Advertisment

ମଥୁରାରୁ ଅଭୟା: ପାଶବିକତାର ପୂର୍ଣ୍ଣଚ୍ଛେଦ କେବେ?

Advertisment

କ୍ରାନ୍ତି ଦିବସରେ କତିପୟ ମନୁଷ୍ୟରୂପୀ ପଶୁଙ୍କ ବର୍ବରୋଚିତ କାଣ୍ଡ ଦେଶ ମୁହଁରେ କଳା ବୋଳିଦେଇଛି। ୯ ତାରିଖ ରାତିରେ କୋଲ୍‌କାତାର ଏକ ସରକାରୀ ଡାକ୍ତରଖାନାରେ ଜନୈକା ଯୁବା ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସମଗ୍ର ବିଶ୍ବ ନିନ୍ଦା କରୁଛି।

କ୍ରାନ୍ତି ଦିବସରେ କତିପୟ ମନୁଷ୍ୟରୂପୀ ପଶୁଙ୍କ ବର୍ବରୋଚିତ କାଣ୍ଡ ଦେଶ ମୁହଁରେ କଳା ବୋଳିଦେଇଛି। ୯ ତାରିଖ ରାତିରେ କୋଲ୍‌କାତାର ଏକ ସରକାରୀ ଡାକ୍ତରଖାନାରେ ଜନୈକା ଯୁବା ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସମଗ୍ର ବିଶ୍ବ ନିନ୍ଦା କରୁଛି।

fff

କ୍ରାନ୍ତି ଦିବସରେ କତିପୟ ମନୁଷ୍ୟରୂପୀ ପଶୁଙ୍କ ବର୍ବରୋଚିତ କାଣ୍ଡ ଦେଶ ମୁହଁରେ କଳା ବୋଳିଦେଇଛି। ୯ ତାରିଖ ରାତିରେ କୋଲ୍‌କାତାର ଏକ ସରକାରୀ ଡାକ୍ତରଖାନାରେ ଜନୈକା ଯୁବା ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସମଗ୍ର ବିଶ୍ବ ନିନ୍ଦା କରୁଛି। ଦୋଷୀକୁ ତୁରନ୍ତ ଦଣ୍ଡ ଦେବା ଲାଗି ବିଭିନ୍ନ ବର୍ଗର ଲୋକେ ରାଜରାସ୍ତାକୁ ଓହ୍ଲାଇ ଦାବି ଜଣାଇଛନ୍ତି। ତେଣେ ଦେଶର ସର୍ବୋଚ୍ଚ ଅଦାଲତ ନିଜଆଡୁ ମାମଲାରେ ହସ୍ତକ୍ଷେପ କରି କୋଲ୍‌କାତା ପୁଲିସ୍‌କୁ ତଦନ୍ତରେ ଅବହେଳା ଲାଗି ଭର୍ତ୍ସନା କରିଛନ୍ତି। ମାମଲା ସିବିଆଇକୁ ହସ୍ତାନ୍ତର ହୋଇଛି। ଦେଶର ଚିକିତ୍ସକ ସମୁଦାୟ ଏହାର ଦୃଢ଼ ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଲୋକେ ପୀଡ଼ିତାଙ୍କୁ ‘ଅଭୟା’ ନାମ ଦେଇ ତାଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ତ୍ବରିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।    
ଗଣମାଧ୍ୟମ‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେ୦ାଲ୍‌କାତାର ଅନ୍ୟତମ ସରକାରୀ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନ ‘ଆର୍‌ଜି କର୍‌ ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ରେ ୩୬ ଘଣ୍ଟିଆ ସିଫ୍ଟରେ କାମ କରି ଟ୍ରେନି ଡାକ୍ତରାଣୀ ଜଣକ କ୍ଲାନ୍ତ ହୋଇଯାଇଥିଲେ। ବିଶ୍ରାମ ନେବା ଲାଗି ଡାକ୍ତରଖାନାରେ ନିର୍ଦ୍ଦିଷ୍ଟ କକ୍ଷ ଅଭାବରୁ ସେ ଯାଇ ସେମିନାର୍‌ ରୁମ୍‌ରେ ଶୋଇପଡ଼ିଥିଲେ। ତାଙ୍କର ଧାରଣା ନ ଥିଲା ଯେ, ସେ ଏକୁଟିଆ ଥିବା ଦେଖି ପଞ୍ଝାଏ ନାରୀମାଂସ ଲୋଭୀ ନରରାକ୍ଷସ ତାଙ୍କ ଉପରକୁ ଝାମ୍ପିପଡ଼ିବେ। ତହିଁ ଆରଦିନ ସକାଳେ ସହକର୍ମୀମାନେ ପୋଡିୟମ୍‌ ଉପରେ ତାଙ୍କର କ୍ଷତବିକ୍ଷତ ଅର୍ଦ୍ଧନଗ୍ନ ମୃତଦେହ ଆବିଷ୍କାର କରିଥିଲେ। ଏ ଖବର ଶୁଣି ସମଗ୍ର ଦେଶ ସ୍ତବ୍ଧ ହୋଇଗଲା। ରୋଗୀଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କ ଉପରେ ଏମିତି ଜଘନ୍ୟ ଅତ୍ୟାଚାର। ଶବ ବ୍ୟବଚ୍ଛେଦ ରିପୋର୍ଟ ଦର୍ଶାଇଛି, ରାତି ୩ଟାରୁ ଭୋର୍‌ ୫ଟା ମଧ୍ୟରେ ପୀଡ଼ିତା ୩୧ ବର୍ଷୀୟା ଡାକ୍ତରାଣୀଙ୍କ ସହିତ ବର୍ବରୋଚିତ ଗଣଦୁଷ୍କର୍ମ କରାଯାଇଛି। ତାଙ୍କ ତଳ ଓ ଉପର ଓଠ, ନାକ, ଗାଲ ଓ ଅଧଃହନୁରେ ଗଭୀର କ୍ଷତ ଏବଂ କାନ ଉପର ଖପୁରିହାଡ଼ ଫାଟି ରକ୍ତ ଜମାଟ ବାନ୍ଧିଥିବା କଥା ସେଥିରେ ଉଲ୍ଲେଖ ରହିଛି।  କୌଣସି ସରକାରୀ ପ୍ରତିଷ୍ଠାନରେ ଏହା ଅବଶ୍ୟ ପ୍ରଥମ ନାରୀ ଦୁଷ୍କର୍ମ ଘଟଣା ନୁହେଁ। ପୂର୍ବରୁ ଏମିତି କେତେ ଘଟଣା ଘଟିଯାଇଛି। ତନ୍ମଧ୍ୟରୁ ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ମଥୁରା ଦୁଷ୍କର୍ମ ମାମଲା ଏ ଧରଣର ସର୍ବପ୍ରଥମ ଘଟଣା ବୋଲି ଅଭିହିତ କରାଯାଏ।

ବହୁଚର୍ଚ୍ଚିତ ମଥୁରା ଗଣଦୁଷ୍କର୍ମ 
୧୯୭୨ ମାର୍ଚ୍ଚ ୨୬ରେ ମଥୁରା ନାମ୍ନୀ ଜଣେ ଆଦିବାସୀ ତରୁଣୀ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ଅନ୍ତର୍ଗତ ଦେଶାଇଗଞ୍ଜ ଥାନା ପରିସରରେ ଦୁଇଜଣ ପୁଲିସ କର୍ମଚାରୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ମାମଲାର ଚୂଡ଼ାନ୍ତ ବିଚାର ସୁପ୍ରିମକୋର୍ଟରେ ହୋଇଥିଲା। କିନ୍ତୁ ସର୍ବୋଚ୍ଚ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବାରୁ ଜନସାଧାରଣ କ୍ଷୁବ୍ଧ ହୋଇ ପ୍ରତିବାଦ କରିଥିଲେ। ଜନମତ ଏତେ ପ୍ରଖର ଓ ବ୍ୟାପକ ହୋଇଥିଲା ଯେ ‘ଦି କ୍ରିମିନାଲ୍‌ ଲ’ ଆମେଣ୍ଡ୍‌ମେଣ୍ଟ୍‌ ଆକ୍ଟ୍‌ ୧୯୮୩ (ନଂ. ୪୩) ଜରିଆରେ ‘ଭାରତୀୟ ଦୁଷ୍କର୍ମ ଆଇନ’ ସଂଶୋଧିତ ହୋଇଥିଲା।

ସେଦିନ କ’ଣ ହୋଇଥିଲା ଥାନା ହାଜତରେ...
୧୬ ବର୍ଷ ବୟସ୍କା ଅନାଥ ଆଦିବାସୀ ତରୁଣୀ ମଥୁରା ତା’ର ଭାଇଙ୍କ ସହିତ ରହୁଥିଲା। ଘଟଣାଚକ୍ରରେ ଅଶୋକ ନାମରେ ଜଣେ ଯୁବକ ମଥୁରାଙ୍କୁ ବିବାହ କରିବାକୁ ଚାହିଁଲା। କିନ୍ତୁ, ମଥୁରାଙ୍କ ଭାଇ ଏ ପ୍ରସ୍ତାବରେ ରାଜି ନ ଥିଲେ। ସେ ଥାନାକୁ ଯାଇ ଅଭିଯୋଗ କଲେ କି, ଅଶୋକ ଏବଂ ତାଙ୍କ ପରିବାର ଲୋକେ ନାବାଳିକା ମଥୁରାକୁ ଅପହରଣ କରିନେଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଅଶୋକ ଏବଂ ତାଙ୍କ ପରିବାର ଲୋକମାନଙ୍କୁ ଥାନାକୁ ଆଣିଲା। ପଚରାଉଚରା ଓ ସାଧାରଣ ତଦନ୍ତ ପରେ ପୁଲିସ ସେମାନଙ୍କୁ ଛାଡ଼ିଦେଲା। ମାତ୍ର ମଥୁରାଙ୍କୁ ଅଟକ ରଖି ତାଙ୍କ ଆତ୍ମୀୟମାନଙ୍କୁ ବାହାରେ ଅପେକ୍ଷା କରିବାକୁ ନିର୍ଦ୍ଦେଶ ଦେଲା। ଦୁଇଜଣ ପୁଲିସ କର୍ମଚାରୀ ଥାନାରେ ମଥୁରାଙ୍କ ସହିତ ଦୁଷ୍କର୍ମ କଲେ। ଘଟଣା ଜାଣିବା ପରେ ଥାନା ବାହାରେ ଉପସ୍ଥିତ ମଥୁରାଙ୍କ ଆତ୍ମୀୟ ଓ ସ୍ଥାନୀୟ ଲୋକେ ଥାନା ପୋଡ଼ିବାକୁ ଧମକ ଦେଲେ। ଅନନ୍ୟୋପାୟ ହୋଇ ଅଭିଯୁକ୍ତ ଦୁଇ ପୁଲିସ କର୍ମଚାରୀ ଗଣପତ ଓ ତୁକାରାମଙ୍କ ବିରୋଧରେ ପୁଲିସ୍‌ ମାମଲା ରୁଜୁ କଲା।

ଦୁଷ୍କର୍ମକାରୀଙ୍କୁ ଅଦାଲତ କଲେ ଦୋଷମୁକ୍ତ
୧୯୭୪ ଜୁନ୍‌ ପହିଲାରେ ସେସନ୍‌ କୋର୍ଟରେ ମାମଲା‌ର ଶୁଣାଣି ହେଲା ଏବଂ ଅଭିଯୁକ୍ତ ଦୋଷୀ ନୁହନ୍ତି ବୋଲି ରାୟ ଆସିଲା। ରାୟରେ ଉଲ୍ଲେଖ ଥିଲା କି, ସହବାସରେ ଅଭ୍ୟସ୍ତ ମଥୁରା ସ୍ବଇଚ୍ଛାରେ ଶାରୀରିକ ସମ୍ପର୍କ ରଖିବାକୁ ରାଜି ହୋଇଥିବାରୁ ଏହା ଦୁଷ୍କର୍ମ ନୁହେଁ। ଏହି ରାୟ ବିପକ୍ଷରେ ଅପିଲ୍‌ କରାଯିବାରୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ ସେସନ୍‌ କୋର୍ଟ ରାୟକୁ ରଦ୍ଦ କରି ଅଭିଯୁକ୍ତଙ୍କୁ ଯଥାକ୍ରମେ ୧ବର୍ଷ ଓ ୫ବର୍ଷ କାରାଦଣ୍ଡାଦେଶ ଦେଲେ। ଧମକଚମକ ଦିଆଯାଇଥିବାରୁ ପୀଡ଼ିତା ଶାରୀରିକ ସମ୍ପର୍କ ଲାଗି ସମ୍ମତ ହୋଇଥିବାରୁ ଏହାକୁ ସ୍ବେଚ୍ଛାକୃତ ସମ୍ମତି କୁହାଯାଇ ପାରିବନାହିଁ ବୋଲି ହାଇକୋର୍ଟ କହିଲେ।ଅଭିଯୁକ୍ତମାନେ ସୁପ୍ରିମକୋର୍ଟରେ ଏହି ରାୟକୁ ଚାଲେଞ୍ଜ୍‌ କରିବାରୁ ୧୯୭୯ ସେପ୍ଟେମ୍ବର ମାସରେ ତିନି ବିଚାରପତିଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟ ରଦ୍ଦ କରି ପୁନଶ୍ଚ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଦୋଷମୁକ୍ତ କଲେ। ସୁପ୍ରିମ୍‌ କୋର୍ଟ ଦର୍ଶାଇଲେ କି, ଦୁଷ୍କର୍ମ ବେଳେ ମଥୁରା ଚିତ୍କାର କରି ନ ଥିଲା, ପ୍ରତିବାଦ କରି ନ ଥିଲା ଏବଂ ତାଙ୍କ ଦେହରେ ମଧ୍ୟ କୌଣସି କ୍ଷତ ଚିହ୍ନ ନାହିଁ। ତେଣୁ, ଏହାକୁ ଦୁଷ୍କର୍ମ କୁହାଯାଇ ପାରିବ ନାହିଁ। 

