କାମଚଳା ବଜେଟ୍‌ ୨୦୧୯: ସବୁ ବର୍ଗଙ୍କୁ ଆଶ୍ବସ୍ତି

ଗୋୟଲଙ୍କ ଅଭିଭ‌ାଷଣରେ ‘ହାଓ ଇଜ୍‌ ଦ‌ ଜୋଶ୍‌’

କାମଚଳା ବଜେଟ୍‌ ୨୦୧୯: ସବୁ ବର୍ଗଙ୍କୁ ଆଶ୍ବସ୍ତି

ବ‌ଜେଟ୍‌ ପ୍ରତିକ୍ରିୟା
ଏହା କେବଳ ଏକ ନିର୍ବାଚନୀ ବଜେଟ୍‌,ମନମୋହନ ସିଂହ, ପୂର୍ବ ପ୍ରଧାନମନ୍ତ୍ରୀ
କେନ୍ଦ୍ର ସରକାରଙ୍କ ୨୦୧୯ ଅନ୍ତରୀଣ ବଜେଟ୍‌ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଏବଂ ଏହା ଏକ ନିର୍ବାଚନୀ ବଜେଟ୍‌। ଲୋକଙ୍କୁ ପ୍ରଲୋଭିତ କରିବାକୁ ସରକାର ଏଥିରେ ଯଥେଷ୍ଟ ଉଦ୍ୟମ କରିଛନ୍ତି ବୋଲି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି। ବଜେଟ୍‌ ଦେଶ ପାଇଁ ବିଶେଷ କଲ୍ୟାଣକାରୀ ହେବନାହିଁ ବୋଲି ସେ କହିଛନ୍ତି।

ସବୁ ବର୍ଗଙ୍କୁ ଆଶ୍ବସ୍ତି ମିଳିଛି
ଅମିତ ଶାହ, ବିଜେପି ଅଧ୍ୟକ୍ଷ
ମୋଦୀ ସରକାରଙ୍କ ଅନ୍ତରୀଣ ବଜେଟ୍‌ରେ ସବୁ ବର୍ଗଙ୍କୁ ଆଶ୍ବସ୍ତି ମିଳିଛି। କୃଷକ, ଶ୍ରମିକ, ମଧ୍ୟମ ବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଯେଉଁ ଆଶା ରଖିଥିଲେ, ତାହା ଏହି ବଜେଟ୍‌ରେ ପ୍ରତିଫଳିତ ହୋଇଛି । ସରକାର ୭୫ ହଜାର କୋଟି ଟଙ୍କାର ବୋଝ ଉଠାଇ କୃଷକ ଭାଇମାନଙ୍କୁ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଭୋଟ୍‌ ପୂର୍ବରୁ ଲାଞ୍ଚ
ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ନେତା
କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟ୍‌ ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଭୋଟ୍‌ରଙ୍କୁ ଏକ ପ୍ରକାର ଲାଞ୍ଚ ଭଳି ହୋଇଛି। ବିଜେପି ହାତରେ ସରକାର ଚଳାଇବା ପାଇଁ ଆଉ ସମୟ ନାହିଁ। ତେଣୁ ଏହି ବଜେଟ୍‌ ଏକ ମିଥ୍ୟା ପ୍ରଚାର ଛଡ଼ା ଆଉ କିଛି ନୁହେଁ ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି। ଲୋକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଜମା କରାଯିବ ବୋଲି ଦିଆଯାଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ଏବଂ ପ୍ରତିବର୍ଷ ୧୦ କୋଟି ଚାକିରି କାହିଁକି ସୃଷ୍ଟି କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଗୋୟଲଙ୍କ ଅଭିଭ‌ାଷଣରେ ‘ହାଓ ଇଜ୍‌ ଦ‌ ଜୋଶ୍‌’

publive-image
ନୁଆଦିଲ୍ଲୀ: ବ୍ଲକ୍‌ବଷ୍ଟର ଚଳଚିତ୍ର ‘ଉରି’ ଏବଂ ଏହାର ଚର୍ଚ୍ଚିତ ଡାଏଲଗ୍‌ ‘ହାଓ ଇଜ୍‌ ଦ ଜୋଶ୍‌’ ଆଜି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲଙ୍କ ବଜେଟ୍‌ ଅଭିଭାଷଣରେ ମଧ୍ୟ ପ୍ରଭାବ ବିସ୍ତାର କରିଥିଲା। ବଜେଟ୍‌ ଉପସ୍ଥାପନ ସମୟ‌ରେ ‌ଗୋୟଲ ଆଜି ୨ ଥର ‘‌ଜୋଶ୍‌’ ଶବ୍ଦ ବ୍ୟବହାର କରିଛନ୍ତି। ‘ଉରି’ ଚଳଚିତ୍ରକୁ ଗୋୟଲ ଦେଖିଛନ୍ତି ଏବଂ ଏହା ତାଙ୍କୁ ଖୁବ୍‌ ଭଲ ଲାଗିଛି ବୋଲି ସେ କହିଛନ୍ତି। ଚଳଚିତ୍ରଟିରେ ବହୁତ ‘ଜୋଶ୍‌’ ଏବଂ ବହୁତ ମଜା ଅଛି ବୋଲି ଗୋୟଲ କହିଛନ୍ତି। ଗୋୟଲ ଜୋଶ୍‌ ଶବ୍ଦ ବ୍ୟବହାର କରିବା ପରେ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ଅନ୍ୟ ସଦସ୍ୟମାନେ ମଧ୍ୟ ‘ହାଓ ଇଜ୍‌ ଦ ଜୋଶ’ ବୋଲି କହିଥିଲେ। ଉଲ୍ଲେଖ‌ଯୋଗ୍ୟ ୨୦୧୬ ମସିହାରେ ଜମ୍ମୁ କଶ୍ମୀରର ଉରି ସେନା ଶିବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନାବାହିନୀ ଦ୍ବାରା ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌କୁ ଆଧାର କରି ‘ଉରି ’ ଚଳଚିତ୍ର ପ୍ରସ୍ତୁତ ହୋଇଛି।

ଲୋକଙ୍କ ବଜେଟ୍‌, ଲୋକଙ୍କ ପାଇଁ
ସୁରେଶ ପ୍ରଭୁ, ବାଣିଜ୍ୟ ମନ୍ତ୍ରୀ
୨୦୧୯ ଅନ୍ତରୀଣ ବଜେଟ୍‌ ଲୋକଙ୍କ ପାଇଁ ଏବଂ ଲୋକଙ୍କର। ଏଥିରେ ଜନସାଧାରଣଙ୍କ ଉନ୍ନତି ଓ ପ୍ରଗତିକୁ ନୂଆ ରୂପ ଦିଆଯାଇଛି। ଏହି ବଜେଟ୍‌ ୨୦୨୨ ସୁଦ୍ଧା ନୂଆ ଭାରତର ସ୍ବପ୍ନକୁ ପୂରଣ କରିବ ବୋଲି ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି।

ବିକାଶମୁଖୀ ଓ କଲ୍ୟାଣକାରୀ ବଜେଟ୍‌
କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲି
ଅନ୍ତରୀଣ ବଜେଟ୍‌ ଅତ୍ୟନ୍ତ ବିଜ୍ଞତାର ସହ ପ୍ରସ୍ତୁତ କରାଯାଇଥିବା ଏକ ଜନ କଲ୍ୟାଣକାରୀ ବଜେଟ୍‌। ଏହା ଦେଶର ଗରିବ ଓ କୃଷକଙ୍କ ବିକାଶ ପାଇଁ ପଥ ଉନ୍ମୁକ୍ତ କରିଛି। ଭାରତୀୟ ମଧ୍ୟବିତ୍ତଙ୍କ କ୍ରୟଶକ୍ତିକୁ ଏହି ବଜେଟ୍‌ ବଢ଼ାଇବ। ବଜେଟ୍‌ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିବ। ଏହି ବଜେଟ୍‌ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଜେଟ୍‌ଲି କହିଛନ୍ତି। ଟିକସ ରିହାତି ଦ୍ବାରା ଲୋକଙ୍କ ଖର୍ଚ୍ଚ ଶକ୍ତି ବଢ଼ିବ ଏବଂ ଏହା ଅର୍ଥନୀତି ପାଇଁ ଫାଇଦା ଆଣିବ।

ଭୋଟ୍‌କୁ ଦେଖି ବଜେଟ୍‌
ପି. ଚିଦମ୍ବରମ, ପୂର୍ବ ଅର୍ଥମନ୍ତ୍ରୀ
ବଜେଟ୍‌ରେ ସମ୍ବଳ ଉପରେ ଗରିବଙ୍କ ଅଧିକାରକୁ ଦୋହରାଇ ସରକାର କଂଗ୍ରେସର ଘୋଷଣାପତ୍ରକୁ ନକଲ କରିଛନ୍ତି। ୨୦୧୮-୧୯ ପାଇଁ ଆର୍ଥିକ ନିଅଣ୍ଟ ସ୍ଥିତି ସଂପର୍କରେ ସରକାର କିଛି ବି ସ୍ପଷ୍ଟ କରିନାହାନ୍ତି। ସରକାରଙ୍କ ଘୋଷଣା ଦେଶ ପାଇଁ ବିଶେଷ କିଛି ଫାଇଦା ଆଣିବ ନାହିଁ।

