ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମଙ୍ଗୁ ମଠ ଭଙ୍ଗା ପ୍ରସଙ୍ଗକୁ ନେଇ ଦାଖଲ ଅଦାଲତ ଅବମାନନା ମାମଲା ସୋମବାର ଦିନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ମଙ୍ଗୁ ମଠ ମହନ୍ତ ଭବାନୀ ଶଙ୍କର ଦାସ, ରାଜ୍ୟ ମୁ୍ଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ରାଜ୍ୟ ଦେବୋତ୍ତର ଆୟୁକ୍ତ ଶିଶିର କୁମାର ରଥଙ୍କ ବିରୋଧରେ ଏହି ମାମଲା ହୋଇଥିଲା। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ୍.ଆର୍ ଶାହା ଓ ବିଚାରପତି ଜଷ୍ଟିସ୍ ସି.ଟି ରବିକୁମାରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା।
ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ଆନନ୍ଦ ଗ୍ରୋଭର ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଲେ, ସର୍ବୋଚ୍ଚ ନ୍ୟାୟାଳୟ ଉଚ୍ଛେଦ ସମୟରେ ମଙ୍ଗୁ ମଠକୁ ସୁରକ୍ଷିତ ରଖିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ୨୦୧୯ ନଭେମ୍ବର ୪ ଆଦେଶର ସଠିକ ଅନୁପାଳନ କରାଯାଇନାହିଁ।
ଆବେଦନକାରୀଙ୍କ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶର କଣ ସବୁ ଅନୁପାଳନ କରାଯାଇନଥିଲା ବୋଲି ଖଣ୍ଡପୀଠ ଏହା ଶୁଣିବା ପରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଆଡଭୋକେଟ୍ ଗ୍ରୋଭର ମଙ୍ଗୁ ମଠ ଭଙ୍ଗାଯିବାର ନଥିଲା ବୋଲି ତାଙ୍କ ଉକ୍ତିକୁ ଦୋହରାଇଥିଲେ।
ଖଣ୍ଡପୀଠ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କହିଥିଲେ, ସେଠାରେ କୌଣସି ଅଦାଲତ ଅବମାନନା ହୋଇନାହିଁ। ଏହା ଶୁଣିବା ପରେ ଆଡଭୋକେଟ୍ ଗ୍ରୋଭର କହିଲେ, ଶ୍ରୀମନ୍ଦିର ପ୍ରଶାସନ ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶର ଅନୁପାଳନ କରିନାହାନ୍ତି। ଏହା ଶୁଣିବା ପରେ ଖଣ୍ଡପୀଠ କହିଲେ, ଆମେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ କରିବାକୁ ଚାହୁନାହୁଁ। ଆବେଦନକାରୀଙ୍କ ଓକିଲ କହିଥିଲେ, ଏହି ମଠକୁ ୫୦୦ ଶହ ବର୍ଷ ପୂର୍ବେ ଗୁରୁନାନକ ନିଜେ ପରିଦର୍ଶନ କରିଥିଲେ। ସବୁ ଶୁଣିବା ପରେ ଖଣ୍ଡପୀଠ କହିଲେ, ଆମେ ଆପଣଙ୍କୁ ଅଦାଲତ ଅବମାନନା ପିଟିସନକୁ ପ୍ରତ୍ୟାହାର କରିବା ପାଇଁ କହୁନାହୁଁ। ଆପଣଙ୍କ ଆବେଦନକୁ ଖାରଜ କରିଦିଆଯାଉଛି।
ଘଟଣାରୁ ପ୍ରକାଶ ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମଙ୍ଗୁ ମଠ ଭଙ୍ଗା ଘଟଣାରେ ଦିଲ୍ଲୀ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ଭକ୍ତମାନେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ।
Follow Us