ଜମ୍ମୁ-କାଶ୍ମୀର, ହିମାଚଳରେ ଅଚାନକ ବନ୍ୟା; ୨୨ ମୃତ, ୫୦ ନିଖୋଜ

Advertisment
ଜମ୍ମୁ-କାଶ୍ମୀର, ହିମାଚଳରେ ଅଚାନକ ବନ୍ୟା; ୨୨ ମୃତ, ୫୦ ନିଖୋଜ

The Indian Express

ଶ୍ରୀନଗର: ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶରେ ଆଜି ବାଦଲ ଫଟା ବର୍ଷା ଯୋଗୁଁ ଅନେକ ବନ୍ୟା ଆସିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ନିଖୋଜ ଅଛନ୍ତି। କାଶ୍ମୀରେ ଅଚାନକ ବନ୍ୟାରେ ୮ ଜଣ ମୃତ୍ୟୁବରଣ କରିଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଏଥି ସହ ପାହାଡ଼ିଆ କିଷ୍ଟୱାର ଜିଲ୍ଲା ଅନ୍ତର୍ଗତ ଡାଚାନ ବ୍ଲକ୍‌ର ହୋଞ୍ଜାର ଗାଁର ଅନେକ ଘର ଏହି ବନ୍ୟାଜଳରେ ଭାସିଯାଇଛି। ଆହତ ଅବସ୍ଥାରେ ୧୨ ଜଣ ଲୋକଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ସାଢ଼େ ଚାରିଟାବେଳେ ପ୍ରବଳ ବର୍ଷା ଯୋଗୁ ଆକସ୍ମିକ ବନ୍ୟାଜଳ ମାଡ଼ି ଆସିଥିଲା। ତାହା ଘରଦ୍ବାର ସହ ପ୍ରାୟ ୪୦ ଲୋକ ଓ ପଶୁଜନ୍ତୁଙ୍କୁ ଭସାଇ ନେଇଥିଲା। ସେତେବେଳେ ଲୋକମାନେ ଶୋଇଥିଲେ ଏବଂ ବନ୍ୟା ଆସିବା ପୂର୍ବରୁ ‌ସେମାନେ ଏ ବାବଦରେ ସଚେତନ ନ ଥିଲେ। ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ମିଳିଛି। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ନିଖୋଜମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସେହିଭଳି ହିମାଚଳରେ ଆସିଥିବା ବନ୍ୟାରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଲାହଲ୍‌ ଏବଂ ସ୍ପିଟିରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ନିଖୋଜ ଅଛନ୍ତି। କୁଲ୍ଲୁ ଜିଲ୍ଲାରେ ୮ ଜଣ ନିଖୋଜ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରେ ଦିଲ୍ଲୀର ଜଣେ ପର୍ଯ୍ୟଟକ ଅଛନ୍ତି। ଯେଉଁମାନେ ନିଖୋଜ ହୋଇଯାଇଛନ୍ତି ସେମାନେ ଭୂସ୍ଖଳନ ଯୋଗୁଁ ମାଟିତଳେ ଫସି ଯାଇଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲଗାତାର ଏଭଳି ବିପର୍ଯ୍ୟୟ ଘଟୁଛି ବୋଲି ଏନ୍‌ଡିଆରଏଫ୍‌ ମହାନିର୍ଦ୍ଦେଶକ ଏସ୍‌ ଏନ୍‌ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe