ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକସ୍ଥିତ କୃଷି କାର୍ଯ୍ୟାଳୟରୁ ଶନିବାର ଅପରାହ୍ନ ପ୍ରାୟ ୨ଟାରେ କୃଷି ବିଭାଗର ଓଭରସିଅର ଗୌରହରି ବେହେରା(୫୮)ଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୃଷି ଅଧିକାରୀଙ୍କ ମୃତଦେହକୁ ତାଙ୍କ ସହ କର୍ମଚାରୀମାନେ ଉଦ୍ଧାର କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ କୃଷି ବିଭାଗର ଓଭରସିଅର ଗୌରହରି ବେହେରା ପଟାଙ୍ଗିସ୍ଥିତ କୃଷି କାର୍ଯ୍ୟାଳୟରେ ହିଁ ରହୁଥିଲେ। ସେ ଶୁକ୍ରବାର ରାତି ହୋଟେଲରେ ଖାଇ ସାରି କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ରାତିରେ ତାଙ୍କ ପରିବାରର ଲୋକେ ବାରମ୍ବାର ଫୋନ କରିଥିଲେ ହେଁ ସେ ଫୋନଟିକୁ ଉଠାଇ ନଥିଲେ। ପରିବାର ଲୋକେ ଆଜି ସକାଳୁ ଫୋନ କରିଥିଲେ ମଧ୍ୟ ଗୌରହରି ଫୋନ୍ ଉଠାଇ ନ ଥିଲେ।
ଆଜି କାର୍ଯ୍ୟାଳୟ ଛୁଟି ଥିବାରୁ କେହି କର୍ମଚାରୀ ଆସି ନଥିଲେ। ଫୋନ ନ ଉଠାଇବାରୁ ସନ୍ଦେହ ହେବାରୁ ପରିବାର ଲୋକେ ଗୌରହରିଙ୍କ ସହକର୍ମଚାରୀ ପାଳାକା ବାବୁଙ୍କୁ ଫୋନ କରିଥିଲେ ଯେ ସେ (ଗୌରହରି) ଫୋନ କାହିଁକି ଉଠାଉ ନାହାଁନ୍ତି।
ସହକର୍ମଚାରୀମାନେ ଅଫିସରେ ପହଞ୍ଚି ଦେଖିବା ବେଳକୁ ଗୌରହରି ଖଟରେ ଶୋଇ ରହିଥିଲେ। ଶ୍ରୀ ପାଳାକା ସହକାରୀ କୃଷି ଅଧିକାରୀ ଓ ସମସ୍ତ କର୍ମଚାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ ଓ ତୁରନ୍ତ ଉଦ୍ଧାର କରି ପଟାଙ୍ଗି ଡାକ୍ତରଖାନାକୁ ନେଇଥିଲେ। ମୃତ ବେହେରାଙ୍କ ଘର ମୟୁରଭଞ୍ଜ ଜିଲ୍ଲା କୋଦଳା ଅଂଚଳର ବୋଲି ଜଣାପଡିଛି। ଗୌରହରି କୋଟିଆ ଗ୍ରାମପଂଚାୟତ ଦାୟିତ୍ୱରେ ଥିଲେ। ସେ ମାତ୍ର ଦୁଇ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ। ମୃତଦେହଟି ଡାକ୍ତରଖାନାରେ ରଖାଯାଇଛି ଏବଂ ତାଙ୍କ ପରିବାରର ଲୋକେ ଆସିବା ପରେ ଶବବ୍ୟବଛେଦ କରି ହସ୍ତାନ୍ତର କରାଯିବ।
Follow Us