FILE PHOTO: India's Prime Minister Narendra Modi speaks to the media inside the parliament premises on the first day of the winter session in New Delhi, India, November 18, 2019. REUTERS/Altaf Hussain/File Photo
ନୂଆଦିଲ୍ଲୀ: ଭାରତ ପୁଞ୍ଜିନିବେଶର ଏକ ଆକର୍ଷଣୀୟ ସ୍ଥଳରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବିଶ୍ବ ଅର୍ଥନୀତି ଫୋରମ୍ର ଡାଭୋସ୍ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଉଚ୍ଚ ଅଭିବୃଦ୍ଧି ଓ ଜନକଲ୍ୟାଣର ଲକ୍ଷ୍ୟ ନେଇ ଆଗେଇ ଚାଲିଛି। ଭାରତ ଆଗାମୀ ୨୫ ବର୍ଷ ପରକୁ ନଜରରେ ରଖି ଆଜି ପାଇଁ ଯୋଜନା କରୁଛି। ପ୍ରକ୍ରିୟାଗୁଡ଼ିକୁ ସରଳ କରିବା କେବଳ ଭାରତର ଉଦ୍ଦେଶ୍ୟ ନୁହେଁ, ବରଂ ଏହା ପୁଞ୍ଜିନିବେଶ ଓ ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ଚାହେଁ।
ଏହି ଆଭିମୁଖ୍ୟକୁ ନେଇ ଅଦ୍ୟାବଧି ୧୪ଟି ସେକ୍ଟରରେ ୨୬ ଶହ କୋଟି ଡଲାର ଉତ୍ପାଦନ-ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ଯୋଜନା କାର୍ଯ୍ୟକାରୀ କରିଛି। ବିଶ୍ବରେ ତୃତୀୟ ସର୍ବାଧିକ ୟୁନିକର୍ଣ୍ଣ (୧୦୦ କୋଟି ଡଲାରରୁ ଊର୍ଦ୍ଧ୍ବ ମୂଲ୍ୟର ଘରୋଇ ଷ୍ଟାର୍ଟ-ଅପ୍ କମ୍ପାନି) ଭାରତରେ ଅଛି। ଗତ ୬ ମାସ ଭିତରେ ଦେଶରେ ୧୦,୦୦୦ରୁ ଊର୍ଦ୍ଧ୍ବ ଷ୍ଟାର୍ଟ-ଅପ୍ କମ୍ପାନି ପଞ୍ଜୀକୃତ ହୋଇଛନ୍ତି। ବର୍ତ୍ତମାନ ଭାରତ ରେକର୍ଡ ସଂଖ୍ୟକ ସଫ୍ଟୱେର ଇଂଜିନିୟର ସାରା ବିଶ୍ବକୁ ପଠାଉଛି। ଭାରତରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ସଫ୍ଟୱେର ଡେଭ୍ଲପର୍ ଅଛନ୍ତି। ଭାରତୀୟମାନଙ୍କର ଯେଉଁ ଔଦ୍ୟୋଗିକ ଉତ୍ସାହ ଓ ନୂଆ ପ୍ରଯୁକ୍ତିକୁ ଆପଣେଇବାର କ୍ଷମତା ଅଛି ତାହା ଆମର ସମସ୍ତ ବିଶ୍ବ ଅଂଶୀଦାରଙ୍କୁ ନୂତନ ଶକ୍ତି ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରିପ୍ଟୋ କରେନ୍ସି ଉପରେ ମୋଦୀ କହିଛନ୍ତିଏହା ପଛରେ ଯେଉଁ ପ୍ରଯୁକ୍ତି ଅଛି, କୌଣସି ଗୋଟିଏ ଦେଶ ତାକୁ ପରିଚାଳନା କରିପାରିବ ନାହିଁ। ସବୁ ଦେଶ ମିଳିତ ଭାବେ ଏହା ଉପରେ କାମ କରିବା ଉଚିତ।
Follow Us