Photo Credit: India Today
ଅମରାବତୀ: ଗୁରୁବାର ରାଜ୍ୟର କେତେକ ବୁଥ୍ରେ ରାତି ଅଧ ଯାଏଁ ଭୋଟ୍ ଗ୍ରହଣ କରାଇ ଏକ ପ୍ରକାର ଇତିହାସ ସୃଷ୍ଟି କରିଛି ଆନ୍ଧ୍ରପ୍ରଦେଶ। ଉତ୍ତେଜନା ଓ ସଂଘର୍ଷ ଯୋଗୁଁ ରାଜ୍ୟରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ଓ ଅନେକ ଆହତ ହେବା ସତ୍ତ୍ୱେ ମତଦାନ ୮୦% ଭାଗ ହୋଇଛି।
ଗୁଣ୍ଟୁର, କୃଷ୍ଣା, ନେଲ୍ଲୋର୍ ଏବଂ କୁର୍ଣ୍ଣୁଲ୍ ଆଦି ଜିଲ୍ଲାର କେତେକ ବୁଥ୍ରେ ସନ୍ଧ୍ୟା ୬ଟାରୁ ଧାଡ଼ିବାନ୍ଧି ଠିଆ ହୋଇଥିବା ଭୋଟର୍ମାନଙ୍କୁ ଭୋଟ୍ ଦେବା ନିମନ୍ତେ କର୍ତ୍ତୃପକ୍ଷମାନେ ଅନୁମତି ଦେବାରୁ ଭୋଟ୍ ଗ୍ରହଣ ରାତି ଅଧରେ ଶେଷ ହୋଇଥିଲା।
ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଳକୃଷ୍ଣ ଦ୍ୱିବେଦୀ କହିଲେ: ରାତି ଅଧ ହେଉ ପଛକେ, ୬ଟା ବେଳୁ ଯେଉଁମାନେ ଧାଡ଼ିବାନ୍ଧି ଛିଡ଼ା ହୋଇଛନ୍ତି ସେମାନେ ଭୋଟ୍ ଦେବେ।
ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍ରେ ତ୍ରୁଟିବିଚ୍ୟୁତି, ସଂଘର୍ଷ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୪୦୦ ବୁଥ୍ରେ ଭୋଟ୍ ଗ୍ରହଣରେ ବିଳମ୍ବ ହୋଇଥିଲା।
ସନ୍ଧ୍ୟା ୬ଟା ଯାଏଁ ରାଜ୍ୟର ୧୭୫ ବିଧାନସଭା ଏବଂ ୨୫ ଲୋକସଭା ଆସନରେ ୭୪%ରୁ ଅଧିକ ମତଦାନ ହୋଇଥିଲା।
୩୮୦ରୁ ଅଧିକ ବୁଥ୍ରେ ଦିନ ବେଳା ଇଭିଏମ୍ ତ୍ରୁଟି ଦେଖା ଦେଇଥିଲା। ଫଳରେ ଦୀର୍ଘ ସମୟ ଅପେକ୍ଷା କରି ଭୋଟର୍ମାନେ ଘରକୁ ଫେରି ଯାଇଥିଲେ।
ଭୋଟର୍ମାନଙ୍କ ପାଇଁ ମତଦାନ କେନ୍ଦ୍ରଗୁଡ଼ିକରେ ମୌଳିକ ସୁବିଧା ନ ଥିବା ଦର୍ଶାଇ ମଙ୍ଗଳଗିରି ବିଧାନସଭା ଆସନରୁ ଲଢୁଥିବା ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ପୁତ୍ର ନର ଲୋକେଶ ତାଡ଼େପଲ୍ଲୀ ସହରର ଗୋଟିଏ ବୁଥ୍ରେ ଗୁରୁବାର ବିଳମ୍ବିତ ରାତ୍ରୀ ଯାଏଁ ପ୍ରତିବାଦ କରିଥିଲେ। ସେ କହିଥିଲେ: ଇଭିଏମ୍ ଓ ଭିଭିପିଏଟି କାମ ନ କରିବାରୁ ଭୋଟଦାତାମାନଙ୍କୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଲା। ସେମାନଙ୍କ ପାଇଁ ପିଇବା ପାଣିର ମଧ୍ୟ ବନ୍ଦୋବସ୍ତ କରାଯାଇ ନ ଥିଲା।
Follow Us