ଭୁବନେଶ୍ବର: ବିଧାନସଭା ପକ୍ଷରୁ ଆୟୋଜିତ ନବନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ବିଜେଡି ଭାଗ ନେଇ ନଥିଲା। କେନ୍ଦ୍ର ମନ୍ତ୍ରୀଙ୍କୁ କାହିଁକି ନିମନ୍ତ୍ରଣ କରାଯାଇଛି ବୋଲି ଅଭିଯୋଗ ଆଣି ଦଳ ଏଥିରୁ ଦୂରେଇ ରହିଥିଲା। ପୂର୍ବ ଘୋଷଣା ଅନୁଯାୟୀ ବିଜେଡି ପକ୍ଷରୁ ନିଜର ନୂଆ ବିଧାୟକଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଶିବିର ଆଜି ଶଙ୍ଖ ଭବନରେ ଆୟୋଜନ କରାଯାଇଥିଲା। ଏହାକୁ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ନବନିର୍ବାଚିତ ବିଧାୟକଙ୍କ ସହ ବିଜେଡିର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଓ ସାଂସଦମାନେ ଯୋଗ ଦେଇଥିଲେ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଧାନସଭା ଦ୍ୱାରା ଆୟୋଜିତ ତାଲିମ ଶିବିରରେ ରାଜନୈତିକ ଅଭିସନ୍ଧି ଥିଲା। ସେହି କାର୍ଯ୍ୟକ୍ରମରେ ଆମ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ମର୍ଯ୍ୟାଦା ନିଜ ରାଜ୍ୟରେ କ୍ଷୁଣ୍ଣ ହୋଇଥିବା ଅନୁଭବ କରି ବିଜେଡି ସେ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲା।
ବିଜେଡିର ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ
ବିରୋଧୀ ଦଳ ନେତା କହିଥିଲେ, ଗଣତନ୍ତ୍ରରେ ସରକାରଙ୍କର ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳର ତାହା ଠାରୁ ଅଧିକ ଦାୟିତ୍ୱ ରହିଛି। ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ। ବିଧାୟକମାନେ ଲୋକଙ୍କ ସ୍ୱାର୍ଥ ଜଡ଼ିତ ବିଷୟକୁ ପ୍ରାଥମିକତା ଦେଇ ବିଧାନସଭାରେ ଉଠାଇବା ଉଚିତ। ନୂଆ ବିଧାୟକମାନଙ୍କୁ ବିଧାନସଭାର ନୀତି ନିୟମ ଏବଂ କାର୍ଯ୍ୟ ପରିଚାଳନା ବିଷୟରେ ସମ୍ୟକ ଜ୍ଞାନ ଦେବା ଏହି ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ। କେବଳ ଗୃହ ପରିଚାଳନା ନୁହେଁ ସରକାରଙ୍କୁ ଉତ୍ତରଦାୟୀ କରିବାରେ ମଧ୍ୟ ଗୃହର ନୀତି ନିୟମ ହେଉଛି ଅସ୍ତ୍ର। ତେଣୁ ବିଧାୟକ ଭାବରେ ନିଜ ଦାୟିତ୍ୱକୁ ନିର୍ବାହ କରିବାପାଇଁ ଗୃହର ନୀତି ନିୟମ ସହ ବିଭିନ୍ନ ସଂସଦୀୟ ପରମ୍ପରା ଆଦି ଉପରେ ବିଶେଷ ଧ୍ୟାନ ଦେବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ। ନୂଆ ବିଧାୟକଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବରିଷ୍ଠ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ। ୫୧ ବିଧାୟକଙ୍କୁ ନେଇ ବିଜେଡି ଆଜି ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି। ତେଣୁ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା ନକରିବାକୁ ସେ ଆହ୍ବାନ ଦେଇଥିଲେ। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ବିଜେଡି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ ଦେବ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ୧୦ଟି ବୈଷୟିକ ଅଧିବେଶନ ଆୟୋଜନ କରାଯାଇଥିଲା।
Follow Us