ସୁପ୍ରିମ୍‌ କୋର୍ଟଙ୍କ ରାୟ ବିରୋଧରେ ଜନଜାଗରଣ  
ଏହି ରାୟ ଘୋଷଣା ହେବାର ଦିନ କେତେଟା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆଇନ ପ୍ରାଧ୍ୟାପକ ଉପେନ୍ଦ୍ର ବକ୍ସି, ରଘୁନାଥ କେଲ୍‌କର୍‌ ଓ ଲତିକା ସର୍କାର ଏବଂ ପୁଣେର ବସୁଧା ଧାଗମୱାର୍‌ ସୁପ୍ରିମ୍‌ କୋର୍ଟଙ୍କୁ ଖୋଲା ଚିଠି ଲେଖିଲେ। ସେମାନେ ସୁପ୍ରିମ୍‌ କୋର୍ଟ ନିର୍ଦ୍ଧାରଣ କରିଥିବା ‘ସମ୍ମତିର ସଂଜ୍ଞା’କୁ ବିରୋଧ କରିଥିଲେ। ସେମାନେ କହିଥିଲେ, ମାମଲାରୁ ଜଣାପଡୁଛି- ଘଟଣା ସମ୍ମତି ନୁହେଁ, ବାଧ୍ୟବାଧ୍ୟକତାରେ ସମର୍ପଣ। ସେମିତି, ଏ ରାୟକୁ ବିରୋଧ କରି ଦିଲ୍ଲୀର ‘ସହେଲୀ’ ଓ ‘ଫୋରମ୍‌ ଏଗେନ୍‌ଷ୍ଟ୍‌ ରେପ୍‌’ ସମେତ କେତେଗୁଡ଼ିଏ ମହିଳା ସଙ୍ଗଠନ ଗଠିତ ହେଲା। ଆନ୍ତର୍ଜାତିକ ମହିଳା ଦିବସରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ନାଗପୁର ସମେତ କେତେକ ପ୍ରଦେଶର ମହିଳାମାନେ ରାଜରାସ୍ତାରେ ପ୍ରତିବାଦ କଲେ। ବହୁ ନେତ୍ରୀ ପୀଡ଼ିତା ମଥୁରାଙ୍କୁ ଭେଟିଲେ। କ୍ରମଶଃ ଜନମତ ଦୃଢ଼ ହେଲା। ମାମଲାର ପୁନର୍ବିଚାର ଲାଗି ଅଦାଲତରେ ଆବେଦନ ପରେ ମଥୁରା ସପକ୍ଷରେ ରାୟ ଦେବା ପାଇଁ କୌଣସି ଆଇନଗତ ସୁବିଧା ନାହିଁ ବୋଲି କୋର୍ଟ ମତଦେଲେ। ଫଳରେ ଭାରତ ସରକାର ଦୁଷ୍କର୍ମ ଭଳି ଅପରାଧର ଦଣ୍ଡବିଧାନ ଲାଗି ଉଦ୍ଦିଷ୍ଟ ଆଇନ ପରିବର୍ତ୍ତନ କରିବାକୁ ବାଧ୍ୟ ହେଲେ। ସଂଶୋଧିତ ଆଇନ ଅନୁସାରେ, ଯଦି ପୀଡ଼ିତା ଶାରୀରିକ ସମ୍ବନ୍ଧ ପାଇଁ ରାଜି ନ ଥିଲେ ବୋଲି ଅଦାଲତରେ ବୟାନ ଦିଅନ୍ତି ତେବେ ସେ ଚାପର ବଶବର୍ତ୍ତୀ ହୋଇଥିଲେ ବୋଲି ଅଦାଲତ ଧରିନେବେ। ଏହି ପରିବର୍ତ୍ତନ ପରେ ଦୁଷ୍କର୍ମ ମାମଲାରେ ଦୋଷୀ ପ୍ରତି ଦଣ୍ଡବିଧାନ ହେଲା। ଏଥିପାଇଁ ଆଇନ ଇତିହାସରେ ମଥୁରା ମାମଲା ସ୍ମରଣୀୟ ହୋଇ ରହିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe