Image Courtesy of The Indian Express
କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଗିରଫ ହୋଇଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଦ୍ବିତୀୟ ଫ୍ଲାଟ୍ରୁ ୨୯ କୋଟି ଟଙ୍କା ଓ ୫ କିଲୋଗ୍ରାମ୍ର ସୁନା ଅଳଙ୍କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଦୀର୍ଘ ୧୮ ଘଣ୍ଟାର ଜେରାରେ ତଦନ୍ତକାରୀ ସଂସ୍ଥା କୋଲକାତାର ବେଲଘରିଆରେ ଥିବା ଅର୍ପିତାଙ୍କ ଘରୁ ୧୦ ଟ୍ରଙ୍କ୍ ଟଙ୍କା ଜବତ କରିଥିବା ସୂଚନା ରହିଛି। ଅର୍ପିତାଙ୍କ ଘରୁ ବାହାରିଥିବା ଟଙ୍କାକୁ ଗଣିବା ପାଇଁ ଇଡି ଅଧିକାରୀମାନେ ୩ଟି ଟଙ୍କା ଗଣିବା ମେସିନ୍ ବ୍ୟବହାର କରୁଥିବା ସୂଚନା ରହିଛି। ଏବେ ସୁଦ୍ଧା ଅର୍ପିତାଙ୍କ ୨ଟି ବାସଭବନରୁ ସମୁଦାୟ ୫୦ କୋଟି ଟଙ୍କା ଜବତ ହୋଇ ସାରିଥିବା ବେଳେ ହିସାବ ଏବେ ବି ଜାରି ରହିଛି।
ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢ଼ାଉ କରି ଚାଲିଛି। ବେଲଘରିଆରେ ଅର୍ପିତାଙ୍କର ଦୁଇଟି ଫ୍ଲାଟ ଅଛି। ଇଡି ଅଧିକାରୀମାନେ ଗତକାଲି ସେଠାରେ ଚଢ଼ଉ ପାଇଁ ପହଞ୍ଚିଥିଲେ। ହେଲେ ଫ୍ଲାଟର ତାଲା ପଡ଼ିଥିଲା। ତାଲା ଭାଙ୍ଗି ଅଧିକାରୀମାନେ ଭିତରକୁ ପଶିଥିଲେ। ଘରେ ଏକ ଆଲମିରାରେ ବିପୁଳ ନଗଦ ଟଙ୍କା ଥିବା ଜଣାପଡ଼ିଥିଲା। ପୂର୍ବରୁ ଅର୍ପିତାଙ୍କ ଅନ୍ୟଏକ ଫ୍ଲାଟ୍ରୁ ୨୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।
ଅର୍ପିତା କହିଛନ୍ତି ଯେ ଜଣେ ବଙ୍ଗାଳୀ ଅଭିନେତା ପାର୍ଥଙ୍କ ସହ ତାଙ୍କର ଯୋଗାଯୋଗ କରାଇ ଦେଇଥିଲେ ଏବଂ ଉଭୟ ୨୦୧୬ରୁ ଘନିଷ୍ଠ। ପୁଣି ସେ ସ୍ବୀକାର କରିଛନ୍ତି ଯେ ଶିକ୍ଷକ ନିଯୁକ୍ତି, ବଦଳି, ସ୍କୁଲ୍ ବା କଲେଜକୁ ସ୍ବୀକୃତି ଦେବା ଆଦି ନିମନ୍ତେ ପ୍ରଚୁର ଲାଞ୍ଚ ନିଆଯାଉଥିଲା ଏବଂ ତାଙ୍କ ଘରୁ ଜବତ ହୋଇଥିବା ପାର୍ଥଙ୍କର ସବୁ ଟଙ୍କା ହେଉଛି ସେହି ଲାଞ୍ଚ ଓ କିକ୍ବ୍ୟାକ୍ ମାଧ୍ୟମରେ ମିଳିଥିବା ଟଙ୍କା।
Follow Us