ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ

ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ୍ ଫାଶିମାଲ ପଞ୍ଚାୟତ ପୁକୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଘର ମାଲିକଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।

ddd

ଜମନକିରା/ଫାଶିମାଲ: ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ୍ ଫାଶିମାଲ ପଞ୍ଚାୟତ ପୁକୁଡ଼ା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଘର ମାଲିକଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଫାଶିମାଲ ପଞ୍ଚାୟତ ପୁକୁଡ଼ା ଗାଁର ଘର ମାଲିକ ବସନ୍ତ ଦେହୁରୀ (୩୭), ଭରତ ରଣା (୨୮), ପଡ଼ୋଶୀ ଦେହୁରୁଣିମାଲ ଗାଁର ଶ୍ରୀକାନ୍ତ ମୁଣ୍ଡା (୩୫)। ଗୁରୁତର ହୋଇଥିବା ଶ୍ରମିକ ଜଣକ ହେଲେ ଦେହୁରୁଣିମାଲ ଗାଁର ସିଦ୍ଧାନ୍ତ ମୁଣ୍ଡା (୩୫)। ନବନିର୍ମିତ ପାଇଖାନା ଟାଙ୍କି ଭିତରେ ସେଣ୍ଟ୍ରିଂ ଖୋଲିବା ବେଳେ ଶ୍ବାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। 

ସୂଚନା ଅନୁଯାୟୀ, ୪ ମାସ ତଳେ ପୁକୁଡ଼ା ଗାଁର ବସନ୍ତ ଦେହୁରୀଙ୍କର ୮ଫୁଟ୍ ଗଭୀର ବିଶିଷ୍ଟ ଏକ ପାଇଖାନା ଟାଙ୍କି ନିର୍ମାଣ ପରେ ବନ୍ଦ ହୋଇ ରହିଥିଲା। ଚାଷ କାର୍ଯ୍ୟ ସରିବା ପରେ ସେ ଆଜି ୩ ଜଣ ଶ୍ରମିକଙ୍କୁ ସେଣ୍ଟ୍ରିଂ ଖୋଲିବାକୁ ଡାକିଥିଲେ। ଟାଙ୍କି ଭିତରକୁ ପ୍ରଥମେ ପଶିଥିବା ବ୍ୟକ୍ତି ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସେ ବାହାରକୁ ନ ଆସିବାରୁ ସନ୍ଦେହ ପ୍ରକାଶ କରି ଜଣକ ପରେ ଜଣେ ଟାଙ୍କି ଭିତରକୁ ପଶିଥିଲେ। ତେବେ ଶେଷରେ ପଶିଥିବା ସିଦ୍ଧାନ୍ତଙ୍କ ଚିତ୍କାର ଶୁଣି ପଡ଼ୋଶୀ ଲୋକେ ଧାଇଁ ଆସିଥିଲେ। ଗ୍ରାମବାସୀଙ୍କ ସହାୟତାରେ ରଶି ଲଗାଇ ଜଣକ ପରେ ଜଣକୁ ବାହାରକୁ ଅଣାଯାଇଥିଲା। ଉଦ୍ଧାର ପରେ ୪ ଶ୍ରମିକଙ୍କୁ ସ୍ଥାନୀୟ ଫାଶିମାଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସିଦ୍ଧାନ୍ତ ସମ୍ୱଲପୁର ସଦର ଡାକ୍ତରଖାନାରେ ଚିକିତ୍ସିତ ପରେ ସୁସ୍ଥ ଥିବା ପରିବାର ସୂତ୍ରରୁ ପ୍ରକାଶ। ଜମନକିରା ଆଇଆଇସି ପଦ୍ମାଳୟା ସାହୁ ଓ ପୁଲିସ ଷ୍ଟାଫ୍‌ ମୃତ ୩ ଜଣ ଶ୍ରମିକଙ୍କ ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଛନ୍ତି। ତହସିଲଦାର ହରେକୃଷ୍ଣ ବରିହା, ଜିଲ୍ଲା ଶ୍ରମ ନିୟୋଜନ ଅଧିକାରୀ ଦିବ୍ୟଶଙ୍କର ଧୁରୁଆ, ଏସ୍‌ଡିପିଓ ଅମିତାଭ ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିଛନ୍ତି। ଜିଲ୍ଲାପାଳଙ୍କ ସହିତ ଆଲୋଚନା ପରେ ମୃତ ଶ୍ରମିକଙ୍କ ପରିବାରକୁ ୨୫ ହଜାର ଟଙ୍କା ଲେଖାଏଁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ବରିହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe