ପଞ୍ଚାୟତ ନିର୍ବାଚନରେ ହିଂସା : ରାଜ୍ୟରେ ଗିରଫ ହେଲେଣି ୮୨ ଜଣ, ଯାଜପୁରରୁ ସର୍ବାଧିକ ୪୩

Advertisment
ପଞ୍ଚାୟତ ନିର୍ବାଚନରେ ହିଂସା : ରାଜ୍ୟରେ ଗିରଫ ହେଲେଣି ୮୨ ଜଣ, ଯାଜପୁରରୁ ସର୍ବାଧିକ ୪୩

ଭୁବନେଶ୍ବର : ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ମଙ୍ଗଳବାର ହେବ । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୧୭,୦୮୯ଟି ବୁଥରେ ଭୋଟ ଗ୍ରହଣ ହେବ । ଏଥିପାଇଁ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ୨୫୭ ପ୍ଲାଟୁନ ଫୋର୍ସ ଓ ୧୪୭୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିକୁ ନିୟୋଜିତ କରାଯିବ ।

ଅନ୍ୟପକ୍ଷରେ ପୂର୍ବରୁ ସମାପ୍ତ ହୋଇଥିବା ୩ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲେ ବି କେତେକ ସ୍ଥାନରେ ହିଂସାକାଣ୍ଡ ଓ ବିଶୃଙ୍ଖଳା ଦେଖାଦେଇଥିବା ପୁଲିସ ପକ୍ଷରୁ ସ୍ବୀକାର କରାଯାଇଛି । ହିଂସାକାଣ୍ଡ ଓ ବିଶୃଙ୍ଖଳା ପାଇଁ ଏ ପର୍ଯ୍ୟନ୍ତ ମୋଟ ୮୨ ଜଣ ଲୋକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ କେବଳ ଯାଜପୁର ଜିଲ୍ଲାରୁ ୪୩ ଜଣ ଅନ୍ତର୍ଭୁକ୍ତ । ସେହିପରି ଢେଙ୍କାନାଳ ଜିଲ୍ଲାରୁ ୯ ଜଣ, ଜଗତସିଂହପୁରରୁ ୬ ଜଣ ଓ ପୁରୀ ଜିଲ୍ଲାରୁ ୨୪ ଜଣ ଅନ୍ତର୍ଭୁକ୍ତ ବୋଲି ରାଜ୍ୟ ପୁଲିସ ପକ୍ଷରୁ କୁହାଯାଇଛି ।

ତେବେ ଝାରସୁଗୁଡ଼ା, ବୌଦ୍ଧ, ଦେବଗଡ଼, ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସଂପୂର୍ଣ୍ଣ ହୋଇଛି ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି  ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ ଯାଜପୁର ଜିଲ୍ଲାର ବିଞ୍ଝାରପୁରର ବାଚ୍ଛୋଳରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାକୁ ସମସ୍ତ ରାଜନୈତିକ ଦଳ ଓ ଗଣମାଧ୍ୟମ ପକ୍ଷରୁ କଡ଼ା ସମାଲୋଚନା କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ଏଯାଏଁ ୧୧ଜଣଙ୍କୁ ଗିରଫ କରିଛି। ଏମାନଙ୍କ ଭିତରେ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ମଲ୍ଲିକକୁ ଗିରଫ କରାଯାଇଛି। ଏହାଛଡ଼ା ୫ ପୁରୁଷ ଓ ୫ ମହିଳାଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଅଟକ ରଖାଯିବା ସହ ପଚରାଉଚରା ଚାଲିଛି। ଏନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଥିବା କୁହାଯାଉଛି। ପଞ୍ଚାୟତ ନିର୍ବାଚନରେ ଯାଜପୁର ଜିଲ୍ଲାରେ ସର୍ବାଧିକ ବିଶୃଙ୍ଖଳା ଓ ହିଂସା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe