The Indian Express
ପାଟନା: ଆଜି ବିହାରର ବୈଶାଳି ଓ ସମସ୍ତିପୁରରେ ଦୁଇଟି ପୃଥକ୍ ଘଟଣାରେ ବଣଭୋଜି କରିବାକୁ ଯାଇଥିବା ୫ ଜଣ ନାବାଳିକା ସମେତ ୧୨ ଜଣଙ୍କର ସଲିଳ ସମାଧି ଘଟିଛି। ବୈଶାଳି ଠାରେ ଗଙ୍ଗା ନଦୀରେ ବୁଡ଼ିଯାଉଥିବା ଜଣେ ଝିଅକୁ ଉଦ୍ଧାର କରିବାକୁ ଯାଇ ସଂପୃକ୍ତ ନାବାଳିକା ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସମସ୍ତିପୁର ଜିଲ୍ଲାରେ ବାଗମତି ନଦୀ ପାର ହେଉଥିବା ବେଳେ ଡଙ୍ଗା ଓଲଟିପଡ଼ିବାରୁ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ, ପାଟନା ଜିଲ୍ଲାର ଫତୁହା ଉପଖଣ୍ଡ ଅନ୍ତର୍ଗତ ଦରିୟାପୁର ଗାଁର ଦଳେ ଝିଅପିଲା ଏବଂ ସେମାନଙ୍କ ପରିବାରବର୍ଗ ବୈଶାଳି ଜିଲ୍ଲାର ରଘୁପୁର ବ୍ଳକ୍ ନିକଟ ଗଙ୍ଗା ନଦୀର ମସ୍ତାନା ଘାଟକୁ ବଣଭୋଜି କରିବାକୁ ଯାଇଥିଲେ। ନଦୀ ମଝି ଏକ ଟାପୁରେ ସମସ୍ତେ ଥିଲା ବେଳେ ଜଣେ ବାଳିକା ନଦୀ ସ୍ରୋତକୁ ଖସିପଡ଼ିଥିଲା। ତା’କୁ ଉଦ୍ଧାର କରିବାକୁ ଯାଇ ଅନ୍ୟମାନେ ମଧ୍ୟ ନଦୀକୁ ଡେଇଁଥିଲେ। ମାତ୍ର କେହି ନଦୀଗର୍ଭରୁ ମୁକୁଳିପାରିନଥିଲେ। ପରେ ୫ ଜଣ ନାବାଳିକା ଏବଂ ୪ ଜଣ ପୁରୁଷ ଲୋକଙ୍କର ଶବ ଉଦ୍ଧାର ହୋଇଥିବା ବେଳେ ଅଦ୍ୟାବଧି ୨ ଜଣ ନିଖୋଜ ଅଛନ୍ତି।
ସେହିପରି ଅନ୍ୟ ଏକ ଘଟଣାରେ ସମସ୍ତିପୁର ଜିଲ୍ଲା ରୋସେରା ଉପଖଣ୍ଡର ମଧୁରାପୁର ନିକଟ ଧର୍ମପୁର ଘାଟରେ ଦଳେ ମହିଳା ସବୁ ଦିନ ପରି ବାଗମତି ନଦୀ ପାର ହୋଇ ଗୋଖାଦ୍ୟ ସଂଗ୍ରହ ପାଇଁ ଯାଉଥିଲେ। ତେବେ ଏକ ଛୋଟ ଡଙ୍ଗାରେ ୧୨ରୁ ଅଧିକ ଯାତ୍ରୀ ବସିଥିବା ବେଳେ ନଦୀ ମଝିରେ ତାହା ଟଳମଳ ହୋଇ ଓଲଟି ପଡ଼ିଥିଲା। ସେମାନଙ୍କ ମଧ୍ୟରୁ କିଛି କିଛି ପହଁରି କୂଳରେ ଲାଗିଥିବା ବେଳେ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ପରେ ଜାଲ ସାହାଯ୍ୟରେ ପାଁଣିରୁ ୨୦ରୁ ୩୦ ବର୍ଷ ଭିତରର ୩ ଜଣ ମହିଳାଙ୍କର ଶବ ମିଳିଥିଲା।
Follow Us