ଜଗତସିଂହପୁର: ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ଆଜି ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଲୁନାକୁ ଧକ୍କା ଦେଇଛି କାର। ଘଟଣାସ୍ଥଳରେ ଲୁନା ଚାଳକଙ୍କ ମୃତ୍ୟୁ ଘଟିଛି | ଧକ୍କା ଦେବା ପରେ କାର ଓଲଟି ପଡ଼ିଛି | କାରରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଦୁଇ ଜଣ ଫେରାର ହୋଇ ଯାଇଥିବା କୁହାଯାଉଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତା ଜାମ ହୋଇଥିଲା |
ମିଳିଥିବା ସୂଚନା ଅନୁସୀରେ, ମୃତକ ହେଲେ ପାରାଦୀପ ଷଣ୍ଢକୁଦ ଅଞ୍ଚଳର ଅଜୟ କରଣ। ଅଜୟ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସେ ମଧୁବନରୁ ଷଣ୍ଢକୁଦକୁ ଲୁନା ଯୋଗେ ନିଜ ଘରକୁ ଫେରୁଥିବା ସମୟରେ ସମୁଦ୍ର କୂଳରୁ ବେପରୁଆ ଭାବେ ଦ୍ରୁତଗତିରେ କାର (ଓଡି୦୨-ବିଏମ-୦୯୩୩) ଲୁନାକୁ ଧକ୍କା ଦେଇ ଦେଇଥିଲା। ଏହା ପରେ କାରଟି ରାସ୍ତା କଡକୁ ଓଲଟି ପଡିଥିଲା।
ଆହୁରି ପଢନ୍ତୁ: Bhubaneswar: ଭୁବନେଶ୍ବର ବିମାନବନ୍ଦର ଏବେ ସୁନା ଓ ନିଶା ମାଫିଆଙ୍କ ପ୍ରବେଶ ଦ୍ବାର
ଦୁର୍ଘଟଣା ଏପରି ଥିଲା ଯେ ଶହେ ମିଟର ଦୂରରେ କାରଟି ଓଲଟି ପଡିଥିଲା। ତେବେ ଖବରପାଇ ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପୁଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର ଆମ୍ବୁଲାନ୍ସ ଯୋଗେ ଅଠରବାଙ୍କୀସ୍ଥିତ ମେଡିକାଲକୁ ପଠାଇଥିଲା | ତେବେ ଘଟଣାକୁ ନେଇ ଉତେଜନା ଲାଗି ରହିଥିବା ବେଳେ ପୁଲିସ ସେମାନଙ୍କୁ ବୁଝାସୁଝା କରୁଛି।
ମୃତକଙ୍କ ପରିବାର, ସମ୍ପର୍କୀୟ ଓ ସ୍ଥାନୀୟ ଲୋକ କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି। ଗୁରୁବାର ମୃତକଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି | ସେହିପରି ପୁଲିସ ଗାଡ଼ି ଦୁଇଟି ଜବତ କରି ଘଟଣାର ତଦନ୍ତ ଚଳାଇଛି |
Follow Us