ରାହୁଲଙ୍କୁ ସମର୍ଥନ କରି କଂଗ୍ରେସ ନେତାଙ୍କ ଇସ୍ତଫା

ରାହୁଲ ସଭାପତି ହେବାର ୧% ସମ୍ଭାବନା ନାହିଁ : ମୋଇଲି

ରାହୁଲଙ୍କୁ ସମର୍ଥନ କରି କଂଗ୍ରେସ ନେତାଙ୍କ ଇସ୍ତଫା

photo-ndtv

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ଆସିବାପରଠାରୁ କଂଗ୍ରେସର ସଙ୍କଟ ବଢ଼ି ଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳର ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ଅଡ଼ି ବସିଛନ୍ତି। ଦଳର ବିଭିନ୍ନ ପୁରୁଖା ନେତାଙ୍କ ଅନୁରୋଧ ସତ୍ତ୍ବେ ରାହୁଲ ନିଜ ନିଷ୍ପତ୍ତି ବଦଳାଉନାହାନ୍ତି। ତେଣୁ ଏବେ କଂଗ୍ରେସର ବିଭିନ୍ନ ବରି‌ଷ୍ଠ ନେତାମାନେ ରାହୁଲଙ୍କ ସମର୍ଥନରେ ନିଜ ନିଜ ପଦରୁ ଇସ୍ତଫା ଦେଉଛନ୍ତି। ଚିଠି ମାଧ୍ୟମରେ ବିଭିନ୍ନ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ ନିଜ ନିଜ ପଦରୁ ଇସ୍ତଫା ‌‌ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ବିବେକ ତନ୍‌ଖା ଏଆଇସିସି ନ୍ୟାୟିକ ମାନବିକ ଅଧିକାର ଏବଂ ଆରଟିଆଇ ବିଭାଗ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାର ମାତ୍ର କିଛି ଘଣ୍ଟା ପରେ କଂଗ୍ରେସରୁ ବରିଷ୍ଠ ନେତାମାନଙ୍କ ଇସ୍ତଫାର ସୁଅ ଛୁଟିଛି। ସୋସିଆଲ ମିଡିଆରେ ଏବେ କଂଗ୍ରେସ ନେତାମାନଙ୍କ ଗଣ ଇସ୍ତଫା ଚିଠି ପ୍ରସ‌ାରିତ ହୋଇଛି। ଏହି ଚିଠିରେ ୮୦ ଜଣ ନେତାଙ୍କ ଦସ୍ତଖତ ଅଛି ଏବଂ ଚିଠିଟିରେ ଲେଖାଯାଇଛି ‘ରାହୁଲ ଗାନ୍ଧୀଙ୍କୁ ସମ୍ମାନ ଦେଇ ମୁଁ ମୋ ନିଜ ପଦରୁ ଇସ୍ତଫା ଦେବାପାଇଁ ପସନ୍ଦ କରିବି’। ଗଣ ଇସ୍ତଫା ଚିଠିରେ ଦସ୍ତଖତ କରିଥିବା ନେତାମାନଙ୍କ ମଧ୍ୟରେ ଏଆଇସିସି ସଚିବ, ଯୁବ କଂଗ୍ରେସ ନେତା ଏବଂ ମହିଳା କଂଗ୍ରେସ ନେତ୍ରୀ ମଧ୍ୟ ଅଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନେତା ଏମ୍‌ ବୀରାପା ମୋଇଲି ଆଜି କହିଛନ୍ତି ରାହୁଲ ଗାନ୍ଧୀ ସଭାପତି ପଦରେ ରହିବା ନେଇ ୧ ପ୍ରତିଶତ ସମ୍ଭାବନା ବି ନାହିଁ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୂଆ ଟିମ୍‌ ଗଠନ କରିବାର ପୂର୍ଣ୍ଣ ସ୍ବାଧୀନତା ଦେବାପାଇଁ ଦଳୀୟ‌ ନେତାମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଗତକାଲି ରାତିରେ ବିବେକ ତନ୍‌ଖା ତାଙ୍କ ପଦରୁ ଇସ୍ତଫା ଦେବାପରେ ଟ୍ବିଟ୍‌ କରି କହିଥିଲେ ଯେ ରାହୁଲଜୀଙ୍କୁ ତାଙ୍କ ନୂଆ ଟିମ୍‌ ସଦସ୍ୟଙ୍କୁ ବାଛିବା ନିମନ୍ତେ ପୂର୍ଣ୍ଣ ସ୍ବାଧୀନତା ଦେବା ପାଇଁ ଆମେ ସମସ୍ତେ ନିଜ ନିଜର ଦଳୀୟ ପଦରୁ ଇସ୍ତଫା ଦେଇଦେବା ଉଚିତ୍‌। ବିବେକ ତନ୍‌ଖା ଇସ୍ତଫା ଦେବାର କିଛି ଘଣ୍ଟା ପରେ ଦିଲ୍ଲୀ, ମଧ୍ୟପ୍ରଦେଶ ଏବଂ ହରିୟାଣାର ବହୁ ବରିଷ୍ଠ ନେତା ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ଅପରାହ୍ନରେ ରାଜେଶ ଲିଲୋଥିଆ ଦିଲ୍ଲୀ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଏବଂ ତେଲେଙ୍ଗାନା କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ପୁନମ ପ୍ରଭାକର। ସେହିପରି ହରିୟାଣା ମହିଳା କଂଗ୍ରେସ ମୁଖ୍ୟ ସୁମିତ୍ରା ଚୌହାନ୍‌, ମେଘାଳୟର ସାଧାରଣ ସଚିବ ନେଟ୍ଟା ପି ସାଂଗମା, ସଚିବ ବୀରେନ୍ଦ୍ର ରାଠୋର, ଛତିଶଗଡ଼ ସଚିବ ଅନିଲ ଚୌଧୁରୀ, ମଧ୍ୟପ୍ରଦେଶ ସଚିବ ସୁଧୀର ଚୌଧୁରୀ, ହରିୟାଣା ସଚିବ ସତ୍ୟବୀର ଯାଦବ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଅଧିକାଂଶ ନେତା କହିଛନ୍ତି ରାହୁଲ କଂଗ୍ରେସ ମୁଖ୍ୟ ରହିବାପାଇଁ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ସେମାନେ ସେମାନଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିବେନି। କେତେକ ଏଆଇସିସି କର୍ମକର୍ତ୍ତା କହିଛନ୍ତି ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ କେବଳ ରାହୁଲ କାହିଁକି ଦାୟୀ ରହିବେ , ଅନ୍ୟ ସମସ୍ତ ନେତା ଏଥିପାଇଁ ଦାୟୀ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe