ନୂଆଦିଲ୍ଲୀ: ରାଫେଲ୍ ଲଢୁଆ ବିମାନ କ୍ରୟ ଚୁକ୍ତିକୁ ନେଇ କୌଣସି ମାମଲା ରୁଜୁ କରିବା ବା ସିବିଆଇ ତଦନ୍ତ କରିବାର ପ୍ରଶ୍ନ ଉଠୁ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଯେହେତୁ ଏହି ମାମଲାରେ ରାୟ ଦେଇସାରିଛନ୍ତି ତେଣୁ ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନଥିବା ଦର୍ଶାଇ କେନ୍ଦ୍ର ସରକାର ୩୯ ପୃଷ୍ଠା ସମ୍ବଳିତ ଦସ୍ତାବିଜ ସୁପ୍ରିମ କୋର୍ଟରେ ଦାଖଲ କରିଛନ୍ତି। ସରକାରଙ୍କ ତରଫରୁ ଯୁକ୍ତି କରାଯାଇଛି, ଏହି ମାମଲାରେ କୋର୍ଟ ସମସ୍ତ ତିନଟି ବିଷୟକୁ ବିଚାର କରି ରାୟ ଦେଇସାରିଛନ୍ତି। ରାଫେଲ୍ ଚୁକ୍ତିରେ ନିଷ୍ପତ୍ତି ନେବା ପ୍ରକ୍ରିୟା, ଏହାର ମୂଲ୍ୟ ନିର୍ଧାରଣ ଏବଂ ଭାରତୀୟ ଅଂଶୀଦାର ବିଷୟରେ କୋର୍ଟ ବିଚାର କରିସାରିଛନ୍ତି। ତେଣୁ ୩୬ଟି ରାଫେଲ୍ ଲଢୁଆ ବିମାନ କ୍ରୟରେ କୋର୍ଟ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ରାଫେଲ୍ ଲଢୁଆ ବିମାନ କ୍ରୟ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଡିସେମ୍ବର ୧୪ ରାୟରେ କେନ୍ଦ୍ର ସରକାରଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ। ପରବର୍ତ୍ତୀ ସମୟରେ ଏକ ନିର୍ଦିଷ୍ଟ ଖବର କାଗଜରେ ପ୍ରକାଶ ପାଇଥିବା ରିପୋର୍ଟକୁ ଆଧାର କରି ବରିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଯଶବନ୍ତ ସିହ୍ନା ଏବଂ ଅରୁଣ ସୌରୀ ଏହାର ସମୀକ୍ଷା ପାଇଁ ଆବେଦନ କରିଥିଲେ।
ରାଫେଲ୍ ମାମଲା: ସିବିଆଇ ତଦନ୍ତର ପ୍ରଶ୍ନ ଉଠୁନି: ସରକାର
Advertisment
Follow Us