଥିବା କିଛି ଲୋକଙ୍କୁ ସେମାନଙ୍କ ପରିବାର ସଦସ୍ୟ ବି ଘରେ ପୂରାଇ ଦେଉନାହାନ୍ତି। ସେମାନଙ୍କୁ ସ୍କୁଲ୍ କିମ୍ବା ଗାଁ ବାହାରେ ରହିବାକୁ ବାଧ୍ୟ କରାଯାଉଛି। ଦକ୍ଷିଣପୂର୍ବ ଦିଲ୍ଲୀଠାରୁ ଦୂର ଦାଇପୁର ଗ୍ରାମର ମୁଖିଆ ମଲଖାନ୍ ସିଂହ କହିଛନ୍ତି, ଲୋକମାନେ ଏଠାରେ ଖୁବ୍ ଭୟରେ ରହିଛନ୍ତି। କିଛି ଭୁଲ୍ ଖବର ମଧ୍ୟ ପ୍ରସାରିତ ହେଉଛି। ସେ କହିଛନ୍ତି ତାଙ୍କ ଗ୍ରାମରେ ବାହାରୁ ଆସିଥିବା କୌଣସି ଆତ୍ମୀୟସ୍ବଜନ ଏବଂ ବନ୍ଧୁବାନ୍ଧବଙ୍କୁ ମଧ୍ୟ ଘରେ ରହିବାର ସୁଯୋଗ ମିଳୁନି।
ଭାରତରେ ୧୩୦ କୋଟି ଜନସଂଖ୍ୟାଙ୍କ ମଧ୍ୟରୁ ୨ ତୃତୀୟାଂଶ ଆଭ୍ୟନ୍ତରୀଣ ଅଞ୍ଚଳରେ ରହୁଥିବାବେଳେ ଏଠାକାର କ୍ଷୁଦ୍ର ସହର ଏବଂ ଗ୍ରାମ ଗୁଡ଼ିକରେ ମଧ୍ୟ ଏହି ସମାନ ସ୍ଥିତି। ଅଧିକାଂଶ ଲୋକ ଗାଁକୁ ଫେରିବା ପରେ ସେମାନଙ୍କୁ ଆଉ ଗାଁରେ ଜାଗା ମିଳୁନି। କରୋନା ଭାଇରସ୍ ଏବେ ଭାରତର ପ୍ରାୟ ୩୦ ପ୍ରତିଶତ ଆଭ୍ୟନ୍ତରୀଣ ଅଞ୍ଚଳରେ ପହଞ୍ଚିଥିବାରୁ ଲୋକେ ଏନେଇ ଭୟ କରିଛନ୍ତି। ଗ୍ରାମୀଣ ଅଞ୍ଚଳରେ ଯଦି ୦.୦୩ ପ୍ରତିଶତ ଲୋକ ବି କରୋନା ସଂକ୍ରମିତ ହୁଅନ୍ତି ତେବେ ସରକାରୀ ହସ୍ପିଟାଲ୍ଗୁଡ଼ିକରେ ବେଡ୍ ରହିବନି ବୋଲି ଜନ୍ସ ହପକିନ୍ସ ୟୁନିଭର୍ସିଟିର ପ୍ରଫେସର ଷ୍ଟିଭ୍ ହାଙ୍କେ କହିଛନ୍ତି। ପ୍ରତିବର୍ଷ ୯ ଲକ୍ଷ ଲୋକ ସହରରୁ ଗାଁକୁ ଯାତ୍ରା କରନ୍ତି। ସେମାନେ ସହରରୁ ଗାଁକୁ ଭାଇରସ୍ ନେଇ ଯାଇପାରନ୍ତି ବୋଲି କୁହାଯାଇଛି। ଗ୍ରାମୀଣ ଅଞ୍ଚଳରେ ପ୍ରାୟ ୨ ଡଜେନ୍ରୁ ଅଧିକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ଗ୍ରାମ ମୁଖିଆ ଓ ସରକାରୀ ଅଧିକାରୀଙ୍କ ସହ ସାକ୍ଷାତକାରରୁ ଏହା ଜଣାପଡ଼ିଛି ଯେ, ଭାଇରସ୍କୁ ନେଇ ଗାଁରେ ଅଧିକ ଭୟ ରହିଛି। ଗ୍ରାମରେ ସ୍ବାସ୍ଥ୍ୟ ସେବା ସେତେ ଉନ୍ନତ ନାହିଁ। ମେଡିକାଲ ଉପକରଣର ମଧ୍ୟ ଅଭାବ ଦେଖାଦେଇଛି ଓ ଟେଷ୍ଟିଂ ନାହିଁ।
Follow Us