କୃଷକଙ୍କ କଟା ଘା’ରେ ଚୂନ: ଯୋଗେନ୍ଦ୍ର ଯାଦବ
କେନ୍ଦ୍ର ସରକାର ଅନ୍ତରୀଣ ବଜେଟ୍‌ରେ କୃଷକଙ୍କ ପାଇଁ ନେଇଥିବା ପଦକ୍ଷେପ କଟା ଘା’ରେ ଚୂନ ଦେବା ଭଳି ହୋଇଛି । ସରକାର ପରିବାର ପିଛା ୬ ହଜାର ଟଙ୍କା ସହାୟତା ଦେବାକୁ ଯେଉଁ ଘୋଷଣା କରିଛନ୍ତି ତାହା ବାର୍ଦ୍ଧକ୍ୟ ଭତ୍ତାଠାରୁ ମଧ୍ୟ କମ୍‌ । ଯଦି କୌଣସି ପରିବାରର ୫ ଜଣ ସଦସ୍ୟ ଅଛନ୍ତି ତାହେଲେ ଜଣ ପିଛା ମାତ୍ର ୩ଟଙ୍କା ୩ ପଇସା ମିଳିବ। ସରକାର କେବଳ ଭୋଟ୍‌ ହାସଲ ପାଇଁ ଉପରଠାଉରିଆ ଭାବେ କରିଥିବା ଏହି ଘୋଷଣା କୃଷକଙ୍କ ସମସ୍ୟା ସମାଧାନ କରିପାରିବ ନାହିଁ ବୋଲି ରାଜନେତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ଯୋଗେନ୍ଦ୍ର ଯାଦବ କହିଛନ୍ତି।

ଐତିହାସିକ ବଜେଟ୍‌: ରାଜନାଥ ସିଂହ, ଗୃହମନ୍ତ୍ରୀ
ସରକାର ଏକ ଐତିହାସିକ ବଜେଟ୍‌ ଉପସ୍ଥାପନ କରିଛନ୍ତି । ସମାଜର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପ୍ରତି ଏଥିରେ ଦୃଷ୍ଟି ଦିଆଯାଇଛି ଏବଂ ସମସ୍ତେ ଏଥିରୁ ଉପକୃତ ହେବେ। ଏହି ବଜେଟ୍‌ର ସୁଦୂରପ୍ରସାରୀ ପ୍ରଭାବ ଦେଖିବାକୁ ମିଳିବ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ଅନ୍ତରୀଣ ବଜେଟ୍‌ର କିଛି ଅର୍ଥନାହିଁ
ମମତା ବାନାର୍ଜୀ, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ
୨୦୧୯-୨୦ ପାଇଁ ଉପସ୍ଥାପନ ହୋଇଥିବା ଅନ୍ତରୀଣ ବଜେଟ୍‌ର କିଛି ଅର୍ଥ ନାହିଁ। ଲୋକସଭା ନିର୍ବାଚନ ପରେ ଗଠନ ହେବାକୁ ଥିବା ନୂଆ ସରକାର ଏହାକୁ ଲାଗୁ କରିବେ କି ବୋଲି ମମତା ପ୍ରଶ୍ନ କରିଛନ୍ତି। ନିର୍ବାଚନ ପୂର୍ବରୁ ଏଭଳି ବଜେଟ୍‌ ଉପସ୍ଥାପନ କରିବାର ନୈତିକ ଅଧିକାର ବିଜେପି ସରକାରଙ୍କ ନାହି ବୋଲି ମମତା କହିଛନ୍ତି।

ମୋଦୀ ସରକାରଙ୍କ ଶେଷ ଚାଲ୍‌
ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ର
ନିର୍ବାଚନକୁ ଆଖି ଆଗରେ ରଖି ସରକାର ଆଣିଥିବା ଏହି ବଜେଟ୍‌ରେ କିଛି ନାହିଁ ଏବଂ ମୋଦୀ ସରକାରଙ୍କ ଶେଷ ଚାଲ୍‌। ଏ ସଂପର୍କରେ ଦେଶବାସୀ ଭଲ ଭାବେ ଜାଣିସାରିଛନ୍ତି ଏବଂ ଆଗକୁ ନିର୍ବାଚନରେ ଏହାର ଜବାବ ମିଳିବ ବୋଲି କେଜ୍ରିୱାଲ କହିଛନ୍ତି।

ଆନ୍ଧ୍ରବାସୀଙ୍କୁ ପ୍ରତାରଣା କରିଛନ୍ତି ସରକାର
ଚନ୍ଦ୍ରବାବୁ ନାଇଡ଼ୁ
କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ଲୋକ ଦେଖାଣିଆ ପଦକ୍ଷେପ ସରକାର ଏହି ବଜେଟ୍‌ରେ ନେଇଛନ୍ତି। ଆନ୍ଧ୍ର ପ୍ରଦେଶର ଲୋକଙ୍କୁ ସରକାର ପ୍ରତାରିତ କରିଛନ୍ତି। ସରକାର ଭାବୁଛନ୍ତି ସେମାନଙ୍କ ବୀରତ୍ବ ନାହିଁ। ଆନ୍ଧ୍ର ପ୍ରଦେଶକୁ ଏହାର ପ୍ରାପ୍ୟରୁ ବଞ୍ଚିତ କରାଯାଇଛି ବୋଲି ନାଇଡ଼ୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe