ରାଉରକେଲା ଅବକାରୀ ଜିଲ୍ଲା, କାହା ସ୍ବାର୍ଥରେ ୨୦୦ ବେଆଇନ ବାର୍‌?

ରାଉରକେଲା ଓ ଏହାର ଆଖପାଖରେ ମାତ୍ର ୨୩ଟି ବାର୍‌କୁ ମିଳିଛି ଅବକାରୀ ଲାଇସେନ୍ସ। ଚାଲିଛି କିନ୍ତୁ ୨୦୦ରୁ ଅଧିକ ବେଆଇନ ବାର୍‌। ତା’ ପୁଣି ବର୍ଷ ବର୍ଷ ଧରି ଚାଲିଛି। ଲାଇସେନ୍ସ ପାଇଥିବା କିଛି ବାର୍‌ରେ ରାତିରେ ଚାଲୁଛି ପପ୍‌ ଡ୍ୟାନ୍ସ।

bar

ରାଉରକେଲା: ସହର ଓ ଏହାର ଆଖପାଖରେ ମାତ୍ର ୨୩ଟି ବାର୍‌କୁ ମିଳିଛି ଅବକାରୀ ଲାଇସେନ୍ସ। ଚାଲିଛି କିନ୍ତୁ ୨୦୦ରୁ ଅଧିକ ବେଆଇନ ବାର୍‌। ତା’ ପୁଣି ବର୍ଷ ବର୍ଷ ଧରି ଚାଲିଛି। ଲାଇସେନ୍ସ ପାଇଥିବା କିଛି ବାର୍‌ରେ ରାତିରେ ଚାଲୁଛି ପପ୍‌ ଡ୍ୟାନ୍ସ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଛି ନାଚ ଓ ଗୀତ। ଯୋଗଦେଉଛନ୍ତି ନାବାଳିକା ଝିଅ ଓ ପୁଅ। ଯେଉଁମାନେ ଆଦୌ ଲାଇସେନ୍ସ ପାଇନାହାନ୍ତି, ସେମାନଙ୍କ କଥା ନ କହିବା ଭଲ।

ଗତ ଦୁଇ ଦିନ ତଳେ ସିଭିଲଟାଉନସିପ୍‌ସ୍ଥ ‘ହୃଦଙ୍ଗ ରେସ୍ତୁରାଁ’ ପାର୍ଟିରେ ସାମିଲ ଜଣେ ନାବାଳିକା ଗଣ ଦୁଷ୍କର୍ମର ଶିକାର ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଏବେ ସହରରେ ଉଠୁଛି ଓ ପଡୁଛି। ହେଲେ ଯେଉଁ ବାର୍‌ରୁ ଏଭଳି ଯୋଜନା ହୋଇଥିଲା, ତା’କୁ ଆଜି ପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। ଅବଶ୍ୟ ହୃଦଙ୍ଗ ରେସ୍ତୋରାଁ ଅବକାରୀ ଲାଇସେନ୍ସ ପାଇଛି। ଅବକାରୀ ନୀତି ବିରୋଧୀ କାମ କରୁଛି ବୋଲି ବାରମ୍ବାର ଅଭିଯୋଗ ହେଉଛି। କେବଳ ହୃଦଙ୍ଗ ନୁହେଁ ସହରରେ ଏମିତି କିଛି ବାର୍‌ ରହିଛି, ସେମାନଙ୍କର ଲାଇସେନ୍ସ ଥିଲେ ହେଁ ନିୟମବିରୋଧ କାମ କରୁଛନ୍ତି।

ଅବକାରୀ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଉରକେଲା ଓ ଆଖପାଖରେ ୨୦ଟି ବାର୍‌ ଓ ୩ଟି କ୍ଲବ୍‌କୁ ବାର୍‌ ଲାଇସେନ୍ସ ମିଳିଛି। ବାର୍‌ ଲାଇସେନ୍ସ ପାଇଥିବା ରେସ୍ତୋରାଁ ଓ ହୋଟେଲଗୁଡ଼ିକ ମଧ୍ୟରେ ରହିଛି, ହୋଟେଲ ଗାର୍ଡେନ, ହୋଟେଲ ମେ’ ଫେୟାର, ପାନ୍ଥନିବାସ, ହୋଟେଲ ପାହାଡି, ହୋଟେଲ ଶ୍ୟାମ୍‌, କୋଇଡାର ହୋଟେଲ ସୁଧା, ‌ହୋଟେଲ ରିଜେନ୍ସ ଇନ୍‌, ହୋଟେଲ ସେଣ୍ଟ୍ରାଲ୍‌ ପାର୍କ, ପାନପୋଷରୋଡର ହୋଟେଲ କରିପଟ୍‌, ହୋଟେଲ ରାଧିକା ରିଜେନ୍ସ। ସେମିତି ହୋଟେଲ ଦିପ୍ତୀ, ହୋଟେଲ ଭେଲିଭିସ୍ଥା, ‌‌ହୋଟେଲ ହୃଦଙ୍ଗ, ହୋଟେଲ ଟେମ୍ପଟ୍‌ସନ୍‌, ବ୍ରାହ୍ମଣୀକ୍ଲବ୍‌, ଇଣ୍ଡୋଜର୍ମାନୀ କ୍ଲବ୍‌ ଓ ରାଉରକେଲା କ୍ଲବ୍‌। କିନ୍ତୁ ପାନପୋଷରୁ ଷ୍ଟେସନ ପର୍ଯ୍ୟନ୍ତ କିଛି ହୋଟେଲ ଓ ରେସ୍ତୋରାଁରେ ଦିନରାତି ‌ବେଆଇନ ବାର୍‌ ଚାଲୁଛି। ଡେଲିମାର୍କେଟ, ପାୱାରହାଉସ୍‌ ରୋଡ଼, ନୂଆବସ୍‌ଷ୍ଟାଣ୍ଡ, ଟ୍ରାଫିକ୍‌ଗେଟ୍‌, ଉଦିତନଗର, ସଞ୍ଜୟ ମାର୍କେଟ, ବ୍ରାହ୍ମଣୀତରଙ୍ଗ ଏରିଆ, ପାନପୋଷ, ଗଙ୍ଗାଧରପାଲି, ସେକ୍ଟର-୧୯ସ୍ଥ ଇସ୍ପାତ ମାର୍କେଟ, ଝିରପାଣି, କୋଏଲନଗର, ସେକ୍ଟର-୨୧ ନୟାବଜାର, ବନ୍ଧମୁଣ୍ଡା, ଫର୍ଟିଲାଇଜ, କୋଇଡ଼ା, ଲହୁଣିପଡ଼ା, ଲାଠିକଟା, ବଣାଇ, ଗୁରୁଣ୍ଡିଆ, ବିଶ୍ରା, ନୂଆଗାଁ ଓ କୁଆରମୁଣ୍ଡାରେ ପ୍ରାୟ ୨୦୦ରୁ ଅଧିକ ବାର୍‌ ବିନା ଲାଇସେନ୍ସରେ ଚାଲିଛି।

ଏମାନଙ୍କୁ କେଉଁମାନେ ସୁରକ୍ଷା ଦେଉଛନ୍ତି ? ଏମାନଙ୍କଠୁ ମାସିକ ଆଦାୟ ହେଉଥିବା ଅର୍ଥ କାହା ପକେଟ୍‌କୁ ଯାଉଛି ? ସ୍ଥାନୀୟ ଥାନା ଓ ଅବକାରୀ ପୁଲିସ କାହିଁକି ଚୁପ୍‌ ରହୁଛନ୍ତି ? ତା’ର ଉଚ୍ଚସ୍ତରୀୟ ତଦନ୍ତ ଦରକାର। ପୂର୍ବତନ ନଗରପାଳ ନିହାର ରାୟ କହିଛନ୍ତି ‘ହୃଦଙ୍ଗ’ ରେସ୍ତୋରାଁ ବାର୍‌ ଲାଇସେନ୍ସ ପାଇବା ସତ୍ବେ ନିୟମବିରୋଧୀ କାମ କରୁଥିଲା। ରାତିରେ ନାବାଳକ ଓ ନାବାଳିକାମାନେ ବାର୍‌କୁ ଆସୁଥିଲେ ହେଁ ବାରଣ କରାଯାଉ ନଥିଲା।‌ ପପ୍‌ ଡ୍ୟାନ୍ସ ଚାଲିଛି। ବେଆଇନ କାମରୁ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ବାର୍‌ ଲାଇସେନ୍ସ ରଦ୍ଦ ହେବା ଦରକାର। ଏଥିସହ ଅନ୍ୟଯେଉଁମାନେ ଏମିତି ବେଆଇନ କାମ କରୁଛନ୍ତି, ତା’ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ। ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ କହିଛନ୍ତି, ବିନା ଲାଇସେନ୍ସରେ କେମିତି ବାର୍‌ ଚାଲୁଛି, ତା’ର ତଦନ୍ତ ହେଉ। ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ନ ହେଲେ ଆଗମୀ ଦିନରେ ଏମିତି ଆହୁରି ଦୁଷ୍କର୍ମ ବଢ଼ିବ, ଏଥିରେ ଦ୍ବିମତ ନାହିଁ`

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe