ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ, ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୯ରେ ପହଞ୍ଚିଲା

Advertisment
ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ, ରାଜ୍ୟର ମୋଟ ଆକ୍ରାନ୍ତ ସଂଖ୍ୟା ୯ରେ ପହଞ୍ଚିଲା

ଭୁବନେଶ୍ୱର : ଓଡ଼ିଶାରେ ଆଉ ୩ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ ଆକ୍ରାନ୍ତ ଭୁବନେଶ୍ୱରର ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି । ଏହି ୩ ଜଣଙ୍କୁ ମିଶାଇଲେ ରାଜ୍ୟର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ମୋଟ ୪ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହି ତଥ୍ୟ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ଜଣାଇଛି।  ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ହୋଇଥିବା ବେଳେ ତା’ମଧ୍ୟରୁ ୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ଓ ୭ ଜଣ ଚିକିତ୍ସାଧୀନ ଅଛନ୍ତି।

ଆଜି ରାଜ୍ୟର ଷଷ୍ଠ କରୋନା ପଜିଟିଭ କଟକରେ ଚିହ୍ନଟ ହୋଇଥିଲେ । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକ ସହରରେ ଏବଂ ସେ ନିକଟରେ ଦିଲ୍ଲୀ ଯାଇ ନିଜାମୁଦ୍ଦିନରେ ତବଲିଗି ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହାପରେ କଟକ ସହରରେ ଶୁକ୍ରବାର ରାତି ୮ଟାରୁ ୪୮ ଘଣ୍ଟା ସଟଡାଉନ୍ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ।

ଏପ୍ରିଲ୍ ପହିଲା ଦିନ ରାଜ୍ୟର ୫ମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସ୍ବାସ୍ଥ୍ୟ ବିଭାଗ  ଅନୁଯାୟୀ ରାଜଧାନୀ ଭୁବନେଶ୍ବରର ସୂର୍ଯ୍ୟନଗରରେ ରହୁଥିବା  ୬୦ ବର୍ଷୀୟ ବ୍ୟକ୍ତି ଆଜି ବହୁବିଧ ବ୍ୟାଧିରେ ପୀଡ଼ିତ ହୋଇ ଭୁବନେଶ୍ବର ଏମସରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ରେ ଚିହ୍ନଟ ହୋଇଥିଲେ । ଏହାପରେ ମାର୍ଚ୍ଚ ୧୯ ତାରିଖରେ ଦ୍ୱିତୀୟ ଓ ୨୬ ତାରିଖରେ ତୃତୀୟ  କରୋନା ସଂକ୍ରମିତଙ୍କୁ  ଚିହ୍ନଟ କରାଯାଇଥିଲା। ୩୧ ତାରିଖରେ ରାଜ୍ୟର ଚତୁର୍ଥ ଆକ୍ରାନ୍ତ ଭଦ୍ରକରୁ ଚିହ୍ନଟ ହୋଇଥିଲେ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତିନିଟି ସହର-ଭୁବନେଶ୍ୱର, କଟକ ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ୪୮-ଘଣ୍ଟିଆ ସଟଡାଉନ ବା ସଂପୂର୍ଣ ବନ୍ଦ ଘୋଷଣା କରିଛନ୍ତି । ଏହି ସଟଡାଉନ ଭୁବନେଶ୍ୱର ମହାନଗର ନିଗମ, କଟକ ମହାନଗର ନିଗମ ଓ ଭଦ୍ରକ ମ୍ୟୁନିସିପାଲିଟି ଅଞ୍ଚଳରେ ଲାଗୁ ହେବ । ପୂର୍ବରୁ ଜାରି ପାସଗୁଡ଼ିକୁ ରଦ୍ଦ କରିଦିଆଯାଇଛି ଓ ଜରୁରୀ ସେବା ପାଇଁ ନୂଆ ପାସ ପ୍ରଦାନ କରାଯିବ । କିଛି ଜରୁରୀ ସେବାକୁ ଛାଡ଼ିଦେଲେ ଅନ୍ୟସବୁକିଛି ଏହି ସମୟରେ ବନ୍ଦ